ପଡି ରହିଛି ବେଲିଙ୍ଗ୍ ମେସିନ୍, ସବୁଠି ଗଦା ଗଦା ପଲିଥିନ୍

ୱେଲଥ୍ ସେଣ୍ଟର ସମ୍ମୁଖ ପାଲଟିଛି ଡମ୍ପିଂୟାର୍ଡ

ଜୟପୁର: ସହରରେ କେଉଁଠି ଅଳିଆ ପଡିବନି। ଘର ଘର ବୁଲି ଓଦା ଓ ଶୁଖିଲା ଅଳିଆ ପୃଥକ ସଂଗ୍ରହ ହେବ। ଓଦା ଅଳିଆରୁ ଜୈବିକ ଖତ ପ୍ରସ୍ତୁତ ହେବ। ଶୁଖିଲା ଅଳିଆକୁ ପୁନଃଚକ୍ରଣ ହେବ। କିନ୍ତୁ ଅଳିଆ ଉପଯୁକ୍ତ ଭାବ‌େ ସଂଗ୍ରହ ହେଉନଥିବା ବେଳେ ସଂଗୃହୀତ ଅଳିଆର ପୁନଃଚକ୍ରଣ ବି ହୋଇପାରୁ ନାହିଁ। ସହରରୁ ବାହାରୁଥିବା ପଲିଥିନକୁ ପ୍ରେସିଂ ପାଇଁ ଆସିଥିବା ବେଲିଙ୍ଗ୍ ମେସିନ୍ ବ୍ୟବହୃତ ହୋଇପାରୁ ନାହିଁ। ଫଳରେ ସବୁଠି ଗଦା ଗଦା ପଲିଥିନ ପଡିଛି। ଏଥିସହ ଶୁଖିଲା ଅଳିଆ ରଖିବାକୁ ଆବଶ୍ୟକୀୟ ଗୋଦାମ ନାହିଁ। ସ୍ବାସ୍ଥ୍ୟ ହିଁ ସମ୍ପଦ ସ୍ଲୋଗାନ ଦିଆଯାଉଥିବା ବେଳେ ସମ୍ପଦ କେନ୍ଦ୍ର (ୱେଲଥ୍ ସେଣ୍ଟର) ସମ୍ମୁଖରେ ହିଁ ପଡି ରହୁଛି ଅଳିଆ। ଜୟପୁର ପୌରପାଳିକା ଅନ୍ତର୍ଗତ ଗଡିଆ ଧୋବା ସାହି ସ୍ଥିତ ‌ୱେଲଥ୍ ସେଣ୍ଟର ସମ୍ମୁଖରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବର୍ଜ୍ୟବସ୍ତୁ ପରିଚାଳନା ବଦଳରେ ସେ‌ହି ସ୍ଥାନଟି ଅସ୍ଥାୟୀ ଡମ୍ପିଂୟାର୍ଡ ପାଲଟିଯାଇଛି।

ଜୟପୁର ସହରକୁ ସ୍ବଚ୍ଛ ଓ ସୁନ୍ଦର କରାଯିବ। ବର୍ଜ୍ୟବସ୍ତୁକୁ ସୁପରିଚାଳନା କରାଯିବ। ଯାହାଫଳରେ ବର୍ଜ୍ୟବସ୍ତୁ ଉତ୍ପତ୍ତି ପରିମାଣ ହ୍ରାସ ପାଇବ, ଅନେକ ଜିନିଷ ପୁନଃବ୍ୟବହାର ହେବ ଓ ଅନେକ ବର୍ଜ୍ୟବସ୍ତୁକୁ ପୁନଃଚକ୍ରଣ କରାଯିବ। ଏନେଇ ଗତ ୨୦୨୦ ଅଗଷ୍ଟ ମାସରେ ସ୍ଥାନୀୟ ଗଡିଆଧୋବା ସାହି ଏବଂ ଚଳିତବର୍ଷ ମକାପୁଟଠାରେ ୨ଟି ୱେଲଥ୍ ସେଣ୍ଟର ଖୋଲାଯାଇଥିଲା। ଯେଉଁଠି ଏମ୍‌ସିସି (ମାଇକ୍ରୋ କମ୍ପୋଷ୍ଟିଙ୍ଗ୍ ସେଣ୍ଟର)ରେ ଜୈବିକ ଖତ ଓ ଏମ୍‌ଆର୍‌ଏଫ୍ (ମେଟିରିଆଲ୍ ରିକୋଭରି ଫେସିଲିଟି)ରେ ଶୁଖିଲା ଅଳିଆକୁ ପୁନଃବିନିଯୋଗ କରିବା ପାଇଁ ଯୋଜନା ଆରମ୍ଭ ହୋଇଥିଲା।

ଏଥିସହ ଘରକୁ ଘର ବୁଲି ଅଳିଆ ସଂଗ୍ରହ ପାଇଁ ବ୍ୟାଟେରୀ ଚାଳିତ ଅଳିଆ ସଂଗ୍ରହ ଗାଡି କିଣାଯାଇଥିଲା। ଏନେଇ ଲୋକଙ୍କୁ ସଚେତନ କରିବା ପାଇଁ ସ୍ବଚ୍ଛ ସାଥୀ ଓ ସ୍ବଚ୍ଛ ସୁପରଭାଇଜର ନିଯୁକ୍ତି ଦିଆଗଲା। ଯୋଜନା କାର୍ଯ୍ୟକାରୀ ହୋଇ ୧ ବର୍ଷ ହୋଇଥିଲେ ମଧ୍ୟ ତାହା ସୁପରିଚାଳନା ହୋଇପାରିଲା ନାହିଁ। ଗାଡି ସାହିକୁ ସାହି ବୁଲି ଅଳିଆ ସଂଗ୍ରହ କରୁଛି ସତ କିନ୍ତୁ ଓଦା ଓ ଶୁଖିଲା ଅଲଗା ଦେବା ବଦଳରେ ଲୋକେ ଗୋଟିଏ ‌ଡଷ୍ଟବିନ୍‌ରେ ହିଁ ପକାଇ ଦେଉଛି। କେଉଁ ଗାଡି ଅଳିଆକୁ ନେଇ ୱେଲଥ୍ ସେଣ୍ଟର ଯାଉଛି ତ ଆଉ କିଏ ସେହି ସାହିରେ ହିଁ ଅସ୍ଥାୟୀ ଡମ୍ପିଂୟାର୍ଡରେ ଅଳିଆ ପକାଇଦେଉଛି। ସହରର ମହାରାଣୀପେଟା ଛକ, ଚନ୍ଦନବାଡ, କେସିସି ବ୍ୟାଙ୍କ ଛକ, ଏସ୍‌ବିଆଇ ଅଫିସ୍ ନିକଟ ଭଳି ବହୁ ସ୍ଥାନରେ ଅଳିଆ ପଡି ରହୁଛି ଯାହକୁ ଟ୍ରାକ୍ଟର ମାଧ୍ୟମରେ ମକାପୁଟ ଡମ୍ପିଂୟାର୍ଡକୁ ନିଆଯାଉଛି। ଆଉକିଛି ଗାଡି ଅଳିଆ ସଂଗ୍ରହ କରି ୱେଲଥ୍ ସେଣ୍ଟରେ ପକାଉଛନ୍ତି।

କିନ୍ତୁ ସେଠାରେ ଗୋଟିଏ ଲେଖାଏଁ ଏସ୍‌ଏଚ୍‌ଜି ଗ୍ରୁପ ଟନ୍ ଟନ୍ ଅଳିଆରୁ ଶୁଖିଲା ଓ ଓଦା ଅଲାଗା କରିବା କଷ୍ଟକର ହୋଇପଡୁଛି। ଯେଉଁ ଓଦା ଅଳିଆ ବାହାରୁଛି ତାହା ଜୈବିକ ଖତ ହେଉଛି। ଶୁଖିଲା ଅଳିଆର ଯାହା ବିକ୍ରି ହେବ ତାହାକୁ ବିକ୍ରି କରାଯାଉଛି କିନ୍ତୁ ପଲିଥିନ୍, ଜୋତା, କପଡା ଓ ବ୍ୟାଗ ଆଦି ବିକ୍ରି ନ ହୋଇ ପଡିରହୁଛି। ପ୍ରତ୍ୟେକ ଦିନ ସହରରୁ ୨୮ ଟନ୍ ଅଳିଆ ବାହାରୁଥିବା ବ‌େଳେ ସେଥିରେ ପଲିଥିନ ହିଁ ଅଧିକା ରହୁଛି। ଯାହା ପୁନଃବ୍ୟବହାର ଯୋଗ୍ୟ ହୋଇନପାରି ପଡି ରହୁଛି। ପଲିଥିନ୍ ପ୍ରେସିଂ କରିବା ପାଇଁ ୪ଟି ବେଲିଙ୍ଗ୍ ମେସିନ୍ ଆସିଛି। କିନ୍ତୁ ତାହା ବ୍ୟବହାର ନ‌ହୋଇ ପଡି ରହିଛି।

କାହିଁକି ନା ପଲିଥିନ୍ କିଣିବା ପାଇଁ କୌଣସି ସଂସ୍ଥା ନଥିବା ବ‌େଳେ ପଲିଥିନ୍‌କୁ ପ୍ରେସିଂ କରି ରଖିବା ପାଇଁ ଆବଶ୍ୟକୀୟ ‌ଗୋଦାମ ନାହିଁ। ଅନ୍ୟ ପକ୍ଷରେ ଗୋଟିଏ ୱେଲଥ୍ ସେଣ୍ଟରରେ ଦୈନିକ ୫ ଟନ୍ ଅଳିଆ ପ୍ରୋସେସିଂ ହେଉଥିବା ବ‌େଳେ ବଳକା ୧୮ ଟନ୍ ଅଳିଆ ଡମ୍ପିଂୟାର୍ଡରେ ଫୋଫାଡି ଦିଆଯାଉଛି। ଯାହାକି ବର୍ଜ୍ୟବସ୍ତୁ ପରିଚାଳନା ଅଭାବରୁ ପୌରପାଳିକା ନିଜସ୍ବ ରାଜସ୍ବ ହରାଉଥିବା ନେଇ ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର