ପୁରୀ: ପୁରୀ ସମୁଦ୍ର କୂଳରେ ବାଲୁଖଣ୍ଡ ଅଭୟାରଣ୍ୟ ଏକ ବିରଳ ସୃଷ୍ଟି। ପ୍ରାକୃତିକ ବିପର୍ଯ୍ୟୟରୁ ରୋକିବା ପାଇଁ ବାଲିସ୍ତୁପ ସାଙ୍ଗକୁ ହଜାର ହଜାର ଚିତ୍ରା ହରିଣ, ଗାଡ଼ ଭାଲୁ, କୁଟୁରା, ଠେକୁଆ ଆଦି ବନ୍ୟଜନ୍ତୁ ଏହି ଅଭୟାରଣ୍ୟର ଶୋଭା ବଢ଼ାଉଛନ୍ତି।
/sambad/media/post_attachments/wp-content/uploads/2023/02/35-7.jpg)
କିନ୍ତୁ ପୁରୀ ସହର ଓ ଆଖପାଖ ଅଞ୍ଚଳବାସୀ ଏହାକୁ ଏବେ ଡମ୍ପିଂୟାର୍ଡ କରି ସାରିଲେଣି। ଯେଉଁଥିପାଇଁ ବାଲୁଖଣ୍ଡ ଅଭୟାରଣ୍ୟ ପାଇଁ ଆଜି ଆବର୍ଜନା ବିପଦ ସୃଷ୍ଟି କରିଛି। ତାଳବଣିଆକୁ ଲାଗି ରହିଥିବା ଅଞ୍ଚଳ ଏହାର ଜ୍ବଳନ୍ତ ଉଦାହରଣ। ବଡ଼କଥା ହେଉଛି, ଏହା ମଧୁର ଜଳ ଅଞ୍ଚଳ। ତଥାପି ନା ବନବିଭାଗ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉଛି ନା ପ୍ରଶାସନ। ଓଲଟା ସୁରକ୍ଷା ବଦଳରେ କେବଳ ପ୍ରଚାର ସର୍ବସ୍ବ କାମରେ ମାତିଛନ୍ତି ପୁରୀ ପୌର ପ୍ରଶାସନ ଓ କିଛି ସ୍ବେଚ୍ଛାସେବୀ ସଂଗଠନ। ସେପଟେ ଅଭିଯୋଗ ପାଇବା ପରେ ଆଜି କିଛି ଅଞ୍ଚଳରୁ ପୌରପାଳିକା ଆବର୍ଜନା ଉଠାଇଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2023/02/36-7.jpg)
ବାଲୁଖଣ୍ଡ ଅଭୟାରଣ୍ୟର ମଧୁର ଜଳ ଅଞ୍ଚଳ ଓ ଆଖପାଖ ଅଞ୍ଚଳରେ ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଛି। କିଏ ନିଜ ଘରର ଭଙ୍ଗା ଆସବାବପତ୍ର ଆଣି ଏଠାରେ ପକାଉଛି ତ କେଉଁ ହୋଟେଲ ଅବା ଅନୁଷ୍ଠାନ ନଷ୍ଟ ହୋଇଯାଇଥିବା ଅଇଁଠା, ଚା’ ପ୍ୟାକେଟ୍, ଅନ୍ୟାନ୍ୟ ଅଦରକାରୀ ବସ୍ତୁ ଆଣି ଏଠାରେ ପକାଉଛନ୍ତି। ଯେଉଁମାନେ ଏଠାରେ ରୋଷେଇବାସ କରୁଛନ୍ତି, ସେମାନେ ବି ଅଇଁଠା ପତ୍ର ଓ ଅନ୍ୟାନ୍ୟ ଅଦରକାରୀ ଜିନିଷ ଏଠାରେ ଫିଙ୍ଗି ପଳାଉଛନ୍ତି। ଭଙ୍ଗା କାଚ ବି ଜଙ୍ଗଲ ଭିତରେ ଫିଙ୍ଗାଯାଉଛି। ଏହା ଅଭୟାରଣ୍ୟରେ ଥିବା ବନ୍ୟଜନ୍ତୁଙ୍କ ପାଇଁ ପ୍ରାଣଘାତକ ସାଜିଥିବା ବେଳେ ପରିବେଶକୁ ପଦୂ୍ଷିତ କରୁଛି। ସେହିପରି ମଲା ଗାଈଗୋରୁ, କୁକୁର ଆଦିଙ୍କୁ ବି ଏଠାରେ ଫିଙ୍ଗି ଦିଆଯାଉଛି। ଏହା ପଚିଶଢ଼ି ପରିବେଶକୁ ପ୍ରଦୂଷିତ କରୁଛି। କିନ୍ତୁ ବାକି ଅଳିଆ ରାସ୍ତାକଡ଼ ଓ ଜଙ୍ଗଲ ଭିତରେ ସେହିଭଳି ପଡ଼ିରହିଛି।
/sambad/media/post_attachments/wp-content/uploads/2023/02/37-7.jpg)
ସେପଟେ ଏହି ଅଞ୍ଚଳରେ ଅଳିଆ ଆବର୍ଜନା ପକାଇବା ଦଣ୍ଡନୀୟ ଅପରାଧ ବୋଲି ଭୂଦାନ ଛକରୁ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ପୁରୀ ପୌରପାଳିକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହ ମିଶି ବଡ଼ ବଡ଼ ଫଳକ ଲଗାଇଛନ୍ତି । କିନ୍ତୁ ଏହା ପ୍ରଚାରସର୍ବସ୍ବ ପାଲଟିଛି। ଯେଉଁ ଦଣ୍ଡ କଥା ଫଳକରେ ଉଲ୍ଲେଖ ରହିଛି, ସେ ଉପରେ ପଦକ୍ଷେପ ନେବାକୁ କେହି ନାହାନ୍ତି କିମ୍ବା ପୌରସଂସ୍ଥା କେବେ ଉଦ୍ୟମ କରିନାହିଁ। ଅଳିଆ ପକାଉଥିବା ଅମାନିଆଁଙ୍କୁ ଜଗିବାକୁ ବି କେହି ନାହାନ୍ତି। ତେଣୁ ଅଯଥା ପ୍ରଚାରେ ଅର୍ଥ ବିନିଯୋଗ କରାନଯାଇ ଏହା ବଦଳରେ ଯଦି ବାଲୁଖଣ୍ଡ ଅଭୟାରଣ୍ୟର ଏହି ଅଞ୍ଚଳରୁ ଆବର୍ଜନା ସଫା ଅଭିଯାନ ଆରମ୍ଭ ହୁଅନ୍ତା ଓ ଅମାନିଆଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଆନ୍ତା, ତେବେ ପରିସ୍ଥିତିରେ ସୁଧାର ଆସନ୍ତା ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/Balukhand_Punashcha-Pruthibi_Thumbnail.jpg)
