ପ୍ରଗତି ନାମରେ ପରିବେଶକୁ ଧ୍ବଂସ କରାନଯାଉ: ସୌମ୍ୟ

କମାଗୁରୁ କଲେଜ ପରିସରରେ ମହାତ୍ମା ଗାନ୍ଧୀ ସ୍ମୃତି ଆମ୍ର ଉଦ୍ୟାନ ଉଦ୍‌ଘାଟିତ

ନିରାକାରପୁର : ପ୍ରଗତି ନାମରେ ପରିବେଶକୁ ଧ୍ବଂସ କରାଯାଉଛି। ନିୟମିତ ରାସ୍ତା ପ୍ରଶସ୍ତୀକରଣ, ଖଣି ଖନନ, ଶିଳ୍ପ ପ୍ରତିଷ୍ଠାନ ଆଦି ପାଇଁ ହଜାର ହଜାର ଗଛ କଟାଯାଉଛି। ଏଭଳି ପରିବେଶକୁ ଧ୍ବଂସ କରିବା ପ୍ରକ୍ରିୟାକୁ ବନ୍ଦ କରିବା ଆବଶ୍ୟକ। ନିରାକାରପୁର ନିକଟ କମାଗୁରୁ ମହାବିଦ୍ୟାଳୟ ପରିସରରେ ଜଗନ୍ନାଥ ବାଟିକା ଓ ମହାତ୍ମାଗାନ୍ଧୀ ସ୍ମୃତି ଆମ୍ର ଉଦ୍ୟାନର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ପ୍ରଗତି ନାମରେ ପ୍ରତିଦିନ ବିକାଶ ଓ ବିନାଶ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ପିଲାମାନେ ଦେଶର ଭବିଷ୍ୟତ। ସେମାନେ ଚାହିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ। ନିଜ କଥା ଚିନ୍ତା ନକରି ଅନ୍ୟର ମଙ୍ଗଳ ପାଇଁ ଚିନ୍ତା କରିବା ଦ୍ବାରା ନିଜର ପରିଚୟ ସୁଦୂରପ୍ରସାରୀ ହୋଇପାରିବ। ଭାଷା ଓ ପରିବେଶ ପରସ୍ପର ଜଡ଼ିତ। ଭାଷା ପରିବେଶର ଅନ୍ୟ ଏକ ଅଙ୍ଗ। ଏଣୁ ନିର୍ଭୁଲ ଭାଷା ଶିକ୍ଷା ଓ ଉଚ୍ଚାରଣ ସହ ମନ, ବିଚାର ଓ ଭାଷାରେ ଶୁଦ୍ଧତା ରକ୍ଷା କରିବା ଉଚିତ ବୋଲି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ।

କଲେଜ ପରିସରରେ ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ଗତକାଲି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ପ୍ରେରଣା ଗ୍ରୀନ୍ ଆର୍ମି କମାଣ୍ତର୍‌ ଇନ୍‌ଚିଫ୍ ଦିଲୀପ ଶ୍ରୀଚନ୍ଦନ, ଡାକ୍ତର ମନୋଜ ସାହୁ, ଓଷ୍ଟାର ଯୁଗ୍ମ ସମ୍ପାଦକ ରମାକାନ୍ତ ମହାପାତ୍ର, ସାମାଜସେବୀ ମନୋଜ ସାହୁ, ସ୍ବାଧୀନତା ସଂଗ୍ରାମୀ ଗୋପୀନାଥ ପରିଜା ପ୍ରମୁଖ ମଞ୍ଚାସୀନ ଥିଲେ। ଇଂ. ବିଶ୍ବମୋହନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସଭା ପୂର୍ବରୁ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ମହାତ୍ମା ଗାନ୍ଧୀ ଆମ୍ର ଉଦ୍ୟାନରେ ମହାତ୍ମା ଗାନ୍ଧୀଙ୍କ ନାମରେ ଏକ ଚାରା ରୋପଣ କରିଥିଲେ। ପରେ କଲେଜର ଛାତ୍ରଛାତ୍ରୀମାନେ ଜଗନ୍ନାଥ ବାଟିକା ଓ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏକ ଏକ ଆମ୍ବ ଚାରା ରୋପଣ କରିଥିଲେ।

ସମ୍ବନ୍ଧିତ ଖବର