ପୁରୀ : ଶ୍ରୀଜଗନ୍ନାଥବଲ୍ଲଭ ମଠ ପରିସରରେ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନର ଅଭୂତପୂର୍ବ ବିକାଶ କରାଗଲା। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଜରିଆରେ ଏହା ପରିସର ପୋଖରୀ ଓ ଅନ୍ୟାନ୍ୟ ସ୍ଥାନକୁ ପଥର କାରୁକାର୍ଯ୍ୟରେ ସୁସଜ୍ଜିତ କରାଗଲା। ହୃଦୟ ଯୋଜନାରେ ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଗଲା। ଲକ୍ଷ୍ୟ ଥିଲା, ମହାପ୍ରଭୁଙ୍କ ଏହି ପ୍ରମୋଦ ଉଦ୍ୟାନ ପ୍ରତି ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ଓ ଶ୍ରଦ୍ଧାଳୁମାନଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଜ୍ଞାନ ଆହରଣ ସହ ଅବସର ବିନୋଦନର ସୁଯୋଗ ଦେବା। କିନ୍ତୁ ପ୍ରଶାସନର ଦୂରଦୃଷ୍ଟିର ଅଭାବ ତଥା ରକ୍ଷଣାବେକ୍ଷଣ ପ୍ରତି ଅନାଗ୍ରହ ଯୋଗୁ ମାତ୍ର ୭ ବର୍ଷ ଭିତରେ ଉଜୁଡ଼ିଯାଇଛି ଏହି ବିକାଶ। ଅନାବନା ଗଛ ତଳେ ଲୁଚିଗଲାଣି ସୌନ୍ଦର୍ଯ୍ୟ। ରାତି ଗଡ଼ିଲେ ଏଠି ଅନ୍ଧାର ରାଜୁତି କରୁଛି।
ଶ୍ରୀଜଗନ୍ନାଥବଲ୍ଲଭ ମଠ ପ୍ରାୟ ୪୨ ଏକର ପରିମିତ ଜାଗାରେ ରହିଛି। ଏହା ପରିସରରେ ରହିଛି ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ, ଯେଉଁଠିକୁ ମହାପ୍ରଭୁ ନିଶାର୍ଦ୍ଧରେ ଦେବଦେବୀଙ୍କ ସହ ବିଚରଣରେ ଆସିଥାନ୍ତି ବୋଲି ବିଶ୍ବାସ ରହିଛି। ସେହିଭଳି ମଠ ପରିସରରେ ୨୩ଟି ବଡ଼ ବଡ଼ ପୋଖରୀ, ପାର୍କିଂ, ଜାଗାଘର, ମହାବୀର ମନ୍ଦିର ଆଦି ରହିଥିଲା। କାଳକ୍ରମେ ୨୩ରୁ ୧୫ଟି ପୋଖରୀକୁ ବିକାଶ ଆଳରେ ସମାଧି ଦେଇଦିଆଗଲା। ଏହି ପୋଖରୀର ଆଉ ଚିହ୍ନବର୍ଣ୍ଣ ନାହିଁ। ଯେଉଁ ପୋଖରୀ ବଳି ପଡ଼ିଥିଲା, ହୃଦୟ ଯୋଜନାରେ ତାର ବିକାଶ କରାଯାଇଥିଲା। ଖାଣ୍ଡେଲାଇଟ୍ ପଥରରେ ପୋଖରୀ ଚାରିପାର୍ଶ୍ବରେ ପାଦଚଲା ରାସ୍ତା, ବିଶ୍ରାମ ପାଇଁ ପଥରର ଚେୟାର, ଧ୍ୟାନ ପାଇଁ ପଥରର ପିଣ୍ଡି ଆଦିର ବିକାଶ କରାଯାଇଥିଲା। ଖାଣ୍ଡେଲାଇଟ୍ ପଥରରେ ପାଣି ଉପରେ ବ୍ରିଜ ବି ନିର୍ମାଣ କରାଗଲା। ହୃଦୟ ଯୋଜନାରେ ସମ୍ପୂର୍ଣ୍ଣ ବିକାଶ କରାଗଲା। ବିଭିନ୍ନ ଫୁଲ, ଫଳ ଗଛ ଲଗାଗଲା। ପୋଖରୀ ଚତୁଃପାର୍ଶ୍ବ ଓ ପ୍ରମୋଦ ଉଦ୍ୟାନ ପରିସର ଆଲୋକୀକରଣ ପାଇଁ ଟ୍ୟୁବୁଲାର ପୋଲ୍ରେ ଦାମୀ ଏଲ୍ଇଡି ଲାଗିଲା। ନବକଳେବର ସମୟରେ ଏହି ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା।
ମାତ୍ର ୬/୭ ବର୍ଷ ମଧ୍ୟରେ ଏହି ବିକାଶ କାର୍ଯ୍ୟ ଉଜୁଡ଼ିବାକୁ ବସିଲାଣି। ଯେଉଁ ପଥର କାରୁକାର୍ଯ୍ୟ ଥିଲା, ତାହା ଭାଙ୍ଗିଗଲାଣି। ଏହା ଉପରେ ଅନାବନା ଲତା, ଗଛ ସବୁ ଉଠି ଜଙ୍ଗଲ ପାଲଟିଗଲାଣି। ଆଲୋକୀକରଣ ବ୍ୟବସ୍ଥା କାମ ଦେଉନଥିବାରୁ ସନ୍ଧ୍ୟା ହେଲେ ନିଶାଚରମାନେ ଭିଡ଼ ଜମାଉଛନ୍ତି। ଏଣୁ ପର୍ଯ୍ୟଟକମାନେ ବି ଏହି ଜାଗାକୁ ଯିବାକୁ ଭୟ କରୁଛନ୍ତି। ଯେଉଁଭଳି ଜଙ୍ଗଲିଆ ଅବସ୍ଥାରେ ଏହା ପଡ଼ିଛି, ପାଦେ ପାଦେ ବିଷାକ୍ତ ସରୀସୃପମାନଙ୍କର ବି ଭୟ ରହୁଛି। ଯେଉଁ ଫୁଲ, ତୁଳସୀ ଆଦି ଗଛ ଲାଗିଥିଲା, ତାହା ମରିଗଲାଣି। ପୋଖରୀ ସବୁ ଦଳରେ ଭର୍ତ୍ତି ହୋଇଗଲାଣି। ଚାରିପାର୍ଶ୍ବରୁ ଅନାବନା ଲତା ବି ପୋଖରୀକୁ ଗ୍ରାସ କରି ସାରିଲାଣି। ଏହା ଶ୍ରୀକ୍ଷେତ୍ରର ଐତିହ୍ୟ ବିକାଶକୁ ଉପହାସ କରୁଛି।