ହଜାର ହଜାର ‘ମୋ ଉପକାରୀ ବଗିଚା’ ଚୋରି!

ସଦର ବ୍ଲକ୍‌ରେ କାଗଜପତ୍ରରେ ଧାର୍ଯ୍ୟଲକ୍ଷ୍ୟର ୫ଗୁଣ ଅଧିକ ବଗିଚା

ଯାଜପୁର/ଟାଉନ/ବ୍ରହ୍ମବରଦା : ଯାଜପୁର ସଦର ବ୍ଲକ୍‌ରେ ଅନେକ ସରକାରୀ ଯୋଜନାର ସଫଳ ରୂପାୟନ ହୋଇଥିବା କାଗଜକଲମରେ ପ୍ରଦର୍ଶନ କରାଯାଉଛି। ହେଲେ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଓଲଟା। ଏଠାରେ ବହୁ ପ୍ରକଳ୍ପ କ୍ଷେତରୁ ଉଭାନ୍‌ ହୋଇଯାଉଛି। ମୋ ଉପକାରୀ ବଗିଚା ଯୋଜନାରେ ଏହି ବ୍ଲକ୍‌ରେ ବ୍ୟାପକ ଅର୍ଥ ହରିଲୁଟ୍‌ ହୋଇଥିବା ଜଳଜଳ ଦିଶୁଛି।

କରୋନା କାଳରେ ଓଏଲ୍ଏ‌ମ୍‌ ଓ ମନରେଗା ଅନୁଦାନ ବିନିଯୋଗ କରି ଲୋକଙ୍କୁ କାମଧନ୍ଦା ଯୋଗାଇ ଦେବାକୁ ‘ମୋ ଉପକାରୀ ବଗିଚା’ ଭଳି ସମୟ ଉପଯୋଗୀ ଯୋଜନା ହୋଇଥିଲା। ଏହି ଯୋଜନାରେ ଲୋକଙ୍କୁ ବଗିଚା ପାଇଁ ୩୩ ଦିନର ମଜୁରି ଓ ଆବଶ୍ୟକ ଅନୁଦାନ ଓ ପନିପରିବା ଚାରା ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଥିଲା। ଏହି ଯୋଜନା ସଫଳତାର ସହିତ କାର୍ଯ୍ୟକାରୀ ହୋଇଥିଲେ ଜିଲ୍ଲା ପନିପରିବା ଉତ୍ପାଦନରେ ସ୍ବାବଲମ୍ବୀ ହେବାସହିତ ସବୁଜ ବିପ୍ଲବର ରୂପ ନେଇଥାନ୍ତା। ଏପରିକି ଅନ୍ୟ ଜିଲ୍ଲାକୁ ମଧ୍ୟ ପନିପରିବା ଯୋଗାଇ ପାରିଥାନ୍ତା। ଅଥଚ ଏହି ମହତ ଯୋଜନା ଅସାଧୁମେଣ୍ଟ ପାଇଁ ଆଣ୍ଠେଇ ପଡ଼ିଲା। ଜିଲ୍ଲାରେ ୧୫ହଜାର ମୋ ଉପକାରୀ ବଗିଚା କରିବା ପାଇଁ ଯୋଜନା ଥିବା ବେଳେ କାଗଜପତ୍ରରେ ଧାର୍ଯ୍ୟଲକ୍ଷ୍ୟଠାରୁ ଅଧିକ ୧୫ହଜାର ୩୮୦ ବଗିଚା ହୋଇଥିବା ଦର୍ଶାଯାଇଛି। ଏପରିକି ସର୍ବାଧିକ ଯାଜପୁର ବ୍ଲକରେ ହୋଇଛି। ଏଠାରେ ୮୫୨ଟି ମୋ ଉପକାରୀ ବଗିଚା କରିବାକୁ ଲକ୍ଷ୍ୟ ଥିବାବେଳେ ତା’ର ୫ଗୁଣରୁ ଅଧିକ ଅର୍ଥାତ୍‌ ୪ହଜାର ୩୯୨ଟି ମୋ ଉପକାରୀ ବଗିଚା ହୋଇଥିବାର କାଗଜପତ୍ରରେ ଦର୍ଶାଯାଇଛି। କାଗଜପତ୍ରରେ ଏତେ ସଫଳତା ଅନ୍ୟ କୌଣସି ବ୍ଲକ୍ ହାସଲ କରିନାହାନ୍ତି। ବରୀ ଓ ରସୁଲପୁର ଧାର୍ଯ୍ୟଲକ୍ଷ୍ୟ ପୂରଣ କରିଥିବା ବେଳେ ଅନ୍ୟମାନେ ପଛରେ ପଡ଼ିଛନ୍ତି। ଯାଜପୁର ବ୍ଲକ୍‌ ଏହି ସଫଳତା ନେଇ ‘ସମ୍ବାଦ’ ପକ୍ଷରୁ ତନଖି ବେଳେ ଅନେକ ରୋଚକ ତଥ୍ୟ ପଦାକୁ ଆସିଛି। ଏହି ବ୍ଲକ୍‌ରେ ୪,୩୯୨ ମୋ ଉପକାରୀ ବଗିଚା ହୋଇଥିବା ବେଳେ ହଜାର ହଜାର ବଗିଚାର ସନ୍ଧାନ ମିଳୁନାହିଁ। କେବଳ ଯାଜପୁର ବ୍ଲକ୍‌ରୁ ହଜାର ହଜାର ମୋ ଉପକାରୀ ବଗିଚା ଚୋରି ହୋଇଯାଇଛି ବୋଲି ଚାଷୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ସରକାରୀ ତଥ୍ୟ ମୁତାବକ ବଡ଼ଚଣା ବ୍ଲକ୍‌ରେ ୧୪୨୦ ମୋ ଉପକାରୀ ବଗିଚା କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ୧୩୮୫ଟି ହୋଇଛି। ସେହିପରି ବରୀରେ ୯୫୧ଟି ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇଛି। ବିଂଝାରପୁର ବ୍ଲକ୍‌ରେ ୯୫୧ଟି ବଗିଚା ମଧ୍ୟରୁ ୮୯୦ଟି, ଦାନଗଦୀରେ ୧୬୧୭ ଧାର୍ଯ୍ୟଲକ୍ଷ୍ୟ ମଧ୍ୟରୁ ୧୫୭୦ଟି, ଦଶରଥପୁରରେ ୨୪୬୧ଟି ଧାର୍ଯ୍ୟଲକ୍ଷ୍ୟ ମଧ୍ୟରୁ ୯୯୦ଟି, ଧର୍ମଶାଳାରେ ୩୧୬୪ଟି ଧାର୍ଯ୍ୟଲକ୍ଷ୍ୟ ମଧ୍ୟରୁ ୨୩୫୬ଟି, କୋରେଇରେ ୯୧୮ଟି ଧାର୍ଯ୍ୟଲକ୍ଷ୍ୟରୁ ୬୨୩, ରସୁଲପୁରରେ ୯୧୮ ସ୍ଥାନରେ ୯୬୩ଟି , ସୁକିନ୍ଦାରେ ୧୭୫୮ ଧାର୍ଯ୍ୟଲକ୍ଷ୍ୟରୁ ୧୨୬୦ଟି ହୋଇଛି। ଆଶ୍ଚର୍ଯ୍ୟର ବିଷୟ ଯାଜପୁର ବ୍ଲକ୍‌ରେ ୮୫୨ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ୪୩୯୨ ମୋ ଉପକାରୀ ବଗିଚା ହୋଇଛି। ତେଣୁ ଜିଲ୍ଲାରେ ମୋଟ ୧୫ହଜାର ବଗିଚା ପାଇଁ ଲକ୍ଷ୍ୟ ରହିଥିବା ବେଳେ ଯାଜପୁର ବ୍ଲକ୍‌ର କାଗଜକଲମ ସଫଳତା ପାଇଁ ଏହି ସଂଖ୍ୟା ୧୫ହଜାର ୩୮୦ରେ ପହଞ୍ଚିଛି। ଯାଜପୁର ବ୍ଲକ୍‌ର ଝାଲପଡ଼ା ପଞ୍ଚାୟତରେ ମୋ ଉପକାରୀ ବଗିଚା ବାଟହୁଡ଼ି ଥିବା ବେଳେ ରୁଦ୍ରପୁର ପଞ୍ଚାୟତରେ ମଧ୍ୟ ସେହି ଅବସ୍ଥା। ରୁଦ୍ରପୁର ପଞ୍ଚାୟତର ୪୮୦ ହିତାଧିକାରୀ ମଧ୍ୟରୁ ୨୮୦ଜଣ ୪୫୦୦ଟଙ୍କା, ୪୦ଜଣ ୬ହଜାର ଟଙ୍କା ଟଙ୍କା ପାଇନାହାନ୍ତି। ଚାଷୀ ଚିନ୍ତାମଣି ରାଉତ, ପାଗଳ ସାହୁ, ସନ୍ତୋଷ ଦାଶ, କୁଳମଣି ବାରିକ ପ୍ରମୁଖ ଆଜି ପର୍ଯ୍ୟନ୍ତ ଅର୍ଥ ପାଇନାହାନ୍ତି। ଏହି ପଞ୍ଚାୟତର ଭିଏଲଡବ୍ଲୁ ଅନନ୍ତ ଚରଣ ସାହୁ କୁହନ୍ତି ଯିଏ ଯେପରି ଚାଷ କରିଛନ୍ତି, ସେହି ହିସାବରେ ପାରିଶ୍ରମିକ ପାଇଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ଆଉ କିଛି କିଛି ମିଳିପାରେ।

ଯାଜପୁର ବ୍ଲକର ହଜାର ହଜାର ମୋ ଉପକାରୀ ବଗିଚା ଉଭାନ ସମ୍ପର୍କରେ ଯାଜପୁର ବିଡ଼ିଓ ସୌରଭ ଚକ୍ରବର୍ତ୍ତୀଙ୍କୁ ପଚାରିବାରେ ଧାର୍ଯ୍ୟଲକ୍ଷ୍ୟ ଠାରୁ ବହୁ ଅଧିକ ଲୋକ ମୋ ଉପକାରୀ ବଗିଚା କଲେ। ଏବେ ସୁଦ୍ଧା ୬ଶହ ଜଣ ମୋ ଉପକାରୀ ବଗିଚା କରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି। ଅବଶିଷ୍ଟ ବଗିଚା ସଂପର୍କରେ ତଦନ୍ତ ଜାରି ରହିଛି ବୋଲି ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି।

୨୦୨୦-୨୧ରେ ଏହି ଯୋଜନା ହୋଇଥିଲା। ଇତିମଧ୍ୟରେ ବ‌‌ର୍ଷେ ବିତିଥିବା ବେଳେ ଯୋଜନା ସମ୍ପର୍କରେ ସଠିକ୍ ତଥ୍ୟ ବ୍ଲକ୍ ନିକଟରେ ପହଞ୍ଚି ପାରିଲା ନାହିଁ କିପରି? ଏହି ମହତ ଯୋଜନା କେତେ ସଫଳ ତାହା ଯାଜପୁର ବ୍ଲକ୍‌ରୁ ବାରି ହୋଇପଡୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ବନୀକରଣ ଠାରୁ ଆରମ୍ଭ କରି ମନରେଗା ପ୍ରକଳ୍ପରେ ବ୍ୟାପକ ହରିଲୁଟ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ପୁଣି ୧କୋଟି ଗଛ ଲଗାଇବାକୁ ଯାଜପୁର ବ୍ଲକ୍ ପ୍ରଶାସନ ଘୋଷଣା କରିଛି। ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ବେଶ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର