ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଶୁଭ ଉଦ୍‌ଘାଟନ ପରେ ଆଜିଠାରୁ ଶାଲିମାର-ବାଦାମପାହାଡ଼-ରାଉରକେଲା ରୁଟ୍‌ରେ ଗଡ଼ିଛି ନୂଆ ସାପ୍ତାହିକ ଏକ୍ସପ୍ରେସ୍‌ ଟ୍ରେନ୍‌। ଶନିବାର ନିର୍ଦ୍ଧାରିତ ସମୟ ରାତି ସାଢେ ୧୧ଟାରୁ ଏହି ଟ୍ରେନ୍ କୋଲକାତା ଶାଲିମାର ଷ୍ଟେସନ୍‌ରୁ ବାହାରି ଆଜି (ରବିବାର) ଭୋର୍ ୫.୪୦ରେ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଷ୍ଟେସନ୍‌ରେ ପହଞ୍ଚିଥିଲା। ବାଦାମପାହାଡ଼ରୁ ସକାଳ ୬.୩୦ରୁ ବାହାରି ରାଇରଙ୍ଗପୁରରେ ୭.୧୫ରେ ପହଞ୍ଚିବା ପରେ ଟାଟାନଗର ଦେଇ ରାଉରକେଲାରେ ୧୧.୩୦ରେ ପହଞ୍ଚିଥିଲା।

Advertisment

ଆଜି ପ୍ରଥମ ଦିନରେ ରାଉରକେଲା ଯିବାକୁ ବାଦାମପାହାଡ଼ ଷ୍ଟେସନ୍‌ରୁ ୮ ଜଣ ଓ ରାଇରଙ୍ଗପୁର ଷ୍ଟେସନ୍‌ରୁ ୭୭ ଜଣ ଯାତ୍ରୀ ଟ୍ରେନ୍‌ରେ ଚଢ଼ିଥିଲେ। ରେଳଯାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହ ଯୋଗୁଁ ଆଗାମୀ ଦିନରେ ଏହି ରୁଟ୍‌ରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା ରଖାଯାଇଛି। ଆଜି ସକାଳେ ରାଇରଙ୍ଗପୁର ରେଳ ଷ୍ଟେସନରେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ପହଞ୍ଚି ସମସ୍ତ ରେଳଯାତ୍ରୀଙ୍କୁ ଶୁଭକାମନା ଜଣାଇଥିଲେ। ଏହାସହିତ ଆସନ୍ତାକାଲି ସୋମବାରଠାରୁ ଶନିବାର ଦୈନିକ ରାଉରକେଲା-ବାଦାମପାହାଡ଼ ମେମୁ ଟ୍ରେନ୍‌ ନିର୍ଦ୍ଧାରିତ ସମୟରେ ଚଳାଚଳ କରିବ।