ବଲାଙ୍ଗୀରର ଗାର୍ଗୀଙ୍କୁ ମିସେସ୍‌ ଇଣ୍ଡିଆ କ୍ବିନ୍ ଅଫ୍ ସବ୍‌ଷ୍ଟାନ୍‌ସ ଟାଇଟଲ୍

ସମ୍ବଲପୁର: ବଲାଙ୍ଗୀରର ଗାର୍ଗୀ କର ‘ମିସେସ୍ ଇଣ୍ଡିଆ କ୍ବିନ୍ ଅଫ୍ ସବ୍‌ଷ୍ଟାନ୍‌ସ’ ପ୍ରତିଯୋଗିତାରେ ନିଜ ପ୍ରତିଭା, ବୁଦ୍ଧିମତା ଓ ସୌନ୍ଦର୍ଯ୍ୟର ଚମତ୍କାର ପ୍ରଦର୍ଶନ କରି ନିଜ ବର୍ଗରେ ବିଜୟ ମୁକୁଟ ପିନ୍ଧିଛନ୍ତି। ଗୁଡ୍‌ଗାଓଁର ଏକ ପଞ୍ଚତାରକା ହୋଟେଲ୍‌ରେ ୩ ଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ୩୯ ବର୍ଷୀୟା କମ୍ପୁଟର୍‌ ଇଂଜିନିୟର୍‌ ଗାର୍ଗୀ ‘ସିଙ୍ଗଲ୍ ମଦର୍‌’ ବର୍ଗରେ ବିଜୟ ମୁକୁଟ ପିନ୍ଧିଛନ୍ତି। ଏହି ପ୍ରତିଯୋଗିତାରେ ୫ଟି ରାଉଣ୍ଡ ହୋଇଥିଲା। ପ୍ରଥମ ରାଉଣ୍ଡରେ ପ୍ରତିଯୋଗୀ ମାନେ ନିଜ ସଂପର୍କରେ ଏକ ଭିଡିଓ ପ୍ରସ୍ତୁତ କରି ଆୟୋଜକଙ୍କ ନିକଟକୁ ପଠାଇଥିଲେ। ଉକ୍ତ ଭିଡିଓ ଆଧାରରେ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରାଯାଇ ୪୩ ଜଣ ପ୍ରତିଯୋଗୀଙ୍କୁ ମୁଖ୍ୟ ପ୍ରତିଯୋଗିତା ପାଇଁ ଗୁଡ୍‌ଗାଓଁ ଡକା ଯାଇଥିଲା। ସେଠାରେ ସ୍ପୋର୍ଟସ୍‌, ଗାଉନ୍, ରାଜ୍ୟ ପ୍ରତିନିଧିତ୍ବ (ସାଂସ୍କୃତିକ), ସାଂଧ୍ୟ ପ୍ରଶ୍ନୋତ୍ତର ଆଦି ରାଉଣ୍ଡ ଅନୁଷ୍ଠିତ ହୋଇ ବିଜେତାଙ୍କୁ ବଛା ଯାଇଥିଲା। ରାଜ୍ୟ ପ୍ରତିନିଧିତ୍ବ ପର୍ଯ୍ୟାୟରେ ଗାର୍ଗୀ ପାରଂପରିକ ସମ୍ବଲପୁରୀ ପୋଷାକ ପିନ୍ଧି ଓଡ଼ିଶାର ଆଦିବାସୀ ସଂସ୍କୃତି ଓ କୋଣାର୍କ ଚକର ପ୍ରଦର୍ଶନ କରିଥିଲେ ଯାହା ବେଶ ପ୍ରଶଂସିତ ହୋଇଥିଲା। ୮ ତାରିଖ ଦିନ ଚୂନାନ୍ତ ପ୍ରତିଯୋଗିତାରେ ତାଙ୍କୁ ବିଜୟୀ ଘୋଷଣା କରା ଯାଇଥିଲା।

ବଲାଙ୍ଗୀରର ଶିକ୍ଷକ ତଥା ଯୋଗବିତ୍ ସ୍ବର୍ଗତ ଦୀନବନ୍ଧୁ କର ଏବଂ ଶିକ୍ଷୟିତ୍ରୀ ରମାରତି ଭଟ୍ଟାଚାର୍ଯ୍ୟଙ୍କ ଝିଅ ଗାର୍ଗୀ ପିଲାଟି ଦିନରୁ ନିଜ ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ। ସେ ସ୍କୁଲ୍ ସମୟରୁ ପାଠପଢ଼ା ସହ ନାଚ, ଗୀତ, ଡିଜାଇନିଂ, ପେଣ୍ଟିଂ, କ୍ରୀଡ଼ା ଆଦି ବିଭିନ୍ନ କ୍ଷେତ୍ରରେ ନିଜ ପ୍ରତିଭାର ପ୍ରଦର୍ଶନ କରିଥିଲେ। ସର୍ଜେଣ୍ଟ ଭାବେ ସେ ଗଣତନ୍ତ୍ର ଦିବସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ରାଷ୍ଟ୍ରପତି ପ୍ୟାରେଡ୍‌ରେ ଭାଗ ନେଇଥିଲେ। ପରବର୍ତ୍ତୀ ସମୟରେ ବିଟେକ୍‌ କରି ଜର୍ମାନି ସମେତ ବିଭିନ୍ନ ସ୍ଥାନରେ ସଫ୍‌ଟୱେର୍‌ ଇଂଜିନିୟର୍‌ ଭାବେ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ସେ ରୁର୍‌କିରେ ଏମ୍‌ଟେକ୍ କରୁଛନ୍ତି। ତାଙ୍କ ସହ ତାଙ୍କର ୧୦ ବର୍ଷର ପୁଅ କର୍ମଣ୍ୟ ମିଶ୍ର ରହନ୍ତି। ଗାର୍ଗୀଙ୍କ ପ୍ରତିଭା, ପରିଶ୍ରମ ଓ ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଉଛି।

ସମ୍ବନ୍ଧିତ ଖବର