କୋରାପୁଟ: ରାଜ୍ୟ ବାହାର ବେପାରୀଙ୍କ କାରସାଦି ଯୋଗୁ କୋରାପୁଟ ଜିଲ୍ଲାରେ ଚଳିତବର୍ଷ ଅମଳବେଳେ ରସୁଣ ଦର ପ୍ରାୟ ଦୁଇଗୁଣା ପର୍ଯ୍ୟନ୍ତ ବଢ଼ିଛି। ଦର ବୃଦ୍ଧି ସତ୍ତ୍ବେ ଜିଲ୍ଲାର ଚାଷୀ ବିଶେଷ ଲାଭ ପାଇନାହାନ୍ତି। ବେପାରୀଙ୍କ ନିୟନ୍ତ୍ରଣରେ ରସୁଣ ରହିଥିବାରୁ ବଜାରରୁ ଏକପ୍ରକାର ଉଭାନ ହୋଇଯାଇଛି। କୋରାପୁଟ ଜିଲ୍ଲାର ପଟାଙ୍ଗୀ, ନନ୍ଦପୁର, ସେମିଳିଗୁଡ଼ା, କୁନ୍ଦୁରା, ଜୟପୁର, ବୈପାରିଗୁଡ଼ା, ବୋରିଗୁମ୍ମା, ଲକ୍ଷ୍ମୀପୁର ବ୍ଲକ୍ର ଚାଷୀ ରସୁଣ ଉତ୍ପାଦନ କରୁଛନ୍ତି। ଚଳିତବର୍ଷ ପ୍ରାୟ ୨୦୦ ହେକ୍ଟର ଜମିରେ ଏହା ଚାଷ ହୋଇଥିଲା। ଗତବର୍ଷ ତୁଳନାରେ ଉତ୍ପାଦନ ପ୍ରାୟ ୨୭ପ୍ରତିଶତ ବଢ଼ିଛି। ଅଧିକ ଉତ୍ପାଦନ ସତ୍ତ୍ବେ କୋରାପୁଟ ଜିଲ୍ଲାରେ ଏବେ କିଲୋ ପିଛା ଦର ୪୦୦ ଟଙ୍କା ରହିଛି। ଏପରିକି ଖୁଚୁରା ବ୍ୟବସାୟୀ ବଜାରରେ ରସୁଣ ନଥିବା ଦର୍ଶାଇ ୪୫୦ରୁ ୪୮୦ ଟଙ୍କାରେ ବିକ୍ରି କରୁଛନ୍ତି। ଦୁଇ ସପ୍ତାହ ପୂର୍ବରୁ ଦର ୧୫୦ରୁ ୨୦୦ ଟଙ୍କା ମଧ୍ୟରେ ରହିଥିଲା। ଦର ବୃଦ୍ଧି ପଛର କାରଣ ଖୋଜିବାରୁ ସାଂଘାତିକ ଷଡ଼୍ଯନ୍ତ୍ରର ପ୍ରମାଣ ମିଳିଥିଲା।
ଚଳିତବର୍ଷ ରସୁଣ ଭଲ ଅମଳ ହେବ ବୋଲି ପୂର୍ବରୁ କ୍ଷେତ୍ର ପରିଦର୍ଶନ କରି ଆନ୍ଧ୍ର ଏବଂ ଛତିଶଗଡ଼ ବେପାରୀ ଜାଣି ସାରିଥିଲେ। ତେଣୁ ଅମଳ ପୂର୍ବରୁ ହିଁ ଚାଷୀଙ୍କ ସହ ମୂଲଚାଲ କରିଥିଲେ। କିଲୋ ପିଛା ୧୫୦ଟଙ୍କା ଅଗ୍ରୀମ ଚାଷୀଙ୍କୁ ଦେଇଥିଲେ। ଅମଳ ପରେ ଗଚ୍ଛିତ କରି ରଖିବା ସହ ଦର ଅଢ଼େଇ ଗୁଣ ପର୍ଯ୍ୟନ୍ତ ବଢ଼ାଇ ଅଳ୍ପ ଅଳ୍ପ କରି ବଜାରକୁ ଛାଡ଼ୁଛନ୍ତି। ଚାଷୀ ରଇମତି ଜାନି କହିଛନ୍ତି, ଗତବର୍ଷ ଠାରୁ ଅଧିକ ୪ଏକର ଜମିରେ ରସୁଣ ଚାଷ କରିଥିଲେ। ଭଲ ଅମଳ ହୋଇଥିବା ସତ୍ତ୍ବେ ସାଇତି ରଖିବାକୁ ଜାଗା ନଥିଲା। ତେଣୁ ବେପାରୀଙ୍କୁ କିଲୋ ପିଛା ୧୬୦ଟଙ୍କାରେ ବିକ୍ରି କରିଦେଲେ। ଗତବର୍ଷ ୬୦ଟଙ୍କାରେ ବିକ୍ରି କରିଥିଲା ବେଳେ ଏଥର ବେପାରୀ କିଲୋ ପିଛା ଅଧିକ ୧୦୦ ଟଙ୍କା ଦେଇଛି। ବେପାରୀ ସବୁ ରସୁଣ ନେଇଯିବା ପରେ ଏବେ କିଲୋ ପିଛା ୪୦୦ ଟଙ୍କାରେ ବିକ୍ରି କରୁଛନ୍ତି। ଏ ନେଇ ଉଦ୍ୟାନକୃଷି ବିଭାଗ ଉପନିର୍ଦ୍ଦେଶକ ସୁଦାମ ବିଶ୍ବାଳ କହିଛନ୍ତି, ଅଭାବୀ ବିକ୍ରି ସଂପର୍କିତ କୌଣସି ଖବର ନାହିଁ। କିନ୍ତୁ ଚଳିତବର୍ଷ ଭଲ ଅମଳ ହୋଇଛି, ସ୍ବାଭାବିକ ଭାବେ ଚାଷୀ ଉଚିତ ମୂଲ୍ୟ ପାଇବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/garlic.jpg)