ଜଟଣୀ: କପଡ଼ା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଳ୍ପ କିଛି ସମୟ ମଧ୍ୟରେ ନିଆଁ ଭୟଙ୍କର ରୂପ ନେଇଛି। ଏହି ଅଗ୍ନିକାଣ୍ଡରେ ଦୋକାନର ମାଲିକଙ୍କ ମୃତ୍ୟୁ ହୋଇଛି। ଲକ୍ଷାଧିକ ଟଙ୍କାର କପଡ଼ା ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଧୀନ ରାଜାବଜାରରେ ଆଜି ଅପରାହ୍ଣରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ସ୍ଥାନୀୟ ଅଞ୍ଚଳର ସୂର୍ଯ୍ୟକାନ୍ତ ମହାପାତ୍ର।
ପୁଲିସ କହିଛି, ସ୍ଥାନୀୟ ରାଜାବଜାରରେ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ କପଡ଼ା ଦୋକାନ ରହିଛି। ଗୌରୀ ଗାରମେଣ୍ଟ ନାମରେ ଥିବା ଏହି ଦୋକାନ ଦୁଇଟି ମହଲାରେ ରହିଛି। ସବୁଦିନ ପରି ଆଜି ମଧ୍ୟ ପୂର୍ବାହ୍ଣରେ ସୂର୍ଯ୍ୟକାନ୍ତ ଦୋକାନ ଖୋଲିଥିଲେ। ଅପରାହ୍ଣ ସମୟରେ ଦୋକାନର ଉପର ମହଲାରେ ଥିଲେ। ଏହି ସମୟରେ ତଳ ମହଲା ଦୋକାନରେ ନିଆଁ ଲାଗିଥିଲା। ଅଳ୍ପ ସମୟ ମଧ୍ୟରେ ଏହି ନିଆଁ ଉଗ୍ର ରୂପ ନେଇଥିଲା। ହୁତୁହୁତୁ ଜଳି ଦୋକାନର ସବୁ କପଡ଼ା ପାଉଁଶ ହୋଇଯାଇଥିଲା। ତଳ ମହଲାରୁ ବ୍ୟାପିଥିବା ନିଆଁ ଯୋଗୁଁ ଉପର ମହଲାକୁ ଧୂଆଁ ଉଠିଥିଲା। ସୂର୍ଯ୍ୟକାନ୍ତ ଧୂଆଁ ବଳୟରୁ ବତ୍ତିବାକୁ ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ସଫଳ ହୋଇପାରି ନଥିଲେ।
/sambad/media/media_files/2024/11/15/jatni-fire.jpg)
ସ୍ଥାନୀୟ ଲୋକେ ଅଗ୍ନିକାଣ୍ଡ ନେଇ ଅଗ୍ନିଶମ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସୂର୍ଯ୍ୟକାନ୍ତଙ୍କୁ ଉଦ୍ଧାର କରିବା ସହିତ ନିଆଁ ଲିଭାଇଥିଲେ। ସୂର୍ଯ୍ୟକାନ୍ତଙ୍କୁ ପ୍ରଥମେ ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଉପଚାର ପରେ ଭୁବନେଶ୍ବରସ୍ଥିତ ଏକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ସୂର୍ଯ୍ୟକାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ସୂର୍ଯ୍ୟକାନ୍ତଙ୍କ ମୃତଦେହ ପୁଲିସ ଜବତ କରିଛି। ପୋଷ୍ଟମର୍ଟ ପାଇଁ ପଠାଇଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପାରିପାର୍ଶ୍ବିକ ଅବସ୍ଥାରୁ ଯାହା ଜଣାପଡୁଛି, ଏହା ବିଦ୍ୟୁତ ସର୍ଟସର୍କିଟ ଜନିତ ଅଘଟଣା ହୋଇଥାଇ ପାରେ। ଦୋକାନ ସାମ୍ନାରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ସର୍ଟସର୍କିଟ ହୋଇ ଅଗ୍ନିକାଣ୍ଡ ହୋଇଥାଇ ପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି। ତେବେ ତତନ୍ତ ପ୍ରକ୍ରିୟା ପରେ ଏହାର ପ୍ରକୃତ କାରଣ ଜଣାପଡ଼ିବ।
ସୂଚନାଯୋଗ୍ୟ, ଜଟଣୀ ସହରରେ ବିଗତ କିଛି ମାସ ମଧ୍ୟରେ ଏକାଧିକ ଅଗ୍ନିକାଣ୍ଡ ଘଟିଛି। କିଛି ମାସ ପୂର୍ବରୁ ଖୋର୍ଦ୍ଧା ରୋଡ ରେଳଷ୍ଟେସନର ଡାକଘରେ ନିଆଁ ଲାଗିଥିଲା। ସୌଭାଗ୍ୟ ବଶତଃ ଏହି ଅଗ୍ନିକାଣ୍ଡରେ ବଡ଼ଧରଣର କ୍ଷୟକ୍ଷତି ହୋଇ ନଥିଲା। ସେହିପରି ଦୀପାବଳି ପୂର୍ବରୁ ଏକ ବାଇକରେ ଅଗ୍ନିକାଣ୍ଡ ହୋଇଥିଲା। ଏହି ଘଟଣାରେ ବାଇକ୍ଟି ସଂପୂର୍ଣ୍ଣ ରୂପେ ଜଳି ଯାଇଥିଲା। କିନ୍ତୁ ଏହାର ଚାଳକ ବର୍ତ୍ତି ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/15/e6075490-02d0-4fe1-9c22-0a79a8b6b937.jpeg)