ଗରୁଡ଼ସ୍ତମ୍ଭ ନିକଟ ମରାମତି କାର୍ଯ୍ୟ ୪ ଦିନରେ ସାର: ହାଇକୋର୍ଟ

କଟକ: ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଗରୁଡସ୍ତମ୍ଭ ନିକଟରେ ପ୍ରସ୍ତାବିତ ମରାମତି କାର୍ଯ୍ୟ ୪ ଦିନ ଭିତରେ ଶେଷ କରିବାକୁ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶ୍ରୀଜଗନ୍ନାଥ ମନ୍ଦିର ମରାମତି ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶାଯାଇଥିଲା ଯେ ଗରୁଡସ୍ତମ୍ଭ ନିକଟସ୍ଥ ଦୁର୍ବଳ ସ୍ଥାନର ମରାମତି ପାଇଁ ଏଏସ୍‌ଆଇକୁ ଡିସେମ୍ବର ୧୧ରେ ଚିଠି ଦିଆଯାଇଛି। ଡିସେମ୍ବର ୧୩ ତାରିଖରୁ ଏହି ମରାମତି କାମ ଆରମ୍ଭ କରି ଦୁଇ ଦିନ ଭିତରେ ଶେଷ କରିବାକୁ ଏଏସ୍‌ଆଇକୁ କୁହାଯାଇଥିଲା। ମରାମତି କାର୍ଯ୍ୟ ସଂପାଦନ ପାଇଁ ନିରୂପଣ କରାଯାଇଥିବା ସ୍ଥାନ ଶ୍ରୀମନ୍ଦିର ପ୍ରଶାସନ ପ୍ରଦାନ କରିବା ସହିତ ଏଥିପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି ଚିଠିରେ ସ୍ପଷ୍ଟ କରାଯାଇଥିଲା। ଶୁଣାଣି ସମୟରେ ଏଏସ୍‌ଆଇ ପକ୍ଷରୁ ଦର୍ଶାଯାଇଥିଲା ଯେ ଏହି ମରାମତି କାର୍ଯ୍ୟ ପାଇଁ ଚାରି ଦିନ ଲାଗିବ। ତେଣୁ ଦୁଇ ଦିନ ପରିବର୍ତ୍ତେ ୪ ଦିନ ପ୍ରଦାନ ପାଇଁ ଏଏସ୍‌ଆଇ ପକ୍ଷରୁ ନିବେଦନ କରାଯାଇଥିଲା। ଗରୁଡସ୍ତମ୍ଭ ନିକଟ ମରାମତି କାର୍ଯ୍ୟ ୪ ଦିନ ଭିତରେ ଶେଷ କରି ୧୯ ତାରିଖ ସୁଦ୍ଧା ଏ ସଂପର୍କିତ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ଏଏସ୍‌ଆଇକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ଆଜି ଏଏସ୍‌ଆଇ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ବେହେରଣ ଦ୍ୱାର ନିକଟରେ ମରାମତି କାର୍ଯ୍ୟ ଚାଲିଛି। ଏହି ମରାମତି କାର୍ଯ୍ୟ ୨୦୧୮, ଫେବ୍ରୁଆରି ୨୮ ତାରିଖ ସୁଦ୍ଧା ଶେଷ କରାଯିବା ପାଇଁ ଯୋଜନା ରହିଛି। ସେହିପରି ଏଏସଆଇ ପକ୍ଷରୁ ଦର୍ଶାଯାଇଛି ଯେ ଶ୍ରୀମନ୍ଦିର ପ୍ରଶାସନର ନଭେମ୍ବର ୨୦ ଓ ନଭେମ୍ବର ୨୮ ଚିଠିରେ ପ୍ରଦାନ କରାଯାଇଥିବା ପରାମର୍ଶ ଅନୁସାରେ ବେହରଣ ଦ୍ୱାର ମରାମତି କାର୍ଯ୍ୟ ଓ ଜୟ ବିଜୟ ଦ୍ୱାର ନିକଟ ଦୁର୍ବଳ ସ୍ଥାନର ମରାମତି କାର୍ଯ୍ୟ ଏକ ସମୟରେ କରାଯିବା ଉପଯୁକ୍ତ ହେବ ନାହିଁ। ଏପରି ପରିସ୍ଥିତିରେ ବେହେରଣ ଦ୍ୱାର ନିକଟ ମରାମତି କାର୍ଯ୍ୟ ସରିବା ପରେ ଜୟବିଜୟ ଦ୍ୱାର ନିକଟରେ ପ୍ରସ୍ତାବିତ ମରାମତି କାର୍ଯ୍ୟ ଆରମ୍ଭ କରାଯିବ। ପ୍ରସ୍ତାବିତ ମରାମତି କାର୍ଯ୍ୟ ପାଇଁ ଚୂଡାନ୍ତ ଯୋଜନା ପ୍ରସ୍ତୁତ ହେବା ପରେ ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଯିବ।

ଶ୍ରୀମନ୍ଦିର ଗର୍ଭ ଗୃହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ଘଟଣାରେ ଏଏସଆଇ ପକ୍ଷରୁ ଦର୍ଶାଯାଇଛି ଯେ ଏହା ଏକ ଗୁରୁତର ପ୍ରସଂଗ। ଏଏସ୍‌ଆଇ ସହିତ ମରାମତି କାର୍ଯ୍ୟରେ ନିୟୋଜିତ ଏଜେନ୍ସିର କର୍ମଚାରୀ ଯେପରି ମନ୍ଦିର ଭିତରକୁ ମୋବାଇଲ୍‌ ଓ କ୍ୟାମେରା ସାଙ୍ଗରେ ନେଇ ନପାରିବେ, ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯବା ଆବଶ୍ୟକ। ଏଥିପ୍ରତି ମନ୍ଦିର ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ଦର୍ଶାଇ ପ୍ରଶାସନକୁ ଚିଠି ଲେଖାଯାଇଛି ବୋଲି ଏଏସ୍‌ଆଇ ସୁପରିଣ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟ ଏଚ୍‌.ଏ.ନାୟକଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ଚିତ୍ରସେନ ପରିଡା, ତ୍ରିଲୋଚନ ଦାଶ ଏବଂ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରମାକାନ୍ତ ମହାପାତ୍ର, ଏଏସ୍‌ଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ଓ ଶ୍ରୀଜଗନ୍ନାଥ ମନ୍ଦିର ତରଫରୁ ଆଇନଜୀବୀ ସୁବ୍ରତ ଶତପଥୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର