ପୁରୀ : ରବିବାର ଦିନ ହରିଶୟନ ଏକାଦଶୀରେ ମହାପ୍ରଭୁ ଶୟନ ଯାଇଛନ୍ତି। ଚାରିମାସ ପର୍ଯ୍ୟନ୍ତ ଆଉ ଉଠିବେନି ମହାପ୍ରଭୁ। ଭାଦ୍ରବ ମାସରେ କଡ଼ ଲେଉଟେଇବା ସହ କାର୍ତିକ ମାସ ଶୁକ୍ଲପକ୍ଷ ଏକାଦଶୀ ଦିନ ନିଦରୁ ଉଠିବେ। ଏହି ପରମ୍ପରା ଅନୁଯାୟୀ ସୋମବାରଠାରୁ ପ୍ରଭୁ ଗରୁଡ଼ ବି ଶୟନ ଯାଇଛନ୍ତି। ମହାପ୍ରଭୁଙ୍କ ଭଳି ସୋମବାର ଦିନ ଗରୁଡ଼ ଶୟନ ଏକାଦଶୀ ତିଥିରେ ରଥ ଉପରେ ପ୍ରଭୁ ଗରୁଡ଼ଙ୍କ ନୀତି ସଂପନ୍ନ ହୋଇଛି। ଆଜିଠାରୁ ପ୍ରଭୁ ଗରୁଡ଼ ବି ଶୟନ ଯାଇଛନ୍ତି। ଏଥିପାଇଁ ସୋମବାର ସନ୍ଧ୍ୟା ଧୂପ ପରେ ଗରୁଡ଼ଙ୍କୁ ଗାଧୁଆପାଧୁଆ କରାଯାଇଥିଲା। ବସ୍ତ୍ରାଦି ଆଭୂଷଣରେ ବେଶ ହେବା ପରେ ପଞ୍ଚଭୂତରେ ଭୋଗ ହୋଇ ଗରୁଡ଼ ମହାପ୍ରଭୁଙ୍କୁ ଆବାହନ କରାଯାଇଥିଲା। ପରେ ମହାପ୍ରଭୁ ଶୟନ କରିଥିବା ଭଣ୍ଡାର ଘରେ ଖଟ ତଳେ ବିଶ୍ରାମ ପାଇଁ ଗରୁଡ଼ଙ୍କୁ ଆବାହନ କରାଯାଇଥିଲା। ପରେ ପ୍ରଭୁ ଗରୁଡ଼ ଭଣ୍ଡାର ଘରେ ଠାକୁରଙ୍କ ଖଟ ତଳେ ଶୟନ ଯାଇଥିଲେ। ଚାରିମାସ ପରେ ମହାପ୍ରଭୁ ଉଠିବା ପରେ ଶୟନରତ ପ୍ରଭୁ ଗରୁଡ଼ ବି ନିଦରୁ ଉଠିବେ।
ସୂଚନାଯୋଗ୍ୟ, ହରି ହେଉଛନ୍ତି ବିଷ୍ଣୁ। ମହାପ୍ରଭୁ ହେଉଛନ୍ତି ବିଷ୍ଣୁଙ୍କ ଅବତାର। ଏଣୁ ମହାପ୍ରଭୁ ଗତକାଲି ହରିଶୟନ ଏକାଦଶୀରେ ଶୟନ ଯାଇଛନ୍ତି। କେବଳ ମହାପ୍ରଭୁ ନୁହଁନ୍ତି, ବିଷ୍ଣୁଙ୍କ ସମସ୍ତ ରୂପ ବି ଗତକାଲିଠାରୁ ଶୋଇ ରହିଛନ୍ତି। ଏଣୁ ଗତକାଲିଠାରୁ ସମସ୍ତ ଶୁଭ କାର୍ଯ୍ୟ ବନ୍ଦ ରହିବାର ବିଧି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/srimandir-1.jpg)