ପ୍ରତାପୁର : ଜଗନ୍ନାଥପ୍ରସାଦ ବ୍ଲକ୍ କୁଡ଼ୁତାଇ ପଞ୍ଚାୟତ ଅଧୀନ କପିଳପଲ୍ଲୀ ଗାଁରେ ଗ୍ୟାସ୍ ସିଲିଣ୍ଡର୍ ଫାଟି ଅଗ୍ନିକାଣ୍ଡରୁ ଗୋଟିଏ ପରିବାରର ଦୁଇ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ହେଲେ ଖବର ପାଇ ବି ଦମକଳ ନପହଞ୍ଚିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଗ୍ରାମର ଖଲିଆ ନାୟକ ରାଜ୍ୟ ବାହାରେ ରହି ଦାଦନ ଖଟୁଛନ୍ତି। ଗାଁରେ ପତ୍ନୀ ରିନା ଦୁଇ ପୁଅ ଓ ଚାରିଝିଅଙ୍କୁ ନେଇ ଗୋଟିଏ କୁଡ଼ିଆରେ ରହୁଛନ୍ତି। ଆଜି ତାଙ୍କ ମଝିଆ ଝିଅ ଘରେ ରୋଷେଇ କରୁଥିଲେ। ପାଣି ଆଣିବାକୁ ଯାଇ ଫେରିବା ବେଳକୁ ଘରର ଚାଳ ଉପରେ ନିଆଁ ଦେଖି ସେ ଚିତ୍କାର କରି ସାହିବାସିନ୍ଦାଙ୍କୁ ଡାକିଥିଲେ। ଏହି ସମୟରେ ଘର ଭିତରେ ଥିବା ଗ୍ୟାସ୍‌ ସିଲିଣ୍ଡର୍ ଫାଟିଯିବାରୁ ନିଆଁର ପ୍ରକୋପ ବଢ଼ି ସମସ୍ତ ସାମଗ୍ରୀ ପୋଡ଼ିଯାଇଥିଲା।

Advertisment

ନିଆଁ ଲିଭାଇବାକୁ ଗ୍ରାମବାସୀ ପ୍ରଥମେ ଭଞ୍ଜନଗର ଓ ପରେ ବେଲଗୁଣ୍ଠା ଅଗ୍ନିଶମ ବିଭାଗ ସହ ଯୋଗାଯୋଗ କରିଥିଲେ। ତେବେ ଉକ୍ତ ଇଲାକା ଜଗନ୍ନାଥପ୍ରସାଦ ଅଗ୍ନିଶମ ବିଭାଗ ଅଧୀନରେ ଆସୁଥିବା କୁହାଯାଉଥିଲା। ଜଗନ୍ନାଥପ୍ରସାଦ ଅଗ୍ନିଶମ ବିଭାଗ ସହ ଯୋଗାଯୋଗ ହୋଇପାରି ନଥିଲା। କୌଣସି ଶାଖାରୁ ବି ଦମକଳ ନଆସିବାରୁ ଶେଷରେ ଗ୍ରାମବାସୀ ମୋଟର ଲଗାଇ ନିକଟ କୂଅରୁ ପାଣି ଆଣି ନିଆଁକୁ ଆୟତ୍ତ କରିଥିଲେ। ଏସଂପର୍କରେ ଜଗନ୍ନାଥପ୍ରସାଦ ଅଗ୍ନିଶମ ବିଭାଗ ମୁଖ୍ୟ ବିକାଶ ଚନ୍ଦ୍ର ମୁଦୁଲିଙ୍କ ସହ ଯୋଗାଯୋଗ କରିବାରୁ କୌଣସି କଲ୍ ଆସି ନଥିବା ସେ କହିଛନ୍ତି। କଲ୍ ମିଳିଲେ କର୍ମଚାରୀ ନିଶ୍ଚିତ ଭାବେ ପହଞ୍ଚିବେ। ସେହିପରି ବେଲଗୁଣ୍ଠା ଅଗ୍ନିଶମ ମୁଖ୍ୟ ବିଶ୍ବମ୍ବର ରାଉତ କହିଛନ୍ତି, କର୍ମଚାରୀ ମାନେ ଏକ କଲ୍ ପାଇ ବୁଗୁଡ଼ାର ଡେହୁକ ଗାଁକୁ ପଳାଇଥିଲେ। ତେବେ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ପ୍ରଦାନ ଦାବି ହୋଇଛି।