ଚିଙ୍ଗୁଡ଼ି ପ୍ରସେସିଂ ପ୍ଲାଣ୍ଟରେ ଶ୍ରମିକ ଅସୁସ୍ଥ ଘଟଣା : ସୁସ୍ଥ ହୋଇ ଘରକୁ ଫେରିଲେ ଶ୍ରମିକ

ହସ୍‌ପିଟାଲରେ ରୋଗୀଙ୍କୁ ଭେଟିଲେ ଶ୍ରମମନ୍ତ୍ରୀ, କମ୍ପାନିର ୭ କର୍ମଚାରୀ ଗିରଫ, ଗ୍ୟାସ୍‌ ନୁହେଁ, ଅଧିକ ବ୍ଲିଚିଂ ଯୋଗୁଁ ଅଘଟଣ

ବାଲେଶ୍ୱର : ୧୬ ନମ୍ବର ଜାତୀୟ ରାଜପଥ ଖନ୍ତାପଡ଼ା ଥାନା ନିକଟସ୍ଥ ଫାଲ୍‌କନ ଚିଙ୍ଗୁଡ଼ି ପ୍ରସେସିଂ ପ୍ଲାଣ୍ଟରେ ବ୍ଲିଚିଂ ପାଉଡର୍‌ ଗନ୍ଧରେ ଅସୁସ୍ଥ ହୋଇ ପଡ଼ିଥିବା ୯୮ ଜଣ ଶ୍ରମିକ ସୁସ୍ଥ ହୋଇ ଆଜି ଘରକୁ ଫେରିଛନ୍ତି। ଗତକାଲି ସଂଧ୍ୟାରେ ଏହି ଶ୍ରମିକମାନେ ଅସୁସ୍ଥ ହୋଇ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏ ନେଇ ଖନ୍ତାପଡ଼ା ଥାନା କେସ୍ ନଂ ୩୫୮/୧୮ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆଜି ଫରେନସିକ୍‌ ଟିମ୍‌ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିଛି। ଏଥିସହ ଖନ୍ତାପଡ଼ା ଥାନାରେ ଗତକାଲି ରାତିରୁ ଅଟକ ଥିବା ପ୍ଲାଣ୍ଟର ୭ ଜଣଙ୍କୁ ଗିରଫ କରାଯାଇଛି। ଗିରଫମାନେ ହେଲେ ପ୍ଲାଣ୍ଟର ଜେନେରାଲ୍‌ ମ୍ୟାନେଜର ପି.ପଲେଇ, ପ୍ରଡକ୍ସନ୍‌ ମ୍ୟ‌ାନେଜର ଜୟଦେବ କେଏସ୍‌, ମ୍ୟା‌ନେଜର (ଏଚ୍‌ଆର୍‌) ଏନ୍‌.ପ୍ରକାଶ, ସୁପରଭାଇଜର ଆର.ପରିଡ଼ା, ସିଫ୍ଟ ଇନ‌ଚାର୍ଜ ବୁଲୁ ସ୍ବାଇଁ, ସେଫ୍ଟି ଅଫିସର ଆର.ମହାପାତ୍ର, ପିପିଏଚ୍‌ ସୁପରଭାଇଜର ଆର.ଢାଲ।

ସୂଚନା ମୁତାବକ, ବୁଧବାର ସନ୍ଧ୍ୟା ପ୍ରାୟ ସାଢ଼େ ୮ଟାରେ ଖନ୍ତାପଡ଼ାସ୍ଥିତ ଫାଲ୍‌କନ ଚିଙ୍ଗୁଡି ପ୍ରସେସିଂ ପ୍ଲାଣ୍ଟରେ ଉତ୍କଟ ବ୍ଲିଚିଂ ଗନ୍ଧ ଯୋଗୁଁ ସେଠାରେ କାମ କରୁଥିବା ଶତାଧିକ ମହିଳା କର୍ମଚାରୀ ଅଣନିଃଶ୍ବାସୀ ହୋଇ ପଡ଼ିଥିଲେ। ପ୍ଲାଣ୍ଟର ଅନ୍ୟ କର୍ମଚାରୀଙ୍କ ଦ୍ବାରା ସମସ୍ତଙ୍କୁ ବସ୍‌ ଓ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଖନ୍ତାପଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ସେଠାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ରାତିରେ ବାଲେଶ୍ୱର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଅସୁସ୍ଥମାନଙ୍କର ଚିକିତ୍ସା ଲାଗି ମୟୂରଭଞ୍ଜ ଓ କଟକରୁ ଅଧିକ ଡାକ୍ତରଙ୍କୁ ମଗାଇଥିଲେ। ରାତିରେ ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଓ ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ ଡାକ୍ତରଖାନା ଆସି ଅସୁସ୍ଥ ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଭୁବନେଶ୍ବରରୁ ଆସିଥିବା ଫରେନସିକ୍‌ ଟିମ୍‌ ଆଜି ପୂର୍ବ‌ାହ୍ନରେ ଉକ୍ତ ପ୍ଲାଣ୍ଟରୁ ନମୁନା ସଂଗ୍ରହ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଘଟଣାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରମମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଆଜି ଦିପହର ସୁଦ୍ଧା ସମସ୍ତ ଶ୍ରମିକ ସୁସ୍ଥ ହୋଇଥିବା ବେଳେ ସଂଧ୍ୟାରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଛନ୍ତି।

ଏହି ଘଟଣାକୁ ନେଇ ଫାଲକନ୍‌ ମୁଖ୍ୟ ତାରା ପଟ୍ଟନାୟକ ଗଭୀର ଦୁଃଖପ୍ରକାଶ କରିବା ସହ ଚିଙ୍ଗୁଡ଼ି ପ୍ରସେସିଂ ପ୍ଲାଣ୍ଟରୁ ଗ୍ୟାସ୍‌ ଲିକ୍‌ ହୋଇନଥିବା କହିଛନ୍ତି। ବ୍ଲିଚିଂର ପରିମାଣ ଅଧିକ ହୋଇ ଯାଇଥିବାରୁ ଏପରି ଅଘଟଣ ଘଟିଥିବା ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। କମ୍ପାନି ପକ୍ଷରୁ ଘଟଣାର ଅନୁସନ୍ଧାନ ଜାରି ରହିଛି ଏବଂ ସମସ୍ତପ୍ରକାର ପଦକ୍ଷେପ ନିଆଯାଉଥିବାର ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର