କିଶନନଗର : ଆଜି ରାତି ପ୍ରାୟ ସାଢ଼େ ୯ଟା ବେଳେ କିଶୋରନଗରର ବିଶ୍ୱାଳପଡାଠାରେ ଏକ ନିର୍ମାଣାଧୀନ ଶୀତଳ ଭଣ୍ଡାରରୁ ଗ୍ୟାସ ଲିକ୍‌ ହୋଇଛି। ଗ୍ୟାସ୍‌ ପ୍ରଭାବରେ ଲୋକଙ୍କ ଆଖି ଓ ନାକ ପୋଡ଼ିବାରୁ ଆଖପାଖ ଗାଁର ଲୋକମାନେ ଆତଙ୍କିତ ହୋଇ ପଡ଼ିଛନ୍ତି। ଭୟରେ ୩ଟି ଗାଁର ଲୋକେ ପିଲାଛୁଆ ଓ ଗୋରୁ-ଗାଈଙ୍କ ସହ ଘର ଛାଡ଼ି କିଶନନଗର ବଜାର ଓ ମହାନଦୀ ବନ୍ଧକୁ ପଳାଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀକୁ ପଠାଇ ପ୍ରକୃତ ସ୍ଥିତିର ଯାଞ୍ଚ ଚଳାଇଛି। ଘର ଛାଡ଼ିଥିବା ଲୋକେ ଉତ୍ତେଜିତ ଓ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Advertisment

ଖବର ମୁତାବକ, କିଶୋରନଗର ବିଶ୍ବାଳପଡ଼ାଠାରେ ଏକ ଘରୋଇ ଶୀତଳ ଭଣ୍ଡାର ନିର୍ମାଣ କରାଯାଉଛି। ଆଜି ରାତି ପ୍ରାୟ ସାଢ଼େ ୯ଟା ବେଳେ ଉକ୍ତ ଶୀତଳ ଭଣ୍ଡାରରୁ ହଠାତ୍‌ ଆମୋନିଆ ଗ୍ୟାସ୍‌ ଲିକ୍ ହୋଇଥିଲା। ଅଳ୍ପ ସମୟ ଭିତରେ ଗ୍ୟାସ୍‌ର ପ୍ରଭାବ ବିଶ୍ବାଳପଡ଼ା, ସାମନ୍ତରାପୁର ଓ ବାଲିଶୁକ୍ରି ପ୍ରଭୃତି ଆଖପାଖ ଗାଁରେ ଅନୁଭୂତ ହୋଇଥିଲା। ଲୋକଙ୍କ ଆଖି ଓ ନାକ ପୋଡ଼ବା ଆରମ୍ଭ ହୋଇଥିଲା। ଶୀତଳଭଣ୍ଡାରରୁ ଗ୍ୟାସ୍‌ ଲିକ୍‌ ହୋଇଛି ବୋଲି ଶୁଣିବା କ୍ଷଣି ଲୋକେ ଭୟରେ ପିଲାଛୁଆ ଓ ଗୋରୁ ଗାଈଙ୍କୁ ଧରି ଦୌଡ଼ିବା ଆରମ୍ଭ କରି ଦେଇଥିଲେ। ସେମାନଙ୍କ ଭିତରୁ କେତେକ କିଶନନଗର ବଜାରକୁ ପଳାଇଥିବା ବେଳେ ଅନ୍ୟ କେତେକ ମହାନଦୀ ବନ୍ଧକୁ ପଳାଇଥିଲେ। ଖବର ପାଇ କିଶନନଗର ପୁଲିସ ଅଗ୍ନିଶମ ବାହିନୀକୁ ଘଟଣାସ୍ଥଳକୁ ପଠାଇ ପ୍ରକୃତ ସ୍ଥିତିର ଯାଞ୍ଚ କରୁଛି। ଗ୍ୟାସ୍‌ କେମିତି ଓ କେଉଁଠାରୁ ଲିକ୍‌ ହେଲା ସେ ସମ୍ପର୍କରେ ସଠିକ୍‌ ଖବର ମିଳି ନ ଥିଲେ ବି ଶୀତଳ ଭଣ୍ଡାର ଭିତର ସଫା କରାଯାଉଥିବା ବେଳେ ଗ୍ୟାସ୍‌ ଲିକ ହୋଇଥିବା କୁହାଯାଉଛି। ଏହାକୁ ନେଇ ଗାଁ ଛାଡ଼ିଥିବା ଲୋକଙ୍କ ଭିତରେ ଉତ୍ତେଜନା ଦେଖା ଦେଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଓ ଉତ୍ତେଜନାର ବାତାବରଣ ଲାଗି ରହିଛି।