ଗ୍ୟାସ୍‌ ଲିକ୍‌ରୁ ମନ୍ଦିରରେ ବିସ୍ଫୋରଣ, ସେବକ ଗୁରୁତର 

ବୁଗୁଡ଼ା: ମନ୍ଦିରର ଭଣ୍ଡାର ଘର ଦ୍ବାର ଖୋଲୁ ଖୋଲୁ ହେଲା ବିସ୍ଫୋରଣ। କିଛି ବୁଝିବା ଆଗରୁ ଫୋପାଡ଼ି ହୋଇ ପଡ଼ିଲେ ମନ୍ଦିର ସେବକ। ଏମିତି ଏକ ଅଘଟଣ ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ନେଳିଆ ବନ୍ଧ ନିକଟ ସୋମନାଥ ମନ୍ଦିରରେ। ଭଣ୍ଡାର ଘରେ ରଖା ଯାଇଥିବା ଗ୍ୟାସ୍‌ ଲାଇଟ୍‌ ସିଲିଣ୍ଡର୍‌ ଲିକ୍ ହୋଇ ଚାଲିଥିଲା। ଦ୍ବାର ବନ୍ଦ ଥିବାରୁ ରୁଦ୍ଧ କୋଠରିରେ ଗ୍ୟାସ୍‌ ଭର୍ତ୍ତି ହୋଇ ରହିଥିଲା। ଦ୍ବାର ଖୋଲିବା କ୍ଷଣି ବନ୍ଦର ବାହାରେ ଜଳୁଥିବା ଦୀପ ନିଆଁ ସଂସ୍ପର୍ଶରେ ଅଗ୍ନିକାଣ୍ଡରୁ ବିସ୍ଫୋରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି l ଘଟଣାରେ ମନ୍ଦିର ସେବକ ଗୁରୁତର ହୋଇଥିବା ଜଣାଯାଇଛି। ଆହତ ମନ୍ଦିର ସେବକ ହେଲେ ବୁଗୁଡ଼ା ଯାଦବ ସାହିର ପାପେୟା ପାତ୍ର (୫୦)।
ସୂଚନା ପ୍ରକାରେ, ଆଜି ଦିନ ୧୨ଟା ବେଳେ ମନ୍ଦିର ସେବକ ପାପେୟା କୌଣସି ଜିନିଷ ଆଣିବା ପାଇଁ ଭଣ୍ଡାର ଘର ଖୋଲିଥିଲେ। ପୂର୍ବରୁ ସେଠାରେ ଥିବା ଏକ ଗ୍ୟାସ ଲାଇଟରୁ ଗ୍ୟାସ୍ ଲିକ୍ ହୋଇ ଭଣ୍ଡାର ଘର ଭିତରେ ଆବଦ୍ଧ ହୋଇ ରହିଥିଲା। କବାଟ ଖୋଲିବା କ୍ଷଣି ଆବଦ୍ଧ ଗ୍ୟାସ୍‌ ପ୍ରାୟ ୮ ଫୁଟ ଦୂରରେ ମନ୍ଦିର ବେଢାରେ ଜଳୁଥିବା ଦୀପ ସଂସ୍ପର୍ଶରେ ଆସି ଆଖି ପିଛୁଳାକେ ଭଣ୍ଡାର ଘରକୁ ନିଆଁ ବ୍ୟାପିଯାଇ ଅଗ୍ନିକାଣ୍ଡ ସହ ବିସ୍ଫୋରଣ ଘଟିଥିଲା। ଫଳରେ ଭଣ୍ଡାର ଘର କୋଣ କାନ୍ଥ ଭୁଶୁଡି ଯିବା ସହ ପାପେୟା ଫୋପାଡ଼ି ହୋଇ ଦୂରରେ ପଡିଥିଲେ। ଅଗ୍ନିକାଣ୍ଡରେ ତାଙ୍କର ଶରୀରର ବିଭିନ୍ନ ଅଂଶ ପୋଡ଼ି ଯାଇଥିଲା। ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ବୁଗୁଡ଼ା ଦମକଳ ବାହିନୀ ପହଞ୍ଚି ଆହତ ପାପେୟାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସମ୍ବନ୍ଧିତ ଖବର