ଏସ୍‌ସିବିରେ ଗ୍ୟାସ୍‌ ଲିକ୍‌ ଘଟଣା : ତଦନ୍ତ କରିବ ୫ ଜଣିଆ ଟିମ୍‌

କଟକ : କଟକ ବଡ଼ ମେଡିକାଲ୍‌ର ପିଏଚ୍‌ଡି ପମ୍ପ ହାଉସ୍‌ରେ କଳଙ୍କି ଲଗା କ୍ଲୋରିନ୍‌ ଗ୍ୟାସ୍‌ ସିଲିଣ୍ଡରରୁ ଗ୍ୟାସ୍‌ ଲିକ୍‌ ଘଟଣାରେ ଜିଲ୍ଲାପାଳ ଘଟଣାର ତଦନ୍ତ ପାଇଁ ପାଞ୍ଚ ଜଣିଆ ଟିମ୍‌ ଗଠନ କରିଛନ୍ତି । କେଉଁ ଅଧିକାରୀଙ୍କ ଖାମ୍‌ଖିଆଲ କାର୍ଯ୍ୟରୁ ଏଭଳି ଅଘଟଣ ଘଟି ୪୯ ଜଣ ଲୋକ ଅସୁସ୍ଥ ହେଲେ ସେ ନେଇ ଆସନ୍ତାକାଲିଠାରୁ ତଦନ୍ତ କରାଯିବ। ରିପୋର୍ଟ ଆଧାରରେ ସିଲିଣ୍ଡର ଫିଲିଂ ଓ ଡିସ୍ପୋଜାଲ୍‌ ଦାୟିତ୍ୱ ନେଇଥିବା ଗଂଜାମର ଜୟଶ୍ରୀ କେମିକାଲକୁ କଳାତାଲିକାଭୁକ୍ତ କରାଯିବ କି ନାହିଁ, ସେ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର କହିଛନ୍ତି ।

ସୂଚନା ଅନୁଯାୟୀ, ବଡ଼ ମେଡିକାଲ୍‌ରେ ଗତକାଲି ପିଏଚ୍‌ଡି ପମ୍ପ ହାଉସ୍‌ରେ ଥିବା ତିନିଟି କ୍ଲୋରିନ୍‌ ସିଲିଣ୍ଡର ମଧ୍ୟରୁ ଗୋଟିଏ କଳଙ୍କି ଲାଗିଥିବାରୁ ଲିକ୍‌ ହୋଇଯାଇଥିଲା। ସିଲିଣ୍ଡରରୁ ଗ୍ୟାସ୍‌ ବାହାରି କ୍ୟାମ୍ପସ୍‌ ଭିତରେ ବ୍ୟାପିଯିବାରୁ ଲୋକେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏ ପ୍ରକାର ଅଘଟଣରେ ୪୯ ଜଣ ଲୋକ ମେଡିକାଲ୍‌ରେ ଭର୍ତ୍ତି ହୋଇଥିବା ବେଳେ ଆଜି ସୁଦ୍ଧା ୪୫ ଜଣଙ୍କୁ ମେଡିକାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି। ଏବେ ଚାରି ଜଣ ଆଇସିୟୁ ଏବଂ ପଲ୍‌ମୁନାରୀ ମେଡିସିନ୍‌ ଓ୍ଵାର୍ଡରେ ଭର୍ତ୍ତି ହୋଇଛନ୍ତି। ଗତକାଲି ବଡ ମେଡିକାଲକୁ ଆସିଥିବା ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର ଆଜି ଘଟଣାର ତଦନ୍ତ କରିବା ପାଇଁ ଏକ ପାଞ୍ଚ ଜଣିଆ ଟିମ୍‌ ଗଠନ କରିଛନ୍ତି । ଏଡିଏମ୍‌(ରାଜସ୍ୱ) ରଘୁରାମ ଆୟାରଙ୍କ ନେତୃତ୍ୱରେ ଗଠିତ ଟିମ୍‌ ଆଜି ଏକ ବୈଠକରେ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଟିମ୍‌ରେ ଏସ୍‌ସିବି ଅଧ୍ୟକ୍ଷ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ସଦସ୍ୟ, ଜିଲ୍ଲା ଫାୟାର ଅଫିସର୍‌, ପିଏଚ୍‌ଡିର ଅଧୀକ୍ଷଣ ଯନ୍ତ୍ରୀ ସଦସ୍ୟ ଅଛନ୍ତି । ଆସନ୍ତାକାଲି ଦିନ ୧୧ଟା ବେଳେ ଏହି ଟିମ୍‌ ବଡ଼ ମେଡିକାଲ୍‌ରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବ ।

ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର କହିବା ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ମିଳିବା ପରେ ତାହାକୁ ନଗର ଉନ୍ନୟନ ବିଭାଗ ନିକଟରେ ଦାଖଲ କରାଯିବ। ତଦନ୍ତ ରିପୋର୍ଟରୁ ଯଦି ସଂସ୍ଥାର ଦୋଷ ଧରା ପଡେ ତେବେ ତାହାକୁ ବ୍ଲାକ୍‌ ଲିଷ୍ଟେଡ୍‌ କରିବାକୁ ସରକାରଙ୍କୁ ଚିଠି ଲେଖାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର