ରାଜପଥରେ ଗ୍ୟାସ୍‌ ଟ୍ୟାଙ୍କର୍‌ ଲିକ୍‌

ଅନୁଗୁଳ/ବନ୍ତଳା : ୫୫ ନମ୍ବର ଜାତୀୟ ରାଜପଥର ଅନୁଗୁଳ ଉପକଣ୍ଠ ଚନ୍ଦ୍ରବାହାଳଠାରେ ଆଜି ଅଘଟଣ ଘଟିଛି। ଅପରାହ୍ନ ପ୍ରାୟ ୨ଟା ୪୦ ମିନିଟ୍‌ରେ ଏକ ଗ୍ୟାସ୍‌ ବୋଝେଇ ଟ୍ୟାଙ୍କରର ନିରାପତ୍ତା ଭଲ୍‌ଭ ଫାଟିଯିବାରୁ ଗ୍ୟାସ୍‌ ଲିକ୍‌ ହୋଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଚଣ୍ଡ ଶବ୍ଦ କରି ଭଲ୍‌ଭ ଉପରକୁ ଉଡ଼ିଯିବା ସହ ପ୍ରଖର ବେଗରେ ଗ୍ୟାସ୍‌ ବାହାରି ସମଗ୍ର ଅଂଚଳ ଗ୍ୟାସମୟ ହୋଇପଡ଼ିଥିଲା। ଉପରକୁ ଚଢ଼ି ଭଲ୍‌ଭ୍‌ ବନ୍ଦ କରିବା ସମ୍ଭବ ନ ହେବାରୁ ଚାଳକ ଜୀବନ ବିକଳରେ ରାଜପଥ ଉପରେ ଗାଡ଼ି ଛାଡ଼ି ଦୌଡ଼ି ପଳାଇଥିଲା। ଫଳରେ ଏହି ଜ୍ୱଳନକ୍ଷମ ଇନ୍ଧନ ତିନିଘଣ୍ଟା ଧରି ପାଖାପାଖି ତିନି କିଲୋମିଟର ଦୂର ବ୍ୟାପି ଯାଇଥିଲା। ଜ୍ୱଳନକ୍ଷମ ଗ୍ୟାସ୍‌ର ମାତ୍ରାକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ଇମର୍‌ଜେନ୍‌ସି ଘୋଷଣା କରାଯାଇଥିଲା। ୪ଟି ଦମ୍‌କଳ ପାଣି ପକାଇ ଟ୍ୟାଙ୍କରକୁ ଥଣ୍ଡା ରଖିବା ବ୍ୟବସ୍ଥା କରିଥିବା ବେଳେ ମୁଣ୍ଡୁଳିରୁ ତୁରନ୍ତ ଏନ୍‌ଡିଆରଏଫ୍‌ ଟିମ୍‌ ପହଞ୍ଚିଥିଲା। ଇଣ୍ଡେନ୍‌ ଗ୍ୟାସ୍‌ର ଏହି ଟ୍ୟାଙ୍କର (ଏନ୍‌ଏଲ୍‌୦୧ଏନ୍‌୮୫୯୨)ଟି ପାରାଦ୍ୱୀପ୍‌ରୁ ଝାର୍‌ସୁଗୁଡ଼ା ଯାଉଥିଲା। ଏଥିରେ ୨୩ ମେଟ୍ରିକ ଟନ୍‌ ଗ୍ୟାସ୍‌ ରହିଥିଲା। ପାଖାପାଖି ୬ ମେଟ୍ରିକ୍‌ ଟନ୍‌ ଗ୍ୟାସ୍‌ ବାହାରିଯିବା ପରେ ଚାପ କମିଥିଲା। ପରିସ୍ଥିତି ନିୟନ୍ତ୍ରଣ ହେବା ପରେ ଚାଳକ ଟ୍ୟାଙ୍କର ପାଖକୁ ଫେରି ଏହି ଭଲ୍‌ଭକୁ ବନ୍ଦ କରିଥିଲେ। ଜିଲ୍ଲାପାଳ ଅନିଲ ସାମଲଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳରେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର ଓ ଆଇଓସିଏଲ୍‌ କର୍ମକର୍ତ୍ତା ପହଞ୍ଚିଥିଲେ। ଏହି ଟ୍ୟାଙ୍କର ଅସୁରକ୍ଷିତ ଭାବେ ଆସିବା ଅଭିଯୋଗରେ ଟ୍ୟାଙ୍କର୍‌ ମାଲିକଙ୍କ ନାମରେ ଏତଲା ଦିଆଯାଇଛି। ଗାଡ଼ି ସହ ଚାଳକ ମାଜିଷ୍ଟର ରାଏଙ୍କୁ ମଧ୍ୟ ଅଟକ ରଖାଯାଇଛି। ଫ୍ୟାକ୍ଟ୍ରି ଆଣ୍ଡ ବଏଲର କର୍ମଚାରୀ ଏହାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି।

ସମ୍ବନ୍ଧିତ ଖବର