ରୋଷେଇ କରୁଥିବା ସମୟରେ ଗ୍ୟାସ୍ ପାଇପ୍ ଫାଟିବାରୁ ଯୁବତୀ ଗୁରୁତର

ନରସିଂହପୁର: କଟକ ଜିଲ୍ଳାର କାନପୁର ଥାନା ଅନ୍ତର୍ଗତ ବାଲିଝରି ନୂଆସାହିରେ ଗ୍ୟାସ୍ ପାଇପ୍ ଫାଟି ଜଣେ ଯୁବତୀ ଗୁରୁତର ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁସାରେ, କାନପୁର ଥାନା ଅନ୍ତର୍ଗତ ବାଲିଝରି ନୂଆସାହିରେ ସୁରେନ୍ଦ୍ର ମହାରଣାଙ୍କ ଘରେ ଗ୍ୟାସ୍ ପାଇପ୍ ଫାଟି ଏହି ଅଗ୍ନିକାଣ୍ଡ ଘଟିଛି।
ଆଜି ସକାଳ ପ୍ରାୟ ୯ଟା ବେଳେ ସୁରେନ୍ଦ୍ର ମହାରଣାଙ୍କ ଝିଅ ସୀମା ମହାରଣା (୨୧) ରୋଷେଇ ଘରେ ଗ୍ୟାସ୍ ଚୁଲାରେ ରୋଷେଇ କରୁଥିଲେ। ଏହି ସମୟରେ ଗ୍ୟାସ୍ ପାଇପ୍ ଫାଟିବାରୁ ପ୍ରଥମେ ସୀମାଙ୍କ ଶାଢ଼ିରେ ନିଆଁ ଲାଗିଯାଇଥିଲା। ଏହାପରେ ତାହା ଘରର ଚାଳରେ ଲାଗିବାରୁ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ସୀମା ଗୁରୁତର ଆହତ ହୋଇଥିଲେ।

ସୀମାଙ୍କୁ ଆମ୍ବୁଲାନ୍ସ ଯୋଗେ ବଡ଼ମ୍ବା ମେଡିକାଲକୁ ନିଆଯାଇଥିଲା। ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।ଏହି ଅଗ୍ନିକାଣ୍ଡରେ ସୁରେନ୍ଦ୍ର ମହାରଣାଙ୍କର ଦୁଇ ବଖରା ଘର ସମେତ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ତେବେ ଘରେ ଥିବା ସୁରେନ୍ଦ୍ର ମହାରଣାଙ୍କ ସ୍ତ୍ରୀ ଏବଂ ପୁଅ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୁରେନ୍ଦ୍ର ମହାରଣା ଗାଁରେ ଏକ ଦୋକାନ କରି ପରିବାର ଚଳାଉଥିବା ଜଣାଯାଇଛି।


ଖବର ପାଇ ବାଲିଝରି ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ।  ତେବେ କେଉଁ କାରଣରୁ ଗ୍ୟାସ୍ ପାଇପ୍ ଫାଟିଥିଲା ତାହା ଜଣାପଡ଼ିନାହିଁ। ଏହି ଘଟଣା ଏବେ ବଡ଼ମ୍ବା- ନରସିଂହପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର