ଦଶରଥପୁରରେ ଦୁର୍ଦ୍ଦଶା ବଢ଼ାଉଛି ଗ୍ୟାସ ପାଇପ୍‌ଲାଇନ୍‌ କାର୍ଯ୍ୟ: ବିଲକୁ ଯାଇପାରୁନି ହଳ, ମିଳୁନାହିଁ ଜମି ଓ ଗଛର କ୍ଷତିପୂରଣ

ଦଶରଥପୁର : ଗେଲ୍‌ ଇଣ୍ଡିଆର ମନମୁଖୀ କାର୍ଯ୍ୟ ପାଇଁ କେଉଁଠି ରାସ୍ତା ଧସିଲାଣି ତ କେଉଁ ଜାଗ‌ାରେ ଚାଷଜମି ନଷ୍ଟ ହୋଇଯାଇଛି। ବଡ଼ ଖାଲକୁ ନେଇଁ ଚାଷୀ ନିଜ ଜମିରେ ହଳ କରିବା ସମ୍ଭବ ହେଉନାହିଁ। ଆରଡି, ଆରଏଣ୍ଡବି ଓ ପଞ୍ଚାୟତ ରାସ୍ତାକୁ ମଧ୍ୟ କ୍ଷତିଗ୍ରସ୍ତ କରିଚାଲିଛି ଗ୍ୟାସ୍‌ ପାଇପ୍‌ଲାଇନ। ଚାଷଜମିରେ ମାଟି ଗଦା କରିଦେବାରୁ ଚାଷୀମାନେ ଚାଷ କରିପାରୁନାହାନ୍ତି। ବଡ଼ବଡ଼ ଗଛ ତାଡ଼ି ପକାଇଦେଲେ ବି କ୍ଷତିପୂରଣ ମିଳୁନାହିଁ। କମ୍ପାନିର ମନମାନି ଯୋଗୁଁ ଲୋକ ସମସ୍ୟାରେ ପଡୁଥିଲେ ବି ଏଥିପ୍ରତି କାହାରି ଧ୍ୟାନ ନାହିଁ।

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ବର୍ତ୍ତମାନ ପାଇପଲାଇନ୍‌ ବିଛାଇବା କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ଚାଷଜମିଠାରୁ ଆରମ୍ଭ କରି ନାଳ, ରାସ୍ତା ତଳେ ପାଇପ ବିଛା ଚାଲିଛି। କାମ କରୁଥିବା ଠିକାସଂସ୍ଥା ବିଲ ମଝିରେ ପ୍ରାୟ ୧୦ ରୁ ୧୨ ଫୁଟ ଚଉଡ଼ାରେ ଏକ ନାଳ ଖୋଳି ପାଇପ୍‌ ବସାଉଛି। ମେସିନରେ ମାଟି ଖୋଳି ଅନ୍ୟ ବିଲରେ ପକାଉଛି। ଏଥିଯୋଗୁ ଚାଷୀମାନେ ନିଜ ଜମି ଚାଷ କରିବାରେ ସମସ୍ୟା ହେଉଛି। ସେହିଭଳି ପାଇପ ଯାଉଥିବା ଜମିକୁ ଖୋଳି ନଷ୍ଟ କରୁଥିଲେ ମଧ୍ୟ ମାଲିକଙ୍କୁ କ୍ଷତିପୂରଣ ଦିଆଯାଉନାହିଁ। ପାଇପ ଯାଉଥିବା ରାସ୍ତାରେ ପଡ଼ୁଥିବା ଗଛକୁ ଉପାଡ଼ି ଦିଆଯାଉଛି। ସମସ୍ୟା ହେଉଛି ଖୋଳାଯିବା ପରେ ତାକୁ ଆଉ ସମତୁଲ କରାଯାଉ ନାହିଁ। ହଳ ପାଇଁ ଟ୍ରାକ୍ଟର ଅନ୍ୟପଟ ଜମିକୁ ଯାଇପାରୁନାହିଁ। ପ୍ରତିବାଦ କଲେ ପୁଲିସର ଧମକ ଦେଉଛି ଠିକାସଂସ୍ଥା। କେତେକ ଜାଗାରେ ପାଣି ନାଳକୁ ମଧ୍ୟ ବନ୍ଦ କରିଦିଆଯାଇଛି। ଏବେ ବର୍ଷାଦିନରେ ନାଳକୁ ଅବରୋଧ କରାଯିବାରୁ ଚାଷ ଜମିକୁ ପାଣି ଯାଉପାରୁନାହିଁ। କୟାଁ, ଖାନନଗର, ପାଲଟପୁର, ଅସନପୁର, କନିକାପଡ଼ା, ଥାଲକୁଡ଼ି, ଡାହାଣହତା ଭଳି ବହୁ ପଞ୍ଚାୟତରେ ଏପରି ସମସ୍ୟା ଦେଖାଦେଇଛି।

ମଙ୍ଗଳପୁର-ନାରିଗାଁ ଆରଏଣ୍ଡବି ରାସ୍ତା ପାଲଟପୁର ମଙ୍ଗଳା ମନ୍ଦିର ନିକଟରେ ରାସ୍ତା ଧସିଯାଇଛି। ରାସ୍ତାର ଉଭୟ ପାର୍ଶ୍ବକୁ ପାଇପ ପାସ କରିବାକୁ ବଡ଼ବଡ଼ ଗର୍ତ୍ତ ଖୋଳାଯାଇଥିଲା। ବର୍ଷା ପରେ ରାସ୍ତା ଧସିଯାଇଛି। ଏହାକୁ ଲୁଚାଇବାକୁ ଯାଇ ଡଷ୍ଟ ପକାଇଦିଆଯାଇଛି। ରାସ୍ତା ଦୁଇ ପାଖ ମୁକୁଳା ରହିଥିଲେ ବି ସେଠାରେ କୌଣସି ଲାଇଟ କିମ୍ବା ସୁରକ୍ଷା ବାଡ଼ ଦିଆଯାଇନାହିଁ। ନିକଟରେ ଏକ ପାଣିନାଳକୁ ବନ୍ଦ କରିଦିଆଯାଇଥିବାରୁ ବିଲକୁ ପାଣି ଯାଇପାରୁନାହିଁ। ଏଥିପ୍ରତି ଅଧିକାରୀମାନେ ଗୁରୁତ୍ୱ ଦେଉ ନଥିବାରୁ ଜନଅସନ୍ତୋଷ ଦେଖାଯାଇଛି।

ସମ୍ବନ୍ଧିତ ଖବର