କନ୍ଦାଉଛି ଉଜ୍ଜ୍ବଳା ଯୋଜନା: ଗ୍ୟାସ୍ ଛାଡ଼ି ଜାଳ ସଂଗ୍ରହ ପାଇଁ ଜଙ୍ଗଲ ଉପରେ ନିର୍ଭର
ରେଗୁଲେଟର୍, ପାଇପ୍, ଲାଇଟର୍ରେ ଖେଳୁଛନ୍ତି ପିଲା
ନୀଳଗିରି: କେନ୍ଦ୍ର ସରକାର ମହତ ଉଦ୍ଦେଶ୍ୟ ନେଇ ଉଜ୍ଜ୍ବଳା ଯୋଜନା କାର୍ଯ୍ୟକାରୀ କରିଥିଲେ। ଲକ୍ଷ୍ୟ ଥିଲା ମହିଳାମାନଙ୍କୁ ଚୁଲି ଧୂଆଁରୁ ମୁକ୍ତି ଦେବା। ଏହି ଯୋଜନାରେ ସରକାର ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବିପିଏଲ୍ ଓ ରାସନ୍କାର୍ଡଧାରୀ ପରିବାରଗୁଡ଼ିକୁ ମାଗଣାରେ ଗ୍ୟାସ୍ ସିଲିଣ୍ଡର ଓ ଚୁଲା ଯୋଗାଇଦେଇଥିଲେ। ଏହିପରି ଭାବେ ଦେଶର ୮ କୋଟିରୁ ଅଧିକ ପରିବାର ଯୋଜନାରେ ସାମିଲ ହୋଇଥିଲେ। ତେବେ ଗ୍ୟାସ୍ ଦର ହୁ ହୁ ହୋଇ ବଢ଼ୁଥିବା ବେଳେ ଉଜ୍ଜ୍ବଳା ହିତାଧିକାରୀମାନେ ପରବର୍ତ୍ତୀ ସମୟରେ ଗ୍ୟାସ୍ ସିଲିଣ୍ଡର କିଣିବା ପାଇଁ ସମର୍ଥ ହୋଇ ପାର ନାହାନ୍ତି। ଏବେ ଗ୍ୟାସ୍ ଟାଙ୍କି ପ୍ରତି ଦର ୧୧ ଶହ ଟଙ୍କା ଟପିଗଲାଣି। ଚଳିତ ବର୍ଷ ପ୍ରଥମ ଦୁଇ ମାସରେ ଗ୍ୟାସ୍ ଟାଙ୍କି ଦର ୭୫ ଟଙ୍କା ବଢ଼ିଛି। ଜାନୁଆରିରେ ୨୫ ଟଙ୍କା ବଢ଼ିଥିବା ବେଳେ ମାର୍ଚ୍ଚ ୧ରେ ପୁଣି ୫୦ ଟଙ୍କା ବୃଦ୍ଧି ପାଇଛି।
ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍ରେ ୨୦ ହଜାର ୨୩୬ଟି ପରିବାର ଉଜ୍ବଳା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ହିତାଧିକାରୀ ବର୍ଦ୍ଧିତ ଦର ଯୋଗୁ ଆଉ ଗ୍ୟାସ୍ ବ୍ୟବହାର କରୁ ନଥିବା ଜଣାପଡ଼ିଛି। ଯାହା ତଥ୍ୟ ରହିଛି; ଏବେ ଏଠାରେ ମାତ୍ର ୩ ହଜାର ୫୨୩ ହିତାଧିକାର ନିୟମିତ ଗ୍ୟାସ୍ କିଣୁଛନ୍ତି। ଯେଉଁମାନେ ଗ୍ୟାସ୍ କିଣିବା ପାଇଁ ସକ୍ଷମ ହୋଇ ପାରୁ ନାହାନ୍ତି, ସେମାନେ ପୁଣି ଚୁଲିମୁଣ୍ଡକୁ ଫେରିଛନ୍ତି। ଘରବାଡ଼ି ଏବଂ ନିକଟସ୍ଥ ଜଙ୍ଗଳରୁ ପତ୍ର ଓ କାଠ ସଂଗ୍ରହ କରି ରୋଷେଇ କରୁଥିବା ବେଳେ ଗ୍ୟାସ୍ ଟାଙ୍କି ଓ ଚୁଲା ଘର କୋଣରେ ପଡ଼ିଛି। ପିଲାମାନେ ରେଗୁଲେଟର୍, ପାଇପ୍, ଲାଇଟର୍ ଆଦିରେ ଖେଳୁଛନ୍ତି। ଏପରି ଚିତ୍ର ଯେ କେବଳ ନୀଳଗିରିରେ ରହିଛି, ତାହା ନୁହେଁ। ଦେଶର ସବୁ ଅଞ୍ଚଳରେ ସମାନ ଚିତ୍ର ଦେଖିବାକୁ ମିଳୁଛି। ଫଳରେ ଉଜ୍ଜ୍ବଳା ଯୋଜନା ନେଇ ନାନା ପ୍ରଶ୍ନ ଉଠିଲାଣି। ଏପରି ସମୟରେ କେନ୍ଦ୍ର ସରକାର ଯେଉଁ ମହତ ଉଦ୍ଦେଶ୍ୟ ନେଇ ଯୋଜନା ଆରମ୍ଭ କରିଥିଲେ, ତାକୁ ସଫଳ କରିବା ପାଇଁ ବିହିତ ପଦକ୍ଷେପ ନିଅନ୍ତୁ ବୋଲି ଅନେକ ବୁଦ୍ଧିଜୀବୀ ଦାବି କରିଛନ୍ତି।