ଘନ କୁହୁଡ଼ି ପାଇଁ ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ ଟ୍ୟାଙ୍କର, ବିଦ୍ୟୁତ ସରବରାହ ବନ୍ଦ କରାଗଲା

ଛତ୍ରପୁର: ଛତ୍ରପୁରର ୧୬ନମ୍ବର ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ ଟ୍ୟାଙ୍କର। ଛତ୍ରପୁର ନିକଟସ୍ଥ ହୁମୁରି ତାମ୍ପରାଠାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଘନ କୁହୁଡ଼ି ପାଇଁ ଏଭଳି ଘଟିଥିବା କହିଛନ୍ତି ସାମାନ୍ୟ ଆହତ ହୋଇଥିବା ଟ୍ୟାଙ୍କର ଚାଳକ। ତେବେ ଏହି ଦୁର୍ଘଟଣା‌ ପରେ ୧୬ନମ୍ବର ଜାତୀୟ ରାଜପଥର ଦୁଇ ପାର୍ଶ୍ବରୁ ଗାଡ଼ି ଚଳାଚଳକୁ ବନ୍ଦ ରଖିଛି ପୁଲିସ। ଛତ୍ରପୁର ସମେତ ଆଖପାଖ ଅଞ୍ଚଳରେ ମଧ୍ୟ ବିଦ୍ୟୁତ ସରବରାହକୁ ବନ୍ଦ ରଖାଯାଇଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ସମେତ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ତହସିଲଦାର, ଅତିରିକ୍ତ ଏସପି, ପରିବହନ ବିଭାଗ କର୍ମଚାରୀ ଏବଂ ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି । ଓଲଟିଥିବା ଟ୍ୟାଙ୍କରରୁ ଗ୍ୟାସ ଖାଲି କରିବାକୁ ପୁଲିସ ଉଦ୍ୟମ ଆରମ୍ଭ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଗ୍ୟାସ ଟ୍ୟାଙ୍କର(ନମ୍ବର ଜିଜେ୦୬ଏକ୍ସଏକ୍ସ-୧୫୧୨)ଟି ବିଶାଖାପାଟଣାରୁ ଜଟଣୀକୁ ଏଚପି ଗ୍ୟାସ ନେଇ ଫେରୁଥିଲା। ସକାଳ ୫ଟା ୩୦ମିନିଟରେ ଛତ୍ରପୁର ନିକଟସ୍ଥ ହୁମୁରି ତାମ୍ପରାଠାରେ ଘନ କୁହୁଡ଼ି ପାଇଁ ରାସ୍ତା ଦେଖା ନଯିବାରୁ ଭାରସାମ୍ୟ ହରାଇ ଟ୍ୟାଙ୍କରଟି ଓଲଟି ପଡ଼ିଥିଲା। ଚାଳକଜଣଙ୍କ ଜାମସେଦପୁର ବାସିନ୍ଦା ହୋଇଥିବା ବେଳେ ଦୁର୍ଘଟଣା ପରେ ଚାଳକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ୨୦୧୬, ଜାନୁଆରି ୧୮ରେ ୧୬ନମ୍ବର ଜାତୀୟ ରାଜପଥରେ ଥିବା ଛତ୍ରପୁର କଲେଜ ଛକ ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ଓଲଟିବାରୁ ୩ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପାଇଁ ୨୪ଘଣ୍ଟା ପର୍ଯ୍ୟନ୍ତ ଛତ୍ରପୁର ସହରକୁ ବନ୍ଦ ରଖାଯିବା ସହ ବିଦ୍ୟୁତ ସରବରାହକୁ ବନ୍ଦ କରାଯାଇଥିଲା।

ସମ୍ବନ୍ଧିତ ଖବର