ମାହାଙ୍ଗା: ଅଙ୍ଗନବାଡି କେନ୍ଦ୍ରରେ ରୋଷେଇ ଚାଲିଥିବା ବେଳେ ଗ୍ୟାସ ଟାଙ୍କି ଫାଟିଛି। ହୁ ହୁ ହେଇ ରୋଷେଇ ଘର ଜଳିଯାଇଛି। ହେଲେ ସୌଭାଗ୍ୟ ବଶତଃ ପାଚିକା ସମେତ ସମସ୍ତ କୁନିକୁନି ପିଲା ଓ ଅଙ୍ଗନବାଡି କର୍ମଚାରୀ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଲଳିତଗିରିସ୍ଥିତ ଏକ ଅଙ୍ଗନବାଡ଼ିରେ ଆଜି ପୂର୍ବାହ୍ଣରେ ଏହି ଅଭାବନୀୟ ଅଘଟଣ ଘଟିଥିବା ଜଣାଯାଇଛି।
ସୂଚନା ଅନୁସାରେ ଲଳିତଗିରି ଅଙ୍ଗନବାଡି(୨) କେନ୍ଦ୍ରରେ ପ୍ରାୟ ୨୦ ଜଣ ଶିଶୁ ପାଠପଢ଼ନ୍ତି। ଆଜି ପୂର୍ବାହ୍ନରେ ଅଙ୍ଗନବାଡ଼ିର ପାଚିକା ରୋଷେଇ ଘରେ ଅଣ୍ଡା ସିଝାଉଥିଲେ। ଏହି ସମୟରେ ସେ ରୋଷେଇ ଘର ବାହାରେ ଥିଲା। ରୋଷେଇ ଘରୁ ହଠାତ ଧୁଆଁ ବାହାରି ଥିଲା। ତାପରେ ରୋଷେଇ ଘରେ ନିଆଁ ଲାଗିଯିବା ଦେଖି ରୋଷେଇ ଘର ପାଖରେ ଥିବା ଅଙ୍ଗନବାଡି କେନ୍ଦ୍ରରୁ ସମସ୍ତ କୁନିକୁନି ପିଲାଙ୍କ ସମେତ ସବୁ କର୍ମଚାରୀ ନିରାପଦ ଦୂର ସ୍ଥାନକୁ ପଳାୟନ କରିଥିଲେ। ଅଳ୍ପ ସମୟ ପରେ ଗ୍ୟାସ ଟାଙ୍କି ଫାଟି ହୁ ହୁ ହୋଇ ରୋଷେଇ ଘର ଜଳିଥିଲା। ଫଳରେ ଏଠାରେ ଥିବା ଅନେକ ଆସବାବପତ୍ର ଜଳି ପାଉଁଶ ହୋଇଯାଇଛି।
ତେବେ ଏହି ଘଟଣାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିବା ବେଳେ ସେମାନଙ୍କ କୁନିକୁନି ପିଲାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି। ବିପଦସଙ୍କୁଳ ଭାବେ ପାଠପଢ଼ା ସ୍ଥାନ ନିକଟରେ ରୋଷେଇ ହେଉଥିବା ଅଭିଯୋଗ କରିଛନ୍ତି। ଏହାଦ୍ୱାରା ବହୁ ନିଷ୍ପାପ ଶିଶୁଙ୍କ ଜୀବନ ବିପଦକୁ ଠେଲି ହୋଇ ଯାଉଥିବା ଅଭିଭାବକମାନେ ଚର୍ଚ୍ଚା କରୁଛନ୍ତି। ଭବିଷ୍ୟତରେ ଯେପରିକି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପାଇଁ କଡ଼ା ପଦକ୍ଷେପ ନେବାକୁ ଦାବି କରିଛନ୍ତି।