ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ ଟ୍ୟାଙ୍କର, ରାୟଗଡ଼ା ବାଇପାସରେ ୧୦ ଘଣ୍ଟା ଯାତାୟାତ ଠପ୍

ରାୟଗଡ଼ା-କୋରାପୁଟ-ଭବାନୀପାଟଣା ରୁଟରେ ଅଟକିଲା ଭାରିଯାନ

ରାୟଗଡ଼ା: ରାୟଗଡ଼ା ବାଇପାସରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଗ୍ୟାସ୍ ଟ୍ୟାଙ୍କର। ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବା ଯୋଗୁ ୧୦ ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ହୋଇଛି। ଫଳରେ ରାୟଗଡ଼ା-ଭବାନୀପାଟଣା-ବିଶାଖାପାଟଣା-କୋରାପୁଟ ଅଭିମୁଖେ ଯାଉଥିବା ଶହ ଶହ ଭାରିଯାନ ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଥିଲେ। ୮ ଘଣ୍ଟାର ଅପରେସନ୍ ପରେ ଅପରାହଣ୍ ୩ଟାରେ ସୁରକ୍ଷିତ ଭାବେ ଗ୍ୟାସ୍ ଟ୍ୟାଙ୍କରକୁ ଉଠାଯିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।

ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିବା ଏଚପି ଗ୍ୟାସ୍ ଟ୍ୟାଙ୍କର ମଙ୍ଗଳବାର ମଧ୍ୟାହଣ୍ ୧୨ଟାରେ ରାୟଗଡ଼ା ବାଇପାସ୍ ରୋଡର ବାରିଝୋଲା ବୁଲାଣିରେ ଦୁର୍ଘଟଣାର ଶିକାର ହୋଇଥିଲା। ବୁଲାଣି ରାସ୍ତାରେ ଡ୍ରାଇଭର ଭାରସାମ୍ୟ ହରାଇବା ପରେ ଟ୍ୟାଙ୍କରଟି ଓଲଟି ପଡିଥିଲା। ଖବର ପାଇ ରାୟଗଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସତର୍କତା ଅବଲମ୍ବନ କରିବା ସହ ଗ୍ୟାସ୍ ଟ୍ୟାଙ୍କରକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପଦକ୍ଷେପ ନେଇଥିଲା। ଗ୍ୟାସ୍ ଲିକ୍ ହୋଇ ଅଘଟଣ ଘଟିବା ଆଶଙ୍କାରେ ଦୁର୍ଘଟଣାସ୍ଥଳରେ ପୁଲିସ୍ ଟିମ୍ ମୁତୟନ ସହ  ଟ୍ୟାଙ୍କର ଉପରେ ତୀକ୍ଷଣ୍ ଦୃଷ୍ଟି ରଖିଥିଲା ପୁଲିସ୍। ଏଚପି ଗ୍ୟାସ କର୍ତ୍ତୃପକ୍ଷଙ୍କୁ ପୁଲିସ୍ ଅବଗତ କରିବା ପରେ ଆଜି ସକାଳେ ବିଶାଖାପାଟଣାରୁ ଏକ ବିଶେଷଜ୍ଞ ଟିମ୍ ରାୟଗଡ଼ାରେ ପହଞ୍ଚିଥିଲେ। ଦୁର୍ଘଟଣାଗ୍ରସ୍ତ ଗ୍ୟାସ୍ ଟ୍ୟାଙ୍କରକୁ ଯାଞ୍ଚ କରିବା ପରେ ଗ୍ୟାସ୍ ଲିକ୍ ହୋଇନଥିବା ସଂପର୍କରେ ଜାଣିବାକୁ ପାଇଥିଲେ ବିଶେଷଜ୍ଞ ଟିମ୍। ବି‌ଶେଷଜ୍ଞ ଟିମର ସବୁଜ ସଙ୍କେତ ପରେ ସକାଳ ୮ଟାରୁ ପୁଲିସ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଉଦ୍ଧାର କାର୍ଯ୍ୟରେ ପୁଲିସ୍, ଅଗ୍ନିଶମ ବାହିନୀ, ବିଦ୍ୟୁତ୍ ବିଭାଗ କର୍ତ୍ତୃପକ୍ଷଙ୍କ ସମେତ ୫ଟି କ୍ରେନକୁ ସାମିଲ୍ କରାଯାଇଥିଲା। ଅତି ସତର୍କତାର ସହ କ୍ରେନ୍ ସାହାର୍ଯ୍ୟରେ ଗ୍ୟାସ୍ ଟ୍ୟାଙ୍କରକୁ ଉଠାଯାଇଥିଲା। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଉଦ୍ଧାର କାର୍ଯ୍ୟ ଅପରାହଣ୍ ୩ଟାରେ ଶେଷ ହୋଇଥିଲା।

ଉଦ୍ଧାର କାର୍ଯ୍ୟ ପାଇଁ ରାୟଗଡ଼ା ବାଇପାସରେ ଗାଡ଼ି ଚଳାଚଳକୁ ବନ୍ଦ ରଖାଯାଇଥିଲା। ଫଳରେ ବାଇପାସ୍ ସମତେ ରାୟଗଡ଼ା-କୋରାପୁଟ, ରାୟଗଡ଼ା-ବିଶାଖାପାଟଣା, ରାୟଗଡ଼ା-କୋରାପୁଟ ରୁଟରେ ଶହ ଶହ ଭାରିଯାନ ଅଟକି ରହିଥିଲା। ଶହ ଶହ ଭାରିଯାନ ରାସ୍ତା ଉପରେ ଅଟକି ରହିବା ଯୋଗୁ ଟ୍ରାଫିକ୍ ସମସ୍ୟା ଉତ୍କଟ ହୋଇଥିଲା। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ରାୟଗଡ଼ା ଥାନା ପକ୍ଷରୁ ପେଟ୍ରୋଲିଂ ଟିମକୁ ମୁତୟନ କରାଯାଇଥିଲା।  ଅଘଟଣ ଆଶଙ୍କାରେ ଉଦ୍ଧାର କାର୍ଯ୍ୟ ସମୟରେ ବିଦ୍ୟୁତ୍ ସେବାକୁ ବନ୍ଦ ରଖାଯାଇଥିଲା। ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ, ଏସଆଇ ଶିବ ସାହୁଙ୍କ ନେତୃତ୍ବରେ ପୁଲିସ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

ସମ୍ବନ୍ଧିତ ଖବର