କଟକ : ମଧୁପାଟଣା ଓଭର୍ ବ୍ରିଜ ଗଡ଼ାଣିରେ ଗତକାଲି ବିଳମ୍ବିତ ରାତିରେ ଓଲଟିି ପଡ଼ିଥିବା ଗ୍ୟାସ୍ ଟ୍ୟାଙ୍କର ଯୋଗୁଁ ପାଖାପାଖି ଚବିଶ ଘଣ୍ଟା କାଳ କଟକ-ଜଗତପୁର ରାଜପଥ ଜାମ୍ ହୋଇ ରହିଛି। ଚାରିଟି କ୍ରେନ୍କୁ ନିୟୋଜନ କରିବା ଏମିତିକି ଭୁବନେଶ୍ୱରରୁ ବଡ଼ କ୍ରେନ୍ ଆଣିବା ପରେ ଗ୍ୟାସ୍ ଟ୍ୟାଙ୍କର୍ ଆଜି ରାତି ୧୧ଟାରେ ରାସ୍ତାରୁ ହଟିଥିଲା। ଭୁବନେଶ୍ୱରରୁ ଆସିଥିବା ବଡ଼ କ୍ରେନ୍ ଅଚଳ ହୋଇ ପଡ଼ିବା ପୁଲିସ ଓ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ଗତକାଲି ରାତି ୧୨ଟାରୁ ଏଭଳି ପରିସ୍ଥିତି ଲାଗି ରହିଥିବା ବେଳେ ମଙ୍ଗୁଳି ପଟୁ ଭୁବନେଶ୍ୱର ଦିଗକୁ ଗାଡ଼ି ଚଳାଚଳ କରିପାରି ନଥିଲା। ରାସ୍ତାରେ ଶହ ଶହ ଗାଡ଼ି ଅଟକି ରହିବା ସହ ଯାତ୍ରୀମାନେ ଫସି ରହିଥିଲେ। ବିଳମ୍ବିତ ରାତିରେ କଟକରୁ ଟାଙ୍ଗୀ ପର୍ଯ୍ୟନ୍ତ ଗାଡ଼ି ପଛକୁ ପଛ ଲାଗି ଯାଇଥିଲା। କେବଳ ଭୁବନେଶ୍ୱର ପଟୁ ଜଗତପୁର ଦିଗକୁ ଗାଡ଼ି ଚଳାଚଳ ସମ୍ଭବ ହେଉଥିଲା। ଅନ୍ୟପଟେ ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହୋଇ କାଳେ କୌଣସି ପ୍ରକାର ଅଘଟଣ ଘଟିବ, ସେଥିପାଇଁ ଅଗ୍ନିଶମ ବିଭାଗ ଟ୍ୟାଙ୍କର୍ ଉପରେ ପାଣି ସ୍ପ୍ରେ କରି ଜଗି ରହିଥିଲା। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହ ଦୁଇ ପ୍ଲାଟୁନ ଫୋର୍ସ ମଧ୍ୟ ଘଟଣାସ୍ଥଳରେ ଜଗି ରହିଥିଲେ।
ସୂଚନା ଅନୁଯାୟୀ, କର୍ଣ୍ଣାଟକରୁ ୪୫ ଟନ୍ର ଏଲ୍ପିଜି ଏକ ଗାଡ଼ିରେ (କେଏ ୦୧ ଏଏଫ୍ ୫୭୮୨) ଯାଉଥିଲା । ମଧୁପାଟଣା ଓଭର୍ ବ୍ରିଜ ଉପରେ ଗତକାଲି ରାତି ପ୍ରାୟ ୧୨ଟା ବେଳେ ଗାଡ଼ିଟି ଅତିକ୍ରମ କରୁଥିବା ବେଳେ ଗଡ଼ାଣିରେ ହଠାତ୍ ନିୟନ୍ତ୍ରଣ ହରାଇ ବ୍ୟାରିକେଡ୍ ଭାଙ୍ଗି ଡାହାଣକୁ ମାଡ଼ି ଯାଇଥିଲା । ଟ୍ୟାଙ୍କର୍ ସହିତ ଗାଡ଼ି ରାସ୍ତା ମଝିରେ ଓଲଟି ପଡ଼ିଥିଲା । ଜାଇକା ପକ୍ଷରୁ ଦୁଇଟି କ୍ରେନ୍ ସାହାଯ୍ୟରେ ଟ୍ୟାଙ୍କର୍ ତଳେ ଚାପି ହୋଇ ଥିବା ଆହତ ଭୁବନେଶ୍ୱରର ଅଭୟ ମହାନ୍ତିଙ୍କୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଟ୍ୟାଙ୍କର୍ ଉଠାଇ ସମ୍ଭବପର ହୋଇନଥିଲା । ଆଜି ସକାଳେ କ୍ରେନ୍ ସାହାଯ୍ୟରେ ଗାଡ଼ିକୁ ଟ୍ୟାଙ୍କର୍ରୁ ଅଲଗା କରାଯାଇଥିଲା । କିନ୍ତୁ ଟ୍ୟାଙ୍କର୍କୁ ରାସ୍ତା ଉପରୁ ଉଠାଇ ପାରିନଥିଲେ । ଟ୍ୟାଙ୍କର୍ରେ ଥିବା ଗ୍ୟାସ୍ ବିସ୍ଫୋରଣ ହେବାର ଆଶଙ୍କା ଥିବାରୁ ଉଭୟ ବକ୍ସିବଜାର ଓ ଚାଉଳିଆଗଞ୍ଜ ଦମକଳ କେନ୍ଦ୍ରରୁ ଦୁଇଟି ଦମକଳ ଗାଡ଼ି ପହଞ୍ଚି ଟ୍ୟାଙ୍କର୍ରେ ପାଣି ସ୍ପ୍ରେ କରିଥିଲା। ଅଗ୍ନିକାଣ୍ଡକୁ ଏଡ଼ାଇବାକୁ ଏକାଧିକ ଅଗ୍ନି ନିରୋଧକ ଗ୍ୟାସ୍ ମହଜୁଦ ରଖାଯାଇଥିଲା। ଏକ ମେସିନ୍ ସହାୟତାରେ ଟ୍ୟାଙ୍କର୍ ଲିକ୍ ହୋଇଛି ନା ନାହିଁ ଯାଞ୍ଚ କରାଯାଇଥିଲା।
କେନ୍ଦ୍ରାଞ୍ଚଳ ଅଗ୍ନିଶମ ଅଧିକାରୀ ଭାବଗ୍ରାହୀ ଘଡ଼ାଇ ଏବଂ ବକ୍ସିବଜାର ଦମକଳ କେନ୍ଦ୍ରର କର୍ତ୍ତୃପକ୍ଷଙ୍କ ନେତୃତ୍ୱରେ ୧୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ପର୍ଯ୍ୟନ୍ତ ଟ୍ୟାଙ୍କର୍କୁ ଜଗି ରହିଥିଲେ। ସନ୍ଧ୍ୟାରେ ବିପିସିଏଲ୍(ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍) ପକ୍ଷରୁ ଦୁଇଟି ବଡ଼ କ୍ରେନ୍ ଭୁବନେଶ୍ୱରରୁ ଅଣାଯାଇ ଟ୍ୟାଙ୍କର ଉଠାଇବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ହାଇଡ୍ରୋଲିକ୍ ପାଇପ୍ ଫାଟି ଯିବାରୁ ଗୋଟିଏ କ୍ରେନ୍ ଅଚଳ ହୋଇ ପଡିଥିଲା। ଫଳରେ ଟ୍ୟାଙ୍କ ଉଠାଇବା ଆଉ ସମ୍ଭବ ହୋଇ ନଥିଲା। କ୍ରେନ୍କୁ ମରାମତି କରାଯାଇ ରାତି ୧୧ଟାରେ ଟ୍ୟାଙ୍କ ଉଠା ଯାଇଥିଲା। କିନ୍ତୁ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହେବାକୁ ସମସ୍ୟା ଲାଗି ରହିଥିଲା। ଅନ୍ୟପଟେ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ଦୁଇ ଦିନ ପୂର୍ବେ ଏକ ଗାଡି ଓଲଟି ରାଜପଥ ଜାମ୍ ହୋଇଥିଲା। ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାସ୍ତା ମରାମତି ନକରିବା ଏବଂ ଆପ୍ରୋଚ୍ ରୋଡ୍କୁ ନ ସୁଧାରିବା ଯୋଗୁଁ ଗୁରୁତର ସମସ୍ୟା ସୃଷ୍ଟି ହେଉଛି।