କାଳ ହେଲା ଘନ କୁହୁଡ଼ି : ଗ୍ୟାସ୍‌ ଟ୍ୟାଙ୍କର୍‌, ପୁଲିସ ଭ୍ୟାନ୍‌, ଟ୍ରକ୍‌ ଓଲଟିଲା

ଜଣେ ମୃତ, ୫ ପୁଲିସ ଗୁରୁତର

୬୦ ଜଣିଆ ଉଦ୍ଧାରକାରୀ ଦଳର ୧୧ ଘଣ୍ଟା ଅପରେସନ୍‌
୧୨ ଘଣ୍ଟା ବିଦ୍ୟୁତ ବିଚ୍ଛିନ୍ନ
ଜାତୀୟ ରାଜପଥରେ ଅଟକିଲା ହଜାର ହଜାର ଗାଡ଼ି

ଛତ୍ରପୁର/ବ୍ରହ୍ମପୁର : ଘନ କୁହୁଡ଼ି ପାଇଁ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଉପକଣ୍ଠ ଜାତୀୟ ରାଜପଥ-୧୬ ହୁମୁରି ତାମ୍ପରା ଠାରୁ ୨ ଶହ ମିଟର ମଧ୍ୟରେ ଆଜି ଘଟିଛି ୩ଟି ବଡ଼ ଦୁର୍ଘଟଣା। ଦୀର୍ଘ ସମୟ ଧରି ଘନକୁହୁଡ଼ି ରହିବା କାରଣରୁ ଏଭଳି ଦୁର୍ଘଟଣା ଘଟିଛି।

ତାମ୍ପରା ନିକଟରେ ଏଲ୍‌ପିଜି ଟ୍ୟାଙ୍କର୍‌ ଓଲଟିବା ପରେ ପରେ ସେହି ସ୍ଥାନରେ ଆଉ ଦୁଇଟି ଦୁର୍ଘଟଣା ଘଟିଥିଲା। ଏଥିରେ ଜଣେ ଟ୍ରକ୍‌ ଡ୍ରାଇଭର୍‌ଙ୍କ ମୃତ୍ୟୁ ଘଟିଛି। ୫ ଜଣ ପୁଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ୬୦ ଜଣିଆ ଉଦ୍ଧାରକାରୀ ଦଳ ଦୀର୍ଘ ୧୧ଘଣ୍ଟା ଅପରେସନ୍‌ ଚଳାଇ ଗ୍ୟାସ୍‌ ଟ୍ୟାଙ୍କର୍‌କୁ ଉଠାଇଥିଲେ। ଘଟଣା ଅନୁସାରେ, ବିଶାଖାପାଟଣାରୁ ଟ୍ୟାଙ୍କର (ଜିଜେ‌-୦୬-ଏକ୍ସଏକ୍ସ-୧୫୧୨) ଏଲ୍‌ପିଜି ଗ୍ୟାସ୍‌ ନେଇ ଜଟଣୀ ଯାଉଥିଲା। ୧୭ଟନ୍‌ର ଟ୍ୟାଙ୍କରରେ ୧୭୦୩ ଲିଟର ଗ୍ୟାସ୍‌ ଥିଲା। ଘନ କୁହୁଡ଼ି ଯୋଗୁଁ ରାସ୍ତା ଦେଖା ନଯିବାରୁ ଭୋର ପ୍ରାୟ ୫ଟା ୩୦ ସମୟରେ ଟ୍ୟାଙ୍କର୍‌ଟି ଡିଭାଇଡର୍‌ରେ ଚଢି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ, ନିପଲର୍‌ରୁ ଅଳ୍ପ ଅଳ୍ପ ଗ୍ୟାସ ଲିକ୍‌ ହେଉଥିଲା। ଏଣୁ ନିକଟବର୍ତ୍ତୀ ଇଲାକାରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ, ପରିବହନ ବିଭାଗ ଓ ପୁଲିସ ପହଞ୍ଚିଥିଲେ। ଛତ୍ରପୁର ସହର ସମେତ ଆଖପାଖ ଅଞ୍ଚଳର ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରା ଯାଇଯାଇ ଜାତୀୟ ରାଜପଥ-୧୬ରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ଟ୍ରାଫିକ ପରିଚାଳନା ଓ ସୁରକ୍ଷା ଦୃଷ୍ଟିରୁ ୩ ପ୍ଲାଟୁନ ଫୋର୍ସ ମୁତୟନ ରହିଲେ। ଛତ୍ରପୁର ଏନ୍‌ଏସି ପକ୍ଷରୁ ଲୋକଙ୍କୁ ଗ୍ୟାସ୍‌ରେ ରୋଷେଇ ନ କରିବା ଲାଗି ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଗଲା।

ଅପରାହ୍‌ଣ ୨ଟାରେ ଉଦ୍ଧାର ଅପରେସନ ଆରମ୍ଭ ହୋଇଥିଲା। ୧୧ ଘଣ୍ଟାର ଅପରେସନ୍‌ ପରେ ଓଲଟିଥିବା ଗ୍ୟାସ ଟ୍ୟାଙ୍କର‌୍‌କୁ ଉଠାଯାଇଥିଲା।

ସେହିଭଳି, ଘଟଣାସ୍ଥଳ ତଦାରଖ କରି ଫେରୁଥିବା ଗଞ୍ଜାମ ପୁଲିସର ଏକ ପିସିଆର ଭ୍ୟାନ୍‌ ସମ୍ମୁଖକୁ ଏକ ବାଇକ ପଳାଇ ଆସିବାରୁ ଭ୍ୟାନ୍‌ ଓଲଟି ୫ଜଣ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ଘଟଣାସ୍ଥଳ ଠାରୁ ୨ଶହ ମିଟର ଦୂରରେ ଏକ ପଥର ବୋଝେଇ ଟ୍ରକ୍‌ ରାସ୍ତା ପାର୍ଶ୍ବରେ ପାର୍କିଂ କରୁଥିବାବେଳେ ଓଲଟିପଡ଼ି ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥ-୧୬ରେ ୧୨ଘଣ୍ଟା ଧରି ଯାନାବହନ ଚଳାଚଳ ବନ୍ଦ ରହିଥିଲା। ଜାତୀୟ ରାଜପଥ-୧୬ର ଇଛାପୁର ଠାରୁ ବାଲୁଗାଁ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ଗାଡ଼ି ଅଟକି ରହିଥିଲା।

ସମ୍ବନ୍ଧିତ ଖବର