ବିଦ୍ରୋହୀ ପ୍ରାର୍ଥୀଙ୍କ ପାଇଁ ବିଜେପିର ଦ୍ଵାର ଖୋଲାଅଛି: ସମୀର ମହାନ୍ତି

ଭୁବନେଶ୍ବର: ବିଦ୍ରୋହୀ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ବିଜେପିର ଦ୍ଵାର ଖୋଲା ଅଛି। ଆଗାମୀ ପଦ୍ମପୁର ଉପନିର୍ବାଚନରେ ବିଜେପି ସମାନ ରଣନୀତିରେ ଓହ୍ଲାଇବ ଆଉ ବିଜୟୀ ହେବ। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଧାମନଗର ଉପନିର୍ବାଚନରେ ଦଳର ବିଜୟ ଅବସରରେ ଏହା କହିଛନ୍ତି।

ଶ୍ରୀ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ଧାମନଗର ନିର୍ବାଚନ ମଣ୍ଡଳୀ ଓଡ଼ିଶା ଇତିହାସରେ ଏକ ଇତିହାସ ସୃଷ୍ଟି କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଗତ ଦିନରେ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ଘରକୁ ଯାଇଥିଲେ ଏବଂ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଜେପିରୁ ଟିକେଟ ଦେଇ ସେହି ଦିନଠାରୁ ବିଜୟ ବାନା ଉଡାଇଥିଲେ। ସେହି ସମୟରେ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ମୋ ମା’ ଆଉ ଭଉଣୀ କେବଳ ମୋର ପରିବାର ନୁହେଁ। ବରଂ ପୁରା ଧାମନଗରବାସୀ ମୋର ପରିବାର । ଏହି ଉକ୍ତି ହି ବିଜେପିର ବିଜୟକୁ ଆହୁରି ସୁଦୃଢ କରିଛି।

ବିଜେପି ସଭାପତି ଶ୍ରୀ ମହାନ୍ତି କହିଛନ୍ତି ଯେ, ଲୋକେ ଯେଉଁ ବିକଳ୍ପ ଚାହୁଁଥିଲେ ଧାମନଗର ନିର୍ବାଚନ ମଣ୍ଡଳୀରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଲୋକ ଆଭିମୁଖ୍ୟ ଯୋଜନା ଧାମନଗର ରାଜନୀତିରେ ବିଜେପିକୁ ଜିତାଇଛି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ବିଜେପି ପ୍ରାର୍ଥୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉପରେ ଆସ୍ଥା ପ୍ରକଟ କରି ବିଜୟ ମୁକୁଟ ପିନ୍ଧାଇ ସ୍ୱର୍ଗତଃ ବିଧାୟକ ବିଷ୍ଣୁ ସେଠୀଙ୍କ ପ୍ରତି ଧାମନଗରବାସୀ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ବାବା ଆଖଣ୍ଡଳମଣୀଙ୍କ ଆର୍ଶୀବାଦ କାରଣରୁ ସୂର୍ଯ୍ୟବଂଶୀ ସୂରଜଙ୍କ ବିଜୟରେ ଗଣତନ୍ତ୍ରର ବିଜୟ ହୋଇଛି । ଏହି ବିଜୟ ଓଡିଶା ରାଜନୀତିକୁ ନୂଆ ଦିଗଦର୍ଶନ ଦେବ। ଧାମନଗର ମାଟିର ବିକାଶ ଲାଗି ସର୍ବଦା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସ୍ୱର୍ଗତଃ ବିଧାୟକ ବିଷ୍ଣୁ ସେଠୀ କାର୍ଯ୍ୟ କରି ଆସୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣ ଯୋଜନାକୁ ଏବଂ ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ ଅଧୁରା କାର୍ଯ୍ୟକୁ ଆଗେଇ ନେବା ସହ ଧାମନଗରବାସୀଙ୍କ ଆଶା ଓ ଆକାଂକ୍ଷାର ପୂରଣ ପାଇଁ ସୂର୍ଯ୍ୟବଂଶୀ ସୂରଜ ଯୋଗ୍ୟ ବୋଲି ଧାମନଗର ନିର୍ବାଚନମଣ୍ଡଳୀର ଭୋଟରମାନେ ପ୍ରମାଣିତ କରିଛନ୍ତି ।

ସମ୍ବନ୍ଧିତ ଖବର