ଗେଟ୍‌ମ୍ୟାନ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଟକିଲା ଟ୍ରେନ୍‌, ଟଳିଲା ଦୁର୍ଘଟଣା

ଭୁବନେଶ୍ୱର : ଜଣେ ଗେଟ୍‌ମ୍ୟାନ୍‌ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଆଜି ଏକ ବଡ଼ ଧରଣର ‌ଟ୍ରେନ୍‌ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଛି। ରେଳ ଧାରଣାରେ ଏକ ମଇଁଷି ପଲ ଥିବା ବେଳେ ଟ୍ରେନ୍‌ ମାଡ଼ି ଆସୁଥିବା ଦେଖି ଗେଟ୍‌ମ୍ୟାନ୍‌ ଜଣକ କିଛି ଦୂରରେ ଧାରଣାରେ ନାଲି ପତାକା ପୋତି ଦେଇଥିଲେ। ଫଳରେ ଚାଳକ ଆସନ୍ନ ବିପଦ ସମ୍ପର୍କରେ ଜାଣି ପାରି ଟ୍ରେନ୍‌ ଅଟକାଇ ଦେଇଥିଲେ। ଏଣୁ ଶହଶହ ଯାତ୍ରୀ ବିପଦରୁ ବର୍ତ୍ତି ଯାଇଥିବା ବେଳେ ମଇଁଷି ପଲ ମଧ୍ୟ ନିଶ୍ଚିତ ମୃତ୍ୟୁ ମୁହଁରୁ ବଞ୍ଚି ଯାଇଛନ୍ତି।

ଶନିବାର ମଧ୍ୟାହ୍ନ ୧୨ଟା ୫୦ ମିନିଟ୍‌ରେ ଏଭଳି ଘଟଣା‌ ଭିଏସ୍‌ଏସ୍‌ ନଗର ରେଳ ଧାରଣାରେ ଘଟିଥିଲା। ଅନଗୁଳ ଦେଇ ଯାଉଥିବା ଭୁବନେଶ୍ବର-ଆନନ୍ଦ ବିହାର ସୁପରଫାଷ୍ଟ ଏକ୍ସପ୍ରେସ୍‌ ଷ୍ଟେସନର ଭୁବନେଶ୍ବର ଦୁଇନମ୍ବର ପ୍ଲାଟ୍‌ଫର୍ମରୁ ନିର୍ଦ୍ଧାରିତ ସମୟ ଠାରୁ ୪ ମିନିଟ୍‌ ବିଳମ୍ବ ଅର୍ଥାତ୍‌ ୧୨ଟା ୪୯ ମିନିଟ୍‌ରେ ବାହାରିଥିଲା। ଭିଏସ୍‌ଏସ୍‌ ନଗର ଲେଭେଲ କ୍ରସିଂ ନିକଟରେ ପହଞ୍ଚିବା ବେଳକୁ କିଛି ଦୂରରେ ଏକ ମଇଁଷିପଲ ଟ୍ରେନ ଲାଇନ ଅତିକ୍ରମ କରୁଥିଲେ। ଏଭଳି ସ୍ଥିତିରେ ଗେଟ୍‌ମ୍ୟାନ୍‌ ଏ.କେ. ତ୍ରିପାଠୀ ନାଲି ପତାକା ପୋତି ‘ଲୋକୋ ପାଇଲଟ୍‌’କୁ ବିପଦ ସଙ୍କେତ ଦେଖାଇଥିଲେ। ଫଳରେ ଟ୍ରେନ୍‌ ଅଟକି ଯାଇଥିଲା। ମଇଁଷି ପଲ ଚାଲିଯିବାରୁ ପାଖାପାଖି ୧୬ ମିନିଟ୍‌ ପରେ ଟ୍ରେନ୍‌କୁ ଗ୍ରିନ୍‌ ସିଗ୍‌ନାଲ ମିଳିଥିଲା। ଉପସ୍ଥିତ ବୁଦ୍ଧି ଯୋଗୁଁ ଏଭଳି ଏକ ଦୁର୍ଘଟଣାକୁ ଏଡ଼ାଇ ଦେଇ ପାରିଥିବା ଶ୍ରୀ ତ୍ରିପାଠୀଙ୍କର ଏହି କାମକୁ ରେଳ ବିଭାଗ ପକ୍ଷରୁ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର