ଭୁବନେଶ୍ବର : ନଅଙ୍କ ଦୁର୍ଭିକ୍ଷ ପରେ କରୋନା ମହାମାରୀ ଭୟଙ୍କର ଭାବେ ଦେଶ ଓ ରାଜ୍ୟରେ ଦେଖାଦେଇଛି। ବିଶେଷକରି ଓଡ଼ିଶାରେ ବହୁ ଲୋକ ଏହି ମହାମାରୀ ଶିକାର ହେଲେଣି। ଏପରି ସଂକଟ ସମୟରେ ରାଜ୍ୟବାସୀ ଏକାଠି ହୁଅନ୍ତୁ। ଯାହାର ଯେଉଁ ଶକ୍ତି ଅଛି, ହୃଦୟଖୋଲି ସାହାଯ୍ୟ ଓ ସହଯୋଗ କରନ୍ତୁ। ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏକ ପ୍ରେସ୍‌ ବିବୃତି ଜରିଆରେ ନିବେଦନ କରି ରାଜ୍ୟବାସୀଙ୍କୁ ଏପରି ଆହ୍ବାନ କରିଛନ୍ତି। ନିଜର ଅସୁସ୍ଥତା ଯୋଗୁ ଏବେ ସେ ରାଜ୍ୟ ବାହାରେ ଚିକିତ୍ସାଧୀନ ଅଛନ୍ତି। କିନ୍ତୁ ମହାମାରୀ ସମୟରେ ରାଜ୍ୟର ଦୈନଦିନ ସ୍ଥିତି ଉପରେ ସେ ଖବର ନେଉଛନ୍ତି।

Advertisment

ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି, ଗ୍ରାମାଞ୍ଚଳ ସହର ପର୍ଯ୍ୟନ୍ତ ଯାହା ସବୁ ଖବର ମିଳୁଛି, ସେଥିରେ ସେ ଗଭୀର ଭାବେ ଚିନ୍ତିତ। ଓଡ଼ିଶାର ଅଧିକାଂଶ ଲୋକ ଦାରିଦ୍ର୍ୟତାରେ ଛଟପଟ ହେଉଛନ୍ତି। ଯଦି ଏହି ସମୟରେ ଆମେ ସମସ୍ତେ ମିଶି ଅଣ୍ଟା ନ ଭିଡ଼ିବା, ତାହେଲେ ଏ ଭୟାବହ ବିପତ୍ତିରୁ ନିକକୁ କିପରି ବଞ୍ଚାଇବା? ଏହି ଅବସରରେ ସରକାରଙ୍କୁ ଅନୁରୋଧ କରି ସେ କହିଛନ୍ତି, ସରକାରଙ୍କ ଯେଉଁ ଭୁଲ ପାଇଁ ନଅଙ୍କ ଦୁର୍ଭିକ୍ଷ ଦେଖାଦେଇଥିଲା ସେହିପରି ଭୁଲ ଏ ସରକାର କରିବେ ନାହିଁ। ଚାରିଆଡ଼େ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି। ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ନେଇ ସରକାର ଯେଉଁ ତଥ୍ୟ ଦେଉଛନ୍ତି, ତାହା ବାସ୍ତବତା ନୁହେଁ ବୋଲି ସେ ଅଭିଯୋଗ କରିଛନ୍ତି। ସରକାରଙ୍କ ପରିସଂଖ୍ୟାନଠାରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି ଓ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟା ବି ଅଧିକ। ଭାରତରେ କୋଭିଡ ଆକ୍ରାନ୍ତଙ୍କ ପ୍ରକୃତ ସଂଖ୍ୟା ପ୍ରକାଶ ପାଉନି ବୋଲି ବହୁ ଦେଶ ଓ ବିଦେଶର ସମ୍ବାଦ ସରବରାହ ସଂସ୍ଥା ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ବର୍ତ୍ତମାନ ସମୟରେ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଉଦ୍ୟମ କରାନଯାଉ। ଏପରି ସମୟରେ ଆମ ସମସ୍ତଙ୍କର କର୍ତ୍ତବ୍ୟ ହେଉଛି, ନିଜର ସାମର୍ଥ୍ୟ ଅନୁସାରେ ପାରୁ ପର୍ଯ୍ୟନ୍ତ ସମୟ, ଅର୍ଥ ଦେଇ ଲୋକଙ୍କ ସେବା କରିବା। କଂଗ୍ରେସ ଦଳ ତରଫରୁ କିଛିଟା କାର୍ଯ୍ୟକ୍ରମ କରାଯାଉଛି। ଆସନ୍ତା ୨୧ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଶ୍ରାଦ୍ଧ ଦିବସରେ କରୋନା ପୀଡ଼ିତଙ୍କ ପାଇଁ ବିଭିନ୍ନ୍ ସେବାକାର୍ଯ୍ୟ ଅନୁଷ୍ଠିତ ହେବ। ଏଥିରେ ଆମ୍ବୂଲାନ୍‌ସ ସେବା, ମାସ୍କ୍‌, ସାନିଟାଇଜର, ଔଷଧ ବିତରଣ, ସଂକ୍ରମିତ ଲୋକଙ୍କ ପଞ୍ଜୀକରଣ କରି ଉପଯୁକ୍ତ ସ୍ଥାନରେ ପହଞ୍ଚାଇବା, ସଂକ୍ରମିତଙ୍କ ପରିବାର ପାଇଁ ଖାଇବା ପିଇବାର ବ୍ୟବସ୍ଥା, କରୋନାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ସ୍ଥିର କରାଯାଇଛି।

ଏହି ଅବସରରେ ସେ ସମସ୍ତ କଂଗ୍ରେସ ନେତୃବୃନ୍ଦ ଓ ବନ୍ଧୁମାନଙ୍କୁ ଅନୁରୋଧ କରି କହିଛନ୍ତି, ଏଆଇସିସି ଯାହାକୁ ଯେଉଁ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ତାହା ଯେପରି ଅକ୍ଷରେ ଅକ୍ଷରେ ପାଳନ ହେବ, ସେ ଦିଗରେ ଆନ୍ତରିକତାର ସମ୍ପୃକ୍ତ ବନ୍ଧୁମାନେ କାର୍ଯ୍ୟ କରିବେ।