ରାୟଗଡ଼ା: ବିଶିଷ୍ଟ କଥାକାର ଡ.ଗୌରହରି ଦାସଙ୍କୁ ପ୍ରଥମ ରାୟଗଡ଼ା ସାହିତ୍ୟ ସମ୍ମାନ-୨୦୨୩ରେ ସମ୍ମାନିତ କରାଯିବ। ରାୟଗଡା ସାହିତ୍ୟ ମହୋତ୍ସବର ଅଧ୍ୟକ୍ଷ ଡ.ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ସମ୍ମାନ ପଛରେ ରାୟଗଡ଼ାର ଶାନ୍ତସରଳ ଅମୃତ ସନ୍ତାନମାନଙ୍କର ଡ.ଗୌରହରି ଦାସଙ୍କ ପ୍ରତି ଥିବା ଅଜସ୍ର, ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ପ୍ରତିଫଳିତ ହୋଇଛି। ରାୟଗଡ଼ା ହେଉଛି ସାହିତ୍ୟର ଅନ୍ୟ ଏକ ଅନ୍ତୁଡିଶାଳ, ଯେଉଁଠାରୁ ଅନେକ ସଫଳ ସ୍ରଷ୍ଟା ସୃଷ୍ଟି ହୋଇଛନ୍ତି। ସେମାନଙ୍କର କୃତୀକୁ ମନେପକାଇ ଆଗାମୀ ଦିନରେ ବର୍ତ୍ତମାନର କବି ଲେଖକ ଓ ଲେଖିକାମାନଙ୍କୁ ଆଗଧାଡିରେ ପହଞ୍ଚାଇବା ଏ ସାହିତ୍ୟ ମହୋତ୍ସବର ଏକ ପ୍ରୟାସ।
ଓଡ଼ିଆ ସାହିତ୍ୟରେ ଗଳ୍ପ ଓ କବିତାର ନିର୍ଦ୍ଦିଷ୍ଟ ଦିଗ ନିର୍ଣ୍ଣୟ କରି ପ୍ରତ୍ୟେକ ଲେଖକ ଓ ଲେଖିକାଙ୍କୁ ବିନ୍ଧାଣି ସଜାଇବାରେ ନେତୃତ୍ବ ନେବା ପାଇଁ ଡକ୍ଟର ଗୌରହରି ଦାସଙ୍କୁ ଆସନ୍ତା ୧୦ ତାରିଖରେ ରାୟଗଡ଼ା ସାହିତ୍ୟ ମହୋତ୍ସବରେ ଯୋଗଦେବା ପାଇଁ ସାଦର ନିମନ୍ତ୍ରଣ କରାଯାଇଛି। ଏହି ଉତ୍ସବରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ତଥା ବରିଷ୍ଠ କବି ରଂଜନ କୁମାର ଦାସ, ବିଶିଷ୍ଟ କଥାକାର ସଦାନନ୍ଦ ତ୍ରିପାଠୀ, ରବି ପଣ୍ଡା, ପ୍ରତିଧାରା ସାମଲ, କବି ରବି ଶତପଥୀ, କବି ଚକ୍ରପାଣି ପରିଚ୍ଛା ପ୍ରମୁଖ ଅତିଥି ଭାବେ ଯୋଗ ଦେବେ। ଏହା ବ୍ୟତୀତ ଓଡିଶାର ବିଭିନ୍ନ ଅଂଚଳରୁ ସାହିତ୍ୟିକମାନେ ମଧ୍ୟ ଯୋଗ ଦେବେ ବୋଲି ସଂପାଦକ ସୁଶାନ୍ତ କୁମାର ନାୟକ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/6090a3bf-403d-420a-8819-313e1d8dc494.jpeg)