ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଉଛନ୍ତି ଗୌରୀ

ଘଟଗାଁ(ଆନନ୍ଦ ଚନ୍ଦ୍ର ସିଂହ): ନିଜ କୌଳିକ ବୃତ୍ତିକୁ ଆପଣାଇ ପ୍ରଥମେ ନିଜେ ଆତ୍ମନିର୍ଭରଶୀଳ ହେବା ସହ ୩୦ରୁ ଊର୍ଦ୍ଧ୍ବ ମହିଳାଙ୍କୁ ସ୍ବାବଲମ୍ବୀ କରିଛନ୍ତି ଘଟଗାଁ ବ୍ଲକ୍‌ ସାନ୍ତରାପୁର ଗ୍ରାମର ଗୌରୀ ବେହେରା। ସେ ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରିବା ସହ ଅନ୍ୟକୁ ପ୍ରଶିକ୍ଷଣ ଦେଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ଗୌରୀ ୨୦୦୬ରୁ ବାଉଁଶରେ କୁଲା, ଡାଲା, ନାଳିଆ, ଖଇଚଲା, ଝାଙ୍କି, ଚଲା, ପାଛିଆ, ବିଞ୍ଛଣା, ଠେକା, କୁକୁଡ଼ାଘାରି, ଦଶମାଣିଆ ଆଦି ସାମଗ୍ରୀ ତିଆରି କରି ପ୍ରଥମେ ନିଜ ଗାଁ ଓ ପରେ ଢେଙ୍କିକୋଟ ସାପ୍ତାହିକ ହାଟରେ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ। ପରବର୍ତ୍ତୀ ସମୟରେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ମହିଳାମାନଙ୍କୁ ଏ ସବୁ ସାମଗ୍ରୀ ତିଆରି କରିବା ପାଇ ପ୍ରଶିକ୍ଷଣ ଦେଇ ରୋଜଗାର ବାଟ ଦେଖାଇଥିଲେ। ସେହିପରି ମହିଳାମାନଙ୍କୁ ୨୦୦୭ରେ ପ୍ରଥମଥର ପାଇଁ ଓର୍‌ମାସ୍‌ ପକ୍ଷରୁ ଥରୁଟିଏ ତାଲିମ ଦିଆଯାଇଥିଲା। ତାଲିମ ପରେ ସେମାନେ ବାଉଁଶରେ ଫୁଲଚାଙ୍ଗୁଡି, ଫୁଲଦାନୀ, ପେନ୍‌ଷ୍ଟାଣ୍ତ ଭଳି ଛୋଟଛୋଟ ସାମଗ୍ରୀ ତିଆରି କରି ସେଥିରେ ରଙ୍ଗ ଦେଇ କେନ୍ଦୁଝରରେ ବିକ୍ରି କରି ବେଶ ଭଲ ରୋଜଗାର କରିଥିଲେ। ଗୌରୀ ପ୍ରଥମେ ଗଠନ କରିଥିବା ଏସ୍‌ଏଚ୍‌ଜିର ନାମଥିଲା ଯାଜ୍ଞସେନୀ ସ୍ବୟଂ ସହାୟକ ଗୋଷ୍ଠୀ। ଏଥିପାଇଁ ପ୍ରଥମେ ୫୦ ହଜାର ଟଙ୍କା ଋଣ ମିଳିଥିଲା। ପରବର୍ତ୍ତୀ ସମୟରେ ସ୍ବର୍ଣ୍ଣ ଗ୍ରାମୀଣ ରୋଜଗାର ଯୋଜନାରେ ୨.୨୭ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିଲା। ଯେଉଁଥିରେ ସେମାନଙ୍କୁ ଏକଲକ୍ଷ ଟଙ୍କା ଛାଡ଼ ମିଳିଥିଲା। ନିର୍ଦ୍ଧାରିତ ସମୟରେ ଋଣ ପରିଶୋଧ କରି ଏହି ଗୋଷ୍ଠୀର ମହିଳାମାନେ ଭଲ ଲାଭବାନ ହୋଇଥିଲେ।

ଗୌରୀ ଗତ ଏପ୍ରିଲ ମାସରେ ଆଉ ଗୋଷ୍ଠୀ ଗଠନ କରି ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏହାର ନାମ ଉଦ୍ୟୋଗ ଗୋଷ୍ଠୀ ରହିଛି। ଏଥିରେ ତାଙ୍କ ସ‌ହ ସୁମିତ୍ରା ବେହେରା, ସୁକାନ୍ତି ବେହେରା, ଜାନକୀ ବେହେରା, ବଉଳ ବେହେରା, ଶକୁନ୍ତଳା ବେହେରା, ରେବତୀ ବେହେରା, ରଜନୀ ବେହେରା, ବୁଲି ବେହେରା, ଟୁନି ବେହେରା, ଶାନ୍ତି ବେହେରା, ସମ୍ବାରୀ ବେହେରା, ଦମୟନ୍ତୀ ବେହେରା, ସଂଜୁ ବେହେରା, ରୀନା ବେହେରା, ପୁଷ୍ପ ବେହେରା, ଲିଲି ବେହେରା, ସାରଥି ବେହେରା ଓ ରଂଜୁ ବେହେରା ପ୍ରମୁଖ ସଦସ୍ୟା ଅଛନ୍ତି। ଉତ୍ପାଦିତ ସାମଗ୍ରୀକୁ ନିକଟସ୍ଥ ଗ୍ରାମ, ସାପ୍ତାହିକ ହାଟ, ଢେଙ୍କିକୋଟ, ବାଙ୍କପାଟୁଳି, ଘଟଗାଁ ଓ ହରିଚନ୍ଦନପୁରରେ ବିକ୍ରି ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟା ମାସକୁ ୮ରୁ ୧୦ ହଜାର ଟଙ୍କା ରୋଜଗାର କରୁଛନ୍ତି ବୋଲି ଗୌରୀ କହିଛନ୍ତି। ବଜାର ବ୍ୟବସ୍ଥା ପାଇଁ ସରକାରୀ ସ୍ତରରେ ଉଦ୍ୟମ ହେଲେ ସେମାନେ ମା‌ସକୁ ୧୫ରୁ ୨୦ ହଜାର ପର୍ଯ୍ୟନ୍ତ ରୋଜଗାର କରିପାରନ୍ତେ ବୋଲି ଗୋଷ୍ଠୀର ସଦସ୍ୟାମାନେ କହିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ଓ ଋଣ ମିଳୁଥିବା ବେଳେ କମ୍‌ ସମୟରେ ଅଧିକ ଉତ୍ପାଦନ ପାଇଁ ଆଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରି ମେସିନ ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି। କିନ୍ତୁ ଏଥିପ୍ରତି ଆଦୌ ଦୃଷ୍ଟି ଦିଆଯାଉ ନାହିଁ। ସେହିପରି ଗ୍ରୁପ୍‌ରେ ୨୦ଜଣ ମହିଳା କାମ କରୁଥିବା ବେଳେ ଗୋଷ୍ଠୀ କେନ୍ଦ୍ର ନଥିବାରୁ ସମସ୍ତେ ନିଜନିଜ ଘରେ କାମ କରୁଛନ୍ତି। ଏହାଛଡ଼ା ବାଉଁଶ ସାମଗ୍ରୀ ତିଆରି ପାଇଁ କଞ୍ଚାମାଲ ବାଉଁଶର ଘୋର ଅଭାବ ଦେଖାଦେଉଛି। ଟେଣ୍ଟ ମାଲିକମାନେ ଗାଁ ଗହଳିରୁ ଅଧିକ ଦର ଦେଇ ବାଉଁଶ କିଣି ନେଉଥିବାରୁ କାରିଗରଙ୍କୁ ମିଳୁନି। ସରକାରଙ୍କ ପକ୍ଷରୁ ମହିଳାମାନେ ଏକାଠି ବସି କାମ କରିବା ଭଳି ଏକ ଗୋଷ୍ଠୀକେନ୍ଦ୍ର ନିର୍ମାଣ ସହ କଞ୍ଚାମାଲ ଯୋଗାଇ ଦିଆଗଲେ ବାଉଁଶ ସାମଗ୍ରୀ ପ୍ରସ୍ତୁତ କରୁଥିବା ମହିଳା କାରିଗରମାନେ ଉପକୃତ ହେବେ ବୋଲି ଗୌରୀ କହିଛନ୍ତି।

ସମ୍ବନ୍ଧିତ ଖବର