ବେଗୁନିଆ: ଜଣେ ଭାରତର ସର୍ବୋଚ୍ଚ ପଦରେ ଆଉ ଜଣେ ଜରିପାଲ ତଳେ। ଦିନ ଥିଲା ଗୋଟିଏ ଘରେ ଗୋଟିଏ ଜାଗାରେ ଖାଉଥିଲେ। ସୁଖଦୁଃଖ ହେଉଥିଲେ। ଆଉ ମନକୁ ଆନମନା କରୁଥିବା ପ୍ରଶ୍ନର ଉତ୍ତର ସାଙ୍ଗଠାରୁ ଖୋଜୁଥିଲେ। କିନ୍ତୁ ସମୟ ବଦଳିଲା। ଜଣେ ଭାରତର ରାଷ୍ଟ୍ରପତି ହେଲେ। ଅନ୍ୟଜଣେ ନିଜ ଭାଗ୍ୟକୁ ଆଦରି ଜରିପାଲ ତଳେ ଜୀବନ କାଟୁଛନ୍ତି। ସାଙ୍ଗକୁ ଭେଟିବାକୁ ଇଚ୍ଛା ଥିଲେ ବି ଅର୍ଥ ପ୍ରତିବନ୍ଧକ ସାଜିଛି। ସେ ହେଉଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପିଲାଦିନର ସାଙ୍ଗ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ଦୁର୍ଗାପୁର ଗ୍ରାମର ଗୌରୀ ମଲିକ।
ଗୌରୀଙ୍କ ବାପ ଘର ଖୋର୍ଦ୍ଧା ସାମନ୍ତରାୟପୁର। ସେ ଅଷ୍ଟମ ଶ୍ରେଣୀରେ ଭୁବନେଶ୍ୱର ୟୁନିଟ-୨ବାଳିକା ହାଇସ୍କୁଲରେ ପାଠ ପଢୁଥିଲେ। ସେତେବେଳେ ସେ ସ୍ପେଶାଲ ଆଦିବାସୀ ହଷ୍ଟେଲରେ ରହୁଥିଲେ। ମହାମହିମ ମଧ୍ୟ ସେହି ସ୍କୁଲରେ ପଢ଼ୁଥିଲେ। ଗୌରୀ ଯେଉଁ ହଷ୍ଟେଲ ଏବଂ ଯେଉଁ ରୁମରେ ରହୁଥିଲେ ସେହି ରୁମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରହୁଥିଲେ। ଦୁହେଁ ଏକାଠି ପାଠ ପଢୁଥିଲେ, ଖେଳୁଥିଲେ, ସାନ୍ତାଳୀ ନାଚ ମଧ୍ୟ ନାଚୁଥିଲେ। ୪ବର୍ଷ ଧରି ଏକାଠି ରହି ପାଠ ପଢିଥିଲେ ବୋଲି ଗୌରୀ ଦେବୀ କହିଛନ୍ତି।
ରାଷ୍ଟ୍ରପତି ଓଡ଼ିଶା ଆସିଲେ ତାଙ୍କ ପିଲା ବେଳର ସାଙ୍ଗଙ୍କୁ ଭେଟୁଥିବା ବେଳେ ଗୌରୀ କିନ୍ତୁ ଏଥିରୁ ବଞ୍ଚିତ। ଗୌରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଶ୍ଚେ ଭେଟିବେ ଓ ପିଲା ବେଳର ସ୍ମୃତିକୁ ବଖାଣିବେ ବୋଲି ଆଶା ରଖିଛନ୍ତି। ପ୍ରଶାସନ ପକ୍ଷରୁ ଗୌରୀଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିବା ଦିଗରେ କରାଗଲେ ସେ ଉପକୃତ ହୁଅନ୍ତେ ବୋଲି ପ୍ରକାଶ କରିଛନ୍ତି। ତେବେ ରାଷ୍ଟ୍ରପତିଙ୍କ ପିଲାବେଳର ସାଙ୍ଗ ଗୌରୀ କେବେ ମହାମହିମଙ୍କୁ ଭେଟୁଛନ୍ତି ତାହା ଦେଖିବାକୁ ବାକି ରହିଲା।