୨ ହଜାର ଲେଖାଏଁ ଦେଲେ, ୫ ବର୍ଷ ପରେ ବି କାର୍ଡ଼ କି ସୁବିଧା ମିଳିଲାନି

ଫୁଲବାଣୀ: ଶ୍ରମିକମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କାର୍ଡଧାରୀ ଶ୍ରମିକ ବି ସବୁ ପ୍ରକାର ସରକାରୀ ସୁବିଧା ପାଉଛନ୍ତି। ହେଲେ କିଛି ନିରୀହ ଶ୍ରମିକଙ୍କୁ କାର୍ଡ କରାଇ ଦେବା ପାଇଁ ଟଙ୍କା ଆଦାୟ କରାଯାଉଛି। ବର୍ଷବର୍ଷ ଧରି ଟଙ୍କା ଦେଇ ନା’ ଶ୍ରମିକ ପାଉଛନ୍ତି କାର୍ଡ କିମ୍ବା ସରକାରୀ ସୁବିଧା। ଏଭଳି ଠକାମିର ଶିକାର ହୋଇଛନ୍ତି କନ୍ଧମାଳ ଜିଲ୍ଲା ଗୋଛାପଡା ଅଞ୍ଚଳର ବହୁ ଶ୍ରମିକ ।

ଠକାମିରୁ ୱାର୍ଡମେମ୍ବର ବି ବାଦ ପଡିନାହାନ୍ତି। ଗୋଛାପଡା ୱାର୍ଡମେମ୍ବର ଟେପନା ଦିଗାଲ, କିନି ଦିଗାଲ, ଭୁଜବଳ ଦିଗାଲ ଓ ଜଗୁ କହଁରଙ୍କ ସମେତ ବହୁ ଶ୍ରମିକ କାର୍ଡ ପାଇଁ ଜଣ ପିଛା ୨ ହଜାର ଟଙ୍କା ଲେଖାଏଁ ଦେଇଛନ୍ତି। ଏହି ଟଙ୍କା ପୁଣି ଯାହାକୁ ତାହାକୁ ଦେଇନାହାନ୍ତି। ଭୋଟ ଦେଇ ଜିତାଇଥିବା ସମିତିସଭ୍ୟାଙ୍କୁ ଟଙ୍କା ଦେଇଥିବା କଥା କହିଛନ୍ତି। ୨୦୧୫ ମସିହାରୁ ଟଙ୍କା ଦେଇ ଥିଲେ ବି ଆଜି ସୁଦ୍ଧା ଶ୍ରମିକ କା‌ର୍ଡ ମିଳି ନାହିଁ। କାର୍ଡ ନ ମିଳିବାରୁ ସରକାରୀ ସୁବିଧାରୁ ବଞ୍ଚିତ ହେଉଛୁ ବୋଲି ସେମାନେ କହିଛନ୍ତି। ଏ ନେଇ ସମିତି ସଭ୍ୟା କାମନା କହଁରଙ୍କୁ ସେମାନେ ବାରମ୍ବାର ଦେଖା କରୁଛନ୍ତି। ଯଦି କାର୍ଡ ନ ହେଲା ଟଙ୍କା ଫେରାଇ ଦେବାକୁ କହୁଛନ୍ତି। ହେଲେ ନେଇଥିବା ଟଙ୍କା ଶ୍ରମ କାର୍ଯ୍ୟାଳୟରେ ଦେଇଛି ବୋଲି ସମିତି ସଭ୍ୟା କହୁଛନ୍ତି। କାର୍ଡ ପାଇଁ କିଛି ଟଙ୍କା ପଡେ ନାହିଁ। ତେଣୁ ଅଫିସରେ କାହାକୁ ଟଙ୍କା ଦେବା‌ କଥା ମିଛ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ଶୁଭଦର୍ଶିନୀ ନାୟକ କହିଛନ୍ତି।

ହେଲେ ବିଭିନ୍ନ ଶ୍ରମିକ ସଂଗଠନ କାର୍ଯ୍ୟାଳୟ ରହିଥିବାରୁ ଯଦି କେଉଁଠି ସମିତିସଭ୍ୟା କାହାକୁ ଟଙ୍କା ଦେଇ ଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଏ ନେଇ ସମିତି ସଭ୍ୟା ନିଦ୍ଧିଷ୍ଟ ଭାବେ କିଛି କହୁ ନାହାନ୍ତି। ଶ୍ରମିକ କାର୍ଡ ପାଇଁ ହିତାଧିକାରୀଙ୍କଠାରୁ ଟଙ୍କା ଆଣିଥିବା କଥାକୁ ସ୍ବୀକାର କରିଛନ୍ତି ସମିତି ସଭ୍ୟା କାମନା କହଁରା । ହେଲେ ସେ ଟଙ୍କାକୁ ହଡପ କରିଛନ୍ତି ନା‘ ‌କାହାକୁ ଦେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ୫ ବର୍ଷ ହେଲା ଟଙ୍କା ଦେଇ ନିରାଶରେ ଥିବା ଶ୍ରମିକ ହିତାଧିକାରୀ ଏନେଇ ସମିତି ସଭ୍ୟାଙ୍କ ନାଁରେ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି। କନ୍ଧମାଳରେ ୯୬ ହଜାର ୫୪୦ ଜଣ ନିର୍ମାଣ ଶ୍ରମିକ ପଂଜୀକୃତ ହୋଇଛନ୍ତି। ପଂଜୀକୃତ ନିର୍ମାଣ ଶ୍ରମିକଙ୍କ ସରକାର ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ତେଣୁ ଏହି ସୁଯୋଗରେ କାର୍ଡ କରାଇ ଦେବା ନାଁରେ ନିରୀହ ଶ୍ରମିକଙ୍କଠାରୁ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହେଉଛି। ଏ ନେଇ ପ୍ରଶାସନ ପକ୍ଷରୁ ତନାଘନା ହେବା ଜରୁରୀ ହୋଇପଡିଛି।

ସମ୍ବନ୍ଧିତ ଖବର