ଭୁବନେଶ୍ବର: ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ନିୟୋଜିତ ଥିବା ପାଚିକା-ସହାୟିକା ମାନଙ୍କ ପାଇଁ ୧୧୭.୭୩ କୋଟି ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ଏହାବାଦ୍ ପ୍ରତ୍ୟେକ ପାଚିକା ଓ ସହାୟିକାଙ୍କୁ ଶାଢ଼ି ପାଇଁ ୫୦୦ ଟଙ୍କା ଲେଖାଏ ଭତ୍ତା ମଧ୍ୟ ପ୍ରଦାନ କରାଯାଇଛି। ରାଜ୍ୟର ଏକ ଲକ୍ଷ ନଅ ହଜାର ପାଚିକାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫.୪୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭତ୍ତା ପ୍ରଦାନ ଆରମ୍ଭ କରିଥିଲେ।

Advertisment

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଛନ୍ତି ଯେ, ପିଲାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ତଥା ପୁଷ୍ଟି ନିରାପତ୍ତା ପାଇଁ ମଧ୍ୟାହ୍ନ ଭୋଜନର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ପାଚିକା ଓ ସହାୟିକାମାନେ ଏହି ଗୁରୁ ଦାୟିତ୍ୱ ବହନ କରୁଛନ୍ତି। ୫୦ ହଜାରରୁ ଅଧିକ ସ୍କୁଲରେ ୪୫ ଲକ୍ଷରୁ ଅଧିକ ପିଲା ପଢୁଛନ୍ତି। ଆପଣମାନେ ମା’ ପରି ଏ ସବୁ ପିଲାମାନଙ୍କର ଖାଇବା ଦାୟିତ୍ୱ ନେଇଛନ୍ତି। ତେଣୁ ସାରା ସମାଜ ଆପଣମାନଙ୍କ ନିକଟରେ ଋଣୀ। ପାଚିକା ଓ ସହାୟିକାମାନଙ୍କୁ ଖାଦ୍ୟ ଓ ସ୍ୱଚ୍ଛତା ସମ୍ପର୍କରେ ତାଲିମ ଦିଆଯାଇଛି। ସେମାନେ ମଧ୍ୟାହ୍ନ ଭୋଜନରେ ସ୍ୱଚ୍ଛତା ଓ ଖାଦ୍ୟ ସୁରକ୍ଷା ବଜାୟ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଥିଲେ। ୪,୭୩୦ ମିସନ ଶକ୍ତି ଗୋଷ୍ଠୀଙ୍କ ଜରିଆରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅନ୍ୟାନ୍ୟ ସବୁ ଦାୟିତ୍ୱ ପରି ଏ ଦାୟିତ୍ୱ ମଧ୍ୟ ଆପଣମାନେ ଭଲ ଭାବରେ ପାଳନ କରୁଛନ୍ତି। ମିସନ ଶକ୍ତିର ସୁନାମ ଦିନକୁ ଦିନ ବଢ଼ି ଚାଲିଛି। ମିସନ ଶକ୍ତି ଜରିଆରେ ମା’ମାନଙ୍କ ସଶକ୍ତୀକରଣ ପାଇଁ ଉଦ୍ୟମ ଜାରି ରହିବ।

୧୧୭.୭୩ କୋଟିର ଆର୍ଥିକ ସହାୟତା
ସାରା ସମାଜ ପାଚିକା, ସହାୟିକାଙ୍କ ପାଖରେ ଋଣୀ: ମୁଖ୍ୟମନ୍ତ୍ରୀ

ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଅଶ୍ୱଥି ଏସ୍. ସ୍ୱାଗତ ଭାଷଣ ଦେଇଥିଲେ। ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ନୋଡାଲ ଅଫିସର ଧନ୍ୟବାଦ ଅର୍ପଣ କରିଥିଲେ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ୫୦,୮୬୨ଟି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୫.୫୦ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି। ୪,୭୩୦ ମିସନ ଶକ୍ତି ଗୋଷ୍ଠୀର ୧.୦୯ ଲକ୍ଷ ପାଚିକା ଓ ସହାୟିକାମାନେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ସାମିଲ ଅଛନ୍ତି। ପୂର୍ବରୁ ୨୦୧୭-୧୮ ମସିହାରେ ସେମାନଙ୍କ ପାଇଁ ଶାଢ଼ି ଭତ୍ତା ବାବଦରେ ଜଣ ପିଛା ୨୫୦ ଟଙ୍କା ମଞ୍ଜୁର କରାଯାଇଥିଲା।