ଓଡ଼ଗାଁରୁ ଲୋପ ପାଇବ ଗୟଳ ବଂଶ!

ଓଡ଼ଗାଁ : ଶିକାରୀ ଓ ଶିକାର ଉପରେ ବନ ବିଭାଗର ନିୟନ୍ତ୍ରଣ ନଥିବାରୁ ବହୁ ବିରଳ ପ୍ରଜାତିର ବନ୍ୟଜନ୍ତୁଙ୍କ ବଂଶ ଲୋପ ପାଇଗଲାଣି। ଆଉ ଏବେ ଲୋପ ପାଇବାକୁ ବସିଛି ବିରଳ ଗୟଳ ବଂଶ। ବିରଳ ଗୟଳ ଭାରତର କେତେକ ପ୍ରଦେଶରେ କାଁଭାଁ ଦେଖିବାକୁ ମିଳୁଥିବା ବେଳେ ଓଡ଼ିଶାର ଶିମିଳିପାଳ ଜାତୀୟ ଉଦ୍ୟାନ ଓ ସୁନାବେଡ଼ାର ଅଭୟାରଣ୍ୟରେ ରହିଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍‌ର ଆଦିବାସୀ ଅଧ୍ୟୁଷିତ ବାଣ୍ଠପୁର ପଞ୍ଚାୟତର ସାକରଖଣ୍ଡି ଜଙ୍ଗଲରେ ଏବେ ୫୦ରୁ ଊର୍ଦ୍ଧ୍ୱ ଗୟଳ (ଇଣ୍ଡିଆନ୍‌ ଗୋର୍‌) ରହୁଛନ୍ତି। ଗୋଚ୍ଛା ସଂରକ୍ଷିତ ଜଙ୍ଗଲର ବାଣ୍ଠପୁର, ନେପାଳ, ଲାଣ୍ଡିଗିରି, ଗୋଚ୍ଛା, ତୁଲୁବି ଗାଁକୁ ଲାଗିଥିବା ସାକରଖଣ୍ଡି ଜଙ୍ଗଲରେ ଏହି ବିରଳ ଗୟଳ ରହୁଛନ୍ତି। ତେବେ ବିଗତ ୬ବର୍ଷ ମଧ୍ୟରେ ସେମାନଙ୍କ ସଂଖ୍ୟା ୪୦ ପ୍ରତିଶତ ହ୍ରାସ ପାଇଛି। ପୂର୍ବରୁ ଏଠାରେ ଶହ ଶହ ଗୟଳ ରହୁଥିବା ବେଳେ ଏହି ତୃଣଭୋଜୀ ପ୍ରାଣୀଙ୍କ ଖାଦ୍ୟାଭାବ ଓ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ତେବେ ବନ୍ୟପ୍ରାଣୀ ବିଭାଗ କିମ୍ବା ପ୍ରଶାସନର ନଜର ଏମାନଙ୍କ ଉପରେ ପଡ଼ୁନଥିବା ଚିନ୍ତାର ବିଷୟ। ଗୟଳମାନଙ୍କ ସୁରକ୍ଷା ସହ ଖାଦ୍ୟ ଉପରେ ଗୁରୁତ୍ୱ ଦିଆଯିବା ନିତାନ୍ତ ଆବଶ୍ୟକ। ଜଙ୍ଗଲ ମଧ୍ୟରେ ସେମାନେ ଖାଉଥିବା ଗଛ ଓ ଘାସ ଲଗାଯାଇ ଚରାଭୂଇଁ ସୃଷ୍ଟି କରାଯିବା ଦରକାର। ଜଙ୍ଗଲରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ମିଳୁ ନଥିବାରୁ ସେମାନେ ପାହାଡ଼ ପାଦଦେଶରେ ଥିବା ଧାନକ୍ଷେତ ଓ ପନିପରିବା ଫସଲ କ୍ଷେତ୍ରକୁ ଆସି ଫସଲ ଖାଇବା ସହିତ ନଷ୍ଟ କରି ଦେଉଛନ୍ତି। ଅନ୍ୟ ପକ୍ଷରେ ଫସଲରେ କୀଟନାଶକ ଔଷଧ ପ୍ରୟୋଗ କରାଯାଉଥିବାରୁ ଏହାକୁ ଖାଇବା ଦ୍ୱାରା ଗୟଳ ବଂଶ ବୃଦ୍ଧିରେ ବାଧକ ସାଜିଛି।

ସମ୍ବନ୍ଧିତ ଖବର