ସମ୍ବଲପୁର: ସମ୍ବଲପୁର-ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ ଠିକା ନେଇଥିବା ସଂସ୍ଥା ଗାୟତ୍ରୀ ପ୍ରୋଜେକ୍ଟସ୍ ନିର୍ମାଣ କାମ ଆରମ୍ଭ କରିବାକୁ ପୁଣି ୧୫ ଦିନ ସମୟ ମାଗିଛି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ) ଏନେଇ କିଛି ନି‌ଷ୍ପତ୍ତି ନେଇନଥିବା ବେଳେ ରାଜପଥ ନିର୍ମାଣ କାମ ନେଇ ଅନିଶ୍ଚିତତା ଜାରି ରହିଛି।

Advertisment

ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ), ସମ୍ବଲପୁର ପ୍ରକଳ୍ପ ନିର୍ଦ୍ଦେଶକ ନାଗେଶ୍ବର ରାଓ କହିଛନ୍ତି, ଗତ ୨୫ ତାରିଖ ଦିନ ଗାୟତ୍ରୀ ପ୍ରୋଜେକ୍ଟକୁ ୧୫ ଦିନ ମଧ୍ୟରେ କାମ ଆରମ୍ଭ ନକଲେ ଅନ୍ୟ ସଂସ୍ଥାକୁ ଠିକାକାମ ଦିଆଯିବ ବୋଲି ନୋଟିସ୍ ଦିଆଯାଇଥିଲା। ଏହି ନୋଟିସ୍‌ ପାଇବା ପରେ ଗାୟତ୍ରୀ ପ୍ରୋଜେକ୍ଟସ୍ ଏହାର ଉତ୍ତର ‌ରଖିଛି। କୋଭିଡ୍ ଯୋଗୁ ପାଣ୍ଠି ସମସ୍ୟା ସୃଷ୍ଟି ହୋଇଛି। ରାସ୍ତା କାମ ଆରମ୍ଭ କରିବା ପାଇଁ ଏବେ ଅର୍ଥଭାବ ରହିଛି। ପାଣ୍ଠି ଯୋଗାଡ଼ ପାଇଁ ଚେଷ୍ଟା ଚାଲିଛି। ତେଣୁ, ଆହୁରି ୧୫ ଦିନ ସମୟ ଦିଆଯିବାକୁ ଗାୟତ୍ରୀ ନିବେଦନ କରିଛି। ଏଥି ସହିତ ଆସନ୍ତାକାଲି ଠାରୁ ରେଢ଼ାଖୋଲ ଅଂଚଳରେ ରାସ୍ତା ମରାମତି କାମ ଆରମ୍ଭ କରିବ। ଠିକାସଂସ୍ଥା ଗାୟତ୍ରୀ ପ୍ରୋଜେକ୍ଟସ୍‌କୁ ଆହୁରି ସମୟ ଦିଆଯିବ ନା’ ଅନ୍ୟ କୌଣସି ସଂସ୍ଥାକୁ ଠିକା କାମ ଦିଆଯିବ, ତାହା ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀ ରାଓ କହିଛନ୍ତି।

ଉଲ୍ଳେଖଯୋଗ୍ୟ ଯେ, ଗତ ୨୦୧୬ ମସିହାରେ ଶୋଚନୀୟ ଅବସ୍ଥାରେ ଥିବା ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲଶା। ଏନ୍‌ଏଚ୍‌ଏଆଇ ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର-ଅନୁଗୁଳ ରାଜପଥକୁ ଚାରିଥାକିଆ କରିବାକୁ ନିଷ୍ପତ୍ତି ନେଇଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଅନୁଗୁଳରୁ କଟକ ରାସ୍ତା ନିର୍ମାଣ ନିମନ୍ତେ ଟେଣ୍ଡର ଆହ୍ବାନ କରାଯାଇଥିଲା। ତେବେ, ସମ୍ବଲପୁର-ଅନୁଗଳ ଏବଂ ଅନୁଗୁଳ-କଟକ ରାସ୍ତା ନିର୍ମାଣ ପାଇଁ ଏହି ଗୋଟିଏ ସଂସ୍ଥାକୁ ହିଁ ଟେଣ୍ଡର ମିଳିଥିଲା।

ସମ୍ବଲପୁର-ଅନୁଗୁଳ ରାସ୍ତା ପାଇଁ ୧୨୫୫ କୋଟି ଟଙ୍କାରେ ଗାୟତ୍ରୀ ପ୍ରଜେକ୍ଟସ୍ ଏହି ପ୍ରକଳ୍ପ ଠିକା ନେଇଥିଲା। ଇତିମଧ୍ୟରେ ଗାୟତ୍ରୀ ପ୍ରୋଜେକ୍ଟସ୍ ହାତକୁ ଏହି କାମଯିବାକୁ ୬ ବର୍ଷ ପୂରିବାକୁ ଯାଉଛି। ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ଅବଧି ସରିବା ପରେ ବି ୨/୩ ଥର ଏହାର ସଂପ୍ରସାରଣ କରାଯାଇଛି। ମାତ୍ର ଠିକା ସଂସ୍ଥା ମନ୍ଥର ଗତିରେ କାମ କରୁଛି। ପାଖାପାଖି ୫/୬ ମାସ ହେବ ରାସ୍ତା ନିର୍ମାଣ କାମ ବନ୍ଦ ପଡ଼ିଛି। କାମ ଆଗେଇ ପାରୁନାହିଁ।  ହାତୀମାନଙ୍କ ସୁରକ୍ଷିତ ଚଳାଚଳ ପାଇଁ ୧୨ଟି ଅଣ୍ଡର ପାସ୍ ନିର୍ମାଣ ଯୋଜନା ରହିଛି। ୬ ମିଟର ଉଚ୍ଚ ଓ ୫୦ ମିଟର ଚଉଡ଼ା ଥିବା ଅଣ୍ଡର ପାସ୍‌ ନିର୍ମାଣ କରାଯିବ। ଏଥିପାଇଁ ଜଂଗଲ ଓ ପରିବେଶ ମନ୍ତ୍ରଣାଳୟର ଆବଶ୍ୟକ ଅନୁମତି ବି ମିଳିସାରିଛି। ଏହା ସତ୍ତ୍ବେ ଏହି ଠିକାସଂସ୍ଥା ରାଜପଥ ନିର୍ମାଣ କାମ ଆରମ୍ଭ କରିପାରି ନାହିଁ। ରାସ୍ତାର ଅବସ୍ଥା ଶୋଚନୀୟ ଥିବାରୁ ବସ୍‌, କାର୍ ଆଦି ଯୋଗ‌େ ସମ୍ବଲପୁରରୁ ଅନୁଗୁଳ ଯିବା ପାଇଁ ପାଖାପାଖି ୪ ଘଣ୍ଟା ସମୟ ଲାଗିଛି।