ଭଞ୍ଜନଗର: ଜନ୍ମରୁ ଦୃଷ୍ଟି ବାଧିତ ଦିବ୍ୟାଙ୍ଗ କିନ୍ତୁ, ଅନ୍ୟ ମାନଙ୍କ ଠାରୁ କୌଣସି କ୍ଷେତ୍ରରେ ନୁହନ୍ତି, ସାଧରାଣ ଲୋକଙ୍କ ଠାରୁ କିଛି ଅଲଗା କରି ଦେଖାଇବା ପାଇଁ ମନରରେ ରହିଛି ଦୃଢ ଇଛା। ନିଜକୁ ଜଣେ ସଫଳ ବ୍ୟକ୍ତି ଭାବେ ପ୍ରତିଷ୍ଠା କରିବା ପାଇଁ ଅନବରତ ଚେଷ୍ଟା ମଧ୍ୟ କରୁଛନ୍ତି। ଆଉ ଦିବ୍ୟାଙ୍ଗ ହୋଇ ମଧ୍ୟ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଝାଲିଆ ଗୋଚ୍ଛା ଗ୍ରାମର ନବମ ଶ୍ରେଣୀର ଦିବ୍ୟାଙ୍ଗ ଝିଅ ଗାୟତ୍ରୀ ଗୌଡ଼ଙ୍କ ସଂର୍ଘଷର କଥା। ଶୁଣି ଶୁଣି ଭଲ ଗୀତ ଗାଇବା ସହ ସୁଯୋଗ ମିଳିଲେ ବଡ ହୋଇ ପ୍ରଶାସନିକ ଅଧିକାରୀ ହେବା ସପ୍ନ ଦେଖୁଛନ୍ତି ଗାୟତ୍ରୀ।

Advertisment

ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଝାଲିଆଗୋଚ୍ଛା ଗ୍ରାମର ପ୍ରକାଶ ଚନ୍ଦ୍ର ଗୌଡ଼ଙ୍କ ସାନଝିଅ ଗାୟତ୍ରୀ। ପିଲାଟି ଦିନରୁ ଆଖିକୁ ଜମାରୁ ଦେଖା ଯାଉନଥିବା ସହ ଶାରୀରିକ ଅକ୍ଷମତା ତାଙ୍କ ପ୍ରତିଭା ପ୍ରସ୍ଫୁଟିତ ହେବାରେ ବାଧକ ସାଜି ପାରିନାହିଁ। ସେ ଭୁବନେଶ୍ୱର ଦୃଷ୍ଟି ହୀନ ବିଦ୍ୟାଳୟରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେ୍ଳେ ମେରୁଦଣ୍ଡରେ ଅତ୍ୟଧିକ ବ୍ୟଥା ହେବା କାରଣରୁ ଦୁଇବର୍ଷ ହେଲା ଗାଁକୁ ଫେରି ଆସିଛନ୍ତି। ମନରେ ଥିବା ଅସୀମ ଇଚ୍ଛାଶକ୍ତି ତାଙ୍କୁ ଦିନେନା ଦିନେ ସଫଳତା ଦେବ ବୋଲି ଆଶାବାଦୀ ରହିଛନ୍ତି।

ଭଲ ଗୀତ ଗାଇବା ସହିତ କମେଡି ନଟିଆ ଚରିତ୍ରର ଅବିକଳ ରିମିକ କରି ବେଶ ପ୍ରଶଂସା ସାଉଁଟି ପାରିଛନ୍ତି। ଏଥିସହ ମୋବାଇଲ ଓ ଟେଲିଭିଜନରୁ ବିଭିନ୍ନ ଭଜନ ଶୁଣି ଗୀତ ଗୁଡିକୁ ମନେ ରଖି ସୁନ୍ଦର ଭାବେ ଗୀତ ଗାଇପାରୁଛନ୍ତି ସେ। ଆଗାମୀ ଦିନରେ ଉଚ୍ଚ ଶିକ୍ଷା ଗ୍ରହଣ କରି ପ୍ରଶାସନିକ ଅଧିକାରିଣୀ ହେବା ପାଈଁ ମଧ୍ୟ ମନ ବଳାଇଛନ୍ତି ସେ। ଆର୍ଥିକ ଅନଟନ ସହ ଗରୀବ ପରିସ୍ଥିତିରେ ମଧ୍ୟ ନିଜକୁ ଦୁର୍ବଳ ମଣୁ ନାହାନ୍ତି। ବାପା ପ୍ରକାଶ ଚନ୍ଦ୍ର ଗୌଡ଼ ଚାଷ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଧଳେ ପାଞ୍ଚ ପ୍ରାଣୀ କୁଟୁମ୍ବକୁ ନେଇ ସଂସାର ଚଳାଇବା ସହିତ ଝିଅ ଗାୟତ୍ରୀର ଆନୁଷଙ୍ଗିକ ସମସ୍ତ ଖର୍ଚ୍ଚ ବହନ କରିବା କଷ୍ଟ ସାଧ୍ୟ ହେଉଥିବା ପ୍ରକାଶ କରିଛନ୍ତି।

ଗାୟତ୍ରୀ ସ୍କୁଲରେ ଅନେକ ସମୟରେ ସଙ୍ଗୀତ ପ୍ରତି୍ଯୋଗୀତାରେ ଅଂଶ ଗ୍ରହଣ କରିଥିବା ବେଳେ ଭୁବନେଶ୍ୱରରେ ରହି ପାଠ ପଢୁଥିବା ସମୟରେ କିଛି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସଙ୍ଗୀତ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ମଧ୍ୟ ହୋଇଛନ୍ତି। ଗାଁ କୁ ଫେରିବା ପରେ ସତେ ଯେପରି ତାଙ୍କର ଆଶା ମଉଳିଲା ପରି ଅନୁଭବ କରୁଛନ୍ତି। ଗାୟତ୍ରୀ ଭବିଷ୍ୟତ ପାଇଁ ଦେଖିଥିବା ସପ୍ନ ପୂରଣ ପାଇଁ ଅର୍ଥ ବାଧକ ସାଜିଛି କିନ୍ତୁ ପରିବାର ଲୋକ ଗାୟତ୍ରୀର ଉତ୍ତମ ଭବିଷ୍ୟତ ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଏବଂ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆଗାମୀ ପାଠପଢାକୁ ତ୍ବରାନ୍ବିତ କରିବାକୁ ନିବେଦନ ମଧ୍ୟ କରିଛନ୍ତି।ଏଥିସହ ଗ୍ରାମବାସୀମାନେ ମଧ୍ୟ ଦିବ୍ୟାଙ୍ଗ ହୋଇ ମଧ୍ୟ ତାର ପ୍ରତିଭା ଭରପୂର ରହିଥିବାରୁ ସରକାର ତାକୁ ସହଯୋଗର ହାତ ବଢାଇବା ପାଇଁ ନିବେଦନ କରିଛନ୍ତି।