ଜିସିଟିସି ଉର୍ଜା ସୁରକ୍ଷା ସମ୍ମିଳନୀ-୨୦୨୦: କରୋନା ପରେ ସୁରକ୍ଷିତ ଓ ସ୍ବଚ୍ଛ ଉର୍ଜାକୁ ଧ୍ୟାନ ଦିଆଯିବ: ଧର୍ମେନ୍ଦ୍ର

ଚଣ୍ଡିଖୋଲ ଓ ପାଦୁରରେ ପେଟ୍ରୋଲିୟମ୍ ଭଣ୍ଡାରକୁ ବିକଶିତ କରିବାକୁ ବିଦେଶୀ କମ୍ପାନିକୁ ନିମନ୍ତ୍ରଣ

ଭୁବନେଶ୍ବର: କରୋନା ପରବର୍ତ୍ତୀ ପର୍ଯ୍ୟାୟରେ ଆମ ଦେଶର ନାଗରିକଙ୍କ ପାଇଁ ସୁରକ୍ଷିତ, ସ୍ବଚ୍ଛ, ସୁଲଭ ଓ ସ୍ଥିର ଉର୍ଜାକୁ ଅଧିକ ଧ୍ୟାନ ଦିଆଯିବ। ଭାରତର ଉର୍ଜା କମ୍ପାନିମାନେ ନୂଆ ଉପାୟରେ ଓ ନବସୃଜନ ମାଧ୍ୟମରେ ଆତ୍ମନିର୍ଭର ଭାରତ ନିର୍ମାଣ କରିବାରେ ବଡ଼ ଯୋଗଦାନ ରଖିବା ଦିଗରେ କାମ କରୁଛନ୍ତି। ଉର୍ଜା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ପଦକ୍ଷେପକୁ କାର୍ଯ୍ୟକାରୀ କରାଯିବ ଏବଂ ପ୍ରଧାନମନ୍ତ୍ରୀଙ୍କ ଉର୍ଜା ଦୂରଦୃଷ୍ଟିକୁ ଗୁରୁତ୍ବ ଦିଅଯାଇଛି ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଆଜି ଗ୍ଳୋବାଲ୍‌ କାଉଣ୍ଟର୍‌ ଟେରୋରିଜିମ୍ କାଉନ୍‌ସିଲ୍‌ ପକ୍ଷରୁ ଆୟୋଜିତ ‘ଜିସିଟିସି ଉର୍ଜା ସୁରକ୍ଷା ସମ୍ମିଳନୀ-୨୦୨୦’‌ରେ ଉଦ୍‌ବୋଧନ ଦେଇ ଶ୍ରୀ ପ୍ରଧାନ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ୨୦୨୩ ସୁଦ୍ଧା ସମସ୍ତ ରେଳ ଲାଇନ୍‌କୁ ଶତ ପ୍ରତିଶତ ବିଦ୍ୟୁତୀକରଣ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ଚାଲିଛି। ଏମ୍ଏନ୍ଆର୍‌ଆଇର କିଷାନ ଉର୍ଜା ଇଭାମ ଉତ୍‌ଥାନ ଅଧୀନ ଅଭିଯାନରେ ୧୫ ଲକ୍ଷରୁ ଅଧିକ ସୋଲାର୍‌ ପମ୍ପ୍‌ର ସ୍ଥାପନା ପାଇଁ ଲକ୍ଷ୍ୟ ରଖାଯାଇଛି। ପରିବହନ ମନ୍ତ୍ରଣାଳୟ ସିଏନ୍‌ଜିକୁ ଏକ ବିକଳ୍ପ ଇନ୍ଧନ ଭାବେ ଗ୍ରହଣ କରୁଛି ଓ ଜାହାଜ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ କୋଇଲା ଗ୍ୟାସିଫିକେସନ୍ ପ୍ରକଳ୍ପର ବିକାଶ କରି ସ୍ବଚ୍ଛ କୋଇଲା ପ୍ରଯୁକ୍ତିବିଦ୍ୟାକୁ ତ୍ବରାନ୍ବିତ କରିବା ଦିଗରେ ପଦକ୍ଷେପ ନିଆଯାଇଛି।

ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ କୋଭିଡ୍‌-୧୯ ପରବର୍ତ୍ତୀ ଦୃଶ୍ୟପଟ୍ଟରେ ବିଶ୍ବର ତୃତୀୟ ସର୍ବବୃହତ ଉର୍ଜା ଉତ୍ପାଦନକାରୀ ରାଷ୍ଟ୍ର ଭାରତ ଉର୍ଜାର ଆହ୍ବାନକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି। ବର୍ତ୍ତମାନ ଦେଶର ତୈଳ ବିପଣନ କମ୍ପାନିମାନେ ଆଫ୍ରିକା, ଉତ୍ତର ଏବଂ ଦକ୍ଷିଣ ଆମେରିକା ସମେତ ୩୦ଟି ଦେଶରୁ ଅଶୋଧିତ ତୈଳ ଆମଦାନୀ କରୁଛନ୍ତି। ହାଇଡ୍ରୋକାର୍ବନ୍ ପାଇଁ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବାକୁ ଉଦ୍ୟମ କରାଯାଉଛି। ୨୦୨୦ ଏପ୍ରିଲ୍‌ ଓ ମେ’ ମାସରେ ଅଶୋଧିତ ତୈଳର ମୂଲ୍ୟ କମ୍ ରହିବାରୁ ଏହାର ଲାଭ ଉଠାଯାଇ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ଭଣ୍ଡାରରେ ୧୬ ମିଲିଅନ୍ ବ୍ୟାରେଲ୍‌ ଅଶୋଧିତ ତୈଳ ଭର୍ତ୍ତି କରାଯାଇଛି। ଏହା ଦ୍ବାରା ସରକାରଙ୍କର ୫ ହଜାର କୋଟି ଟଙ୍କାରୁ ଅଧିକ ସଞ୍ଚୟ ହୋଇଛି। ଅଶୋଧିତ ଓ ପେଟ୍ରୋଲିୟମ୍ ଉତ୍ପାଦ ସଂରକ୍ଷଣ କ୍ଷମତାକୁ ୭୪ ଦିନର ଜାତୀୟ ବ୍ୟବହାରରୁ ୯୦ ଦିନ ପର୍ଯ୍ୟନ୍ତ ଉନ୍ନତ କରାଯାଉଛି। ପରବର୍ତ୍ତୀ ବାଣିଜ୍ୟିକ ଷ୍ଟ୍ରାଟେଜିକ୍ ରିଜର୍ଭ କାର୍ଯ୍ୟକ୍ରମରେ ଓଡ଼ିଶାର ଯାଜପୁର ଜିଲ୍ଲାର ଚଣ୍ଡଖୋଲ ଏବଂ କର୍ଣ୍ଣାଟକର ପାଦୁରରେ ନିର୍ମାଣାଧୀନ ଥିବା ୬.୫ ମିଲିଅନ୍ ମେଟ୍ରିକ୍ ଟନ୍ ଅଶୋଧିତ ‌ତୈଳ କ୍ଷମତା ବିଶିଷ୍ଟ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ଭଣ୍ଡାରକୁ ବିକଶିତ କରିବା ପାଇଁ ଦେଶୀୟ କମ୍ପାନିଙ୍କ ସହ ସାମିଲ ହେବା ପାଇଁ ଶ୍ରୀ ପ୍ରଧାନ ବିଦେଶୀ କମ୍ପାନିଗୁଡ଼ିକୁ ନିମନ୍ତଣ କରିଥିଲେ।

ଅ‌ଶୋଧିତ ତୈଳର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ ଯଥା ଘରୋଇ ତୈଳ ଓ ଗ୍ୟାସ୍‌ ଉତ୍ପାଦନରେ ବୃଦ୍ଧି, ଜୈବ ଓ ନବୀକରଣ ଉର୍ଜା ପ୍ରୋତ୍ସାହନ, ଉର୍ଜା ସଂରକ୍ଷଣ ଏବଂ ଦକ୍ଷତା, ଅଶୋଧିତ ତୈଳ ପ୍ର୍ରକ୍ରିୟାରେ ଉନ୍ନତୀକରଣ ଆଦି ରଣନୀତି ସୁପ୍ରଭାବ ପକାଇଛି। ବିଗତ ୬ ବର୍ଷ ମଧ୍ୟରେ ଭାରତର କୂଟନୈତିକ ଓ ବୈଦେଶିକ ନୀତି ଦେଶ ପାଇଁ ସହଯୋଗୀ ସାବ୍ୟସ୍ତ ହୋଇଛି। ଋଷ, ଆମେରିକା, ସାଉଦି ଆରବ ଏବଂ ୟୁଏଇ ସହିତ ଜାପାନ ଓ ଦକ୍ଷିଣ କୋରିଆ ପରି ଦେଶ ସହ ସମ୍ପର୍କ ସ୍ଥାପନ କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର