କୋଭିଡ୍‌ ଅନାଥଙ୍କୁ ମାଗଣାରେ ଇଂଜିନିୟରିଂ ପଢ଼ାଇବ ଜିଇସି

ଭୁବନେଶ୍ବର : କରୋନା ଅନାଥଙ୍କ ପାଇଁ ସହାୟତାର ହାତ ବଢ଼ାଇଛି ଗାନ୍ଧୀ ଇଞ୍ଜିନିୟରିଂ କଲେଜ(ଜିଇସି)। କରୋନାରେ ଉଭୟ ପିତା ଓ ମାତାଙ୍କୁ ହରାଇଥିବା ୧୦ଜଣ ଲେଖାଏଁ ଛାତ୍ର ଓ ଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଅର୍ଥାତ୍‌ ଟିଉସନ୍‌ ଫି’, ହଷ୍ଟେଲରେ ରହିବା ଓ ଖାଇବା ଖର୍ଚ୍ଚ କଲେଜ ବହନ କରିବ। ଏହାବ୍ୟତୀତ କରୋନାରେ ପିତା କିମ୍ବା ମାତାଙ୍କୁ ହରାଇଥିବା ଶହେଜଣ ଛାତ୍ରଛାତ୍ରୀଙ୍କୁ ବିନା ଟିଉସନ୍‌ ଫି’ରେ ପଢ଼ାଇବା ପାଇଁ ଜିଇସି କର୍ତ୍ତୃପକ୍ଷ ଏକ ସାମ୍ବାଦିକ ସମ୍ମିଳନୀ‌ରେ ଘୋଷଣା କରିଛନ୍ତି। ଶିକ୍ଷାନୁଷ୍ଠାନର ଏଭଳି ବଦାନ୍ୟତାକୁ ପିତାମାତା, ଛାତ୍ରଛାତ୍ରୀ ପ୍ରଶଂସା କରିଛନ୍ତି।

ଓଡ଼ିଶା ସରକାର ଏବଂ ଏଆଇସିଟିଇ ସ୍ବୀକୃତିକ୍ରମେ ଚଳିତବର୍ଷ ଭୁବନେଶ୍ବରର ଜିଇସିର ଆଉ ଦୁଇଟି ସହଯୋଗୀ ଅନୁଷ୍ଠାନ ଯଥା ଜିଇସି ପଲିଟେକ୍‌ନିକ୍‌ ଓ ଗାନ୍ଧୀ ବିଜନେସ୍‌ ସ୍କୁଲର ମିଶ୍ରଣ ଫଳରେ ଏହା ଏକ ବୃହତ୍‌ ଶିକ୍ଷାନୁଷ୍ଠାନରେ ପରିଣତ ହୋଇଛି। ଏହାଦ୍ବାରା ଛାତ୍ରଛାତ୍ରୀ ଏକାସଙ୍ଗରେ ଏକ ଉନ୍ନତମାନର ଶିକ୍ଷାଦାନ, ଲାବରେଟୋରି, ଲାଇବ୍ରେରି ସମେତ ନିଯୁକ୍ତି କ୍ଷେତ୍ରରେ ଉଚ୍ଚକୋଟୀର ସହଯୋଗିତା ପାଇ ପାରିବେ। ତିନୋଟି ଯାକ ଶିକ୍ଷାନୁଷ୍ଠାନ ମିଳିତ ହେବା ଦ୍ବାରା ଶିକ୍ଷା ତଥା ନିଯୁକ୍ତି କ୍ଷେତ୍ରରେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ସେବା ଯୋଗାଇପାରିବୁ ବୋଲି ଜିଇସି ଉପାଧ୍ୟକ୍ଷ ମାନସ ରଞ୍ଜନ ପଣ୍ଡା କହିଛନ୍ତି। କଲେଜର ପ୍ରଫେସର୍‌ ରଶ୍ମିରଞ୍ଜନ ପାଣିଗ୍ରାହୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର