କଙ୍କଡ଼ାହାଡ଼: ଗେଣ୍ଡାଳିଆଙ୍କୁ ନେଇ ଅଛି କେତେ କଥା, କେତେ କାହାଣୀ। ଅସନ୍ତୁଳିତ ପରିବେଶ ଓ ଜୈବ ବିବିଧତା କ୍ଷୟ ପାଇଁ ଗେଣ୍ଡାଳିଆ ପକ୍ଷୀ ଏବେ ବିଲୁପ୍ତ ପ୍ରାୟ। ଯେଉଁ ଗେଣ୍ଡାଳିଆ ପକ୍ଷୀ ଦିନେ ହଜାର ହଜାର ସଂଖ୍ୟାରେ ଗାଁ ଗହଳିରେ ଦେଖାଯାଉଥିଲେ, ଏବେ ସେମାନଙ୍କୁ ଦେଖିବା ଦୁର୍ଲଭ। ତେବେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍‌ର ଆଦିବାସୀ ଅଧ୍ୟୁଷିତ ଗଡ଼ପଳାଶୁଣି ଗାଁରେ ଗେଣ୍ଡାଳିଆଙ୍କ ବେଶ ଗହଳି ଦେଖିବାକୁ ମିଳେ। ଚାଷବାସ ଆରମ୍ଭ ସମୟରେ ଏମାନେ ସୁଦୂର ସାଇବେରିଆରୁ ଉଡ଼ିଆସନ୍ତି ଆପେ ଆପେ। ସତେ ଯେମିତି କିଏ ନିଉତା ଦେଇଛି। ଗେଣ୍ଡାଳିଆଙ୍କ କଳରବରେ ଏବେ ଗାଁ ହସିଉଠୁଛି।

Advertisment

ମୌସୁମୀ ପ୍ରଭାବରେ ଏବେ ସବୁଠି ବର୍ଷା। ଆକାଶରେ କଳାହାଣ୍ଡିଆ ମେଘ। ଚାଷବାସ ବି ଆରମ୍ଭ ହୋଇଯାଇଛି। ଠିକ୍‌ ଏତିକି ବେ‌ଳେ ଗଡ଼ପଳାଶୁଣି ଗାଁକୁ ଉଡ଼ିଆସିଛନ୍ତି ଗେଣ୍ଡାଳିଆ। ହଜାର ହଜାର ସଂଖ୍ୟାରେ ଏହି ପକ୍ଷୀ ଗାଁ ଶିବମନ୍ଦିର ପାଖରେ ଥିବା ଆମ୍ବତୋଟା ଓ ଗାଁ ମୁଣ୍ଡ ବିରାଟ ତେନ୍ତୁଳି ଗଛରେ ବସା ବାନ୍ଧିଛନ୍ତି। ସେମାନଙ୍କ କୋଳାହଳରେ ଗାଁ ପରିବେଶ ଫାଟି ଫାଡ଼ୁଛି। ଓଡ଼ିଶାର ପାରମ୍ପରିକ ଚାଷ ସହ ରହିଛି ଗେଣ୍ଡାଳିଆଙ୍କ ଗଭୀର ସମ୍ପର୍କ। ଏମାନଙ୍କ ଆଗମନରେ ଏହି ଅଞ୍ଚଳର ଚାଷୀ ଚାଷ କରିବାକୁ ପ୍ରସ୍ତୁତି ଚଳାଏ। ଜୁନ, ଜୁଲାଇ ମାସ ଆରମ୍ଭରୁ ଦୀପାବଳି ପର୍ଯ୍ୟନ୍ତ ଗଡ଼ପଳାଶୁଣି ଗାଁ ପାଲଟିଯାଏ ଗେଣ୍ଡାଳିଆଙ୍କ ଅନ୍ତୁଡ଼ିଶାଳ। ଚାଷୀଙ୍କ ମିତ୍ର ଭାବେ ପରିଚିତ ଗେଣ୍ଡାଳିଆ ଚାଷଜମିରୁ ଅଦରକାରୀ ପୋକଜୋକ ଖାଇ ତାକୁ ସୁରକ୍ଷା ଦେଇଥାନ୍ତି। ଯାହା ଚାଷ ଓ ଚାଷୀକୁ ସହାୟକ ହୋଇଥାଏ।

କାହିଁ କେଉଁ କାଳରୁ ଗାଁକୁ ଏମାନେ ଏମିତି ଆସୁଛନ୍ତି। ଏଠାରେ ପ୍ରାୟ ପାଞ୍ଚ ମାସ ପର୍ଯ୍ୟନ୍ତ ରହି ଅଣ୍ଡାରୁ ଛୁଆ ଫୁଟାଇ ପୁଣି ଫେରିଯାଆନ୍ତି ନିଜ ଅଞ୍ଚଳକୁ। ଆଉ ସେତିକି ଦିନ ପର୍ଯ୍ୟନ୍ତ ଏହି ବିଲୁପ୍ତ ପ୍ରାୟ ଗେଣ୍ଡାଳିଆଙ୍କୁ ସୁରକ୍ଷା ଦେବାପାଇଁ ଆଗେଇ ଆସନ୍ତି ଗ୍ରାମବାସୀ। ପକ୍ଷୀ ଶିକାରୀଙ୍କ ଲୋଲୁପ ଦୃଷ୍ଟିରୁ ସେମାନଙ୍କୁ ବଞ୍ଚାଇବା ଦାୟିତ୍ୱରେ ରୁହନ୍ତି ଗାଁ ଲୋକେ। ଏପରିକି ଯଦି କିଏ ଗେଣ୍ଡାଳିଆଙ୍କୁ ଶିକାର କରେ, ସେଥିପାଇଁ ୫ ହଜାର ଟଙ୍କା ଜରିମାନା ଦେବାକୁ ହୁଏ। ଗ୍ରାମବାସୀଙ୍କ ଏହି ନିଷ୍ପତ୍ତି ଗେଣ୍ଡାଳିଆଙ୍କୁ ଗଡ଼ପଳାଶୁଣିରେ ଆଜି ପର୍ଯ୍ୟନ୍ତ ସୁରକ୍ଷା ଦେଇଆସିଛି। ପରିବେଶପ୍ରେମୀ ତଥା ବାପୁଜୀ ସରକାରୀ ଉଚ୍ଚବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ବେହେରା କହିଛନ୍ତି, ଗେଣ୍ଡାଳିଆମାନେ ମୌସୁମୀ ଆଗମନରେ ଗାଁକୁ ଆସନ୍ତି। ଏମାନେ ଆସିଲେ ଭଲ ବର୍ଷା ହେବ ବୋଲି ଚାଷୀମାନଙ୍କର ବିଶ୍ବାସ ରହିଛି। ତେଣୁ ଫସଲ ଭଲ ହେବା ଆଶାରେ ଚାଷୀ ଖୁସି ହୁଏ ଓ ଏମାନଙ୍କୁ ପରିବାର ସଦସ୍ୟଙ୍କ ଭଳି ସ୍ବାଗତ କରେ। ଅନ୍ୟପଟେ ମହାବିରୋଡ୍‌ ରେଞ୍ଜ ଅଧିକାରୀ ହରେଶ ଚନ୍ଦ୍ର କିଷାନ କହିଛନ୍ତି, ବନ୍ୟପ୍ରାଣୀ ଅଧିନିୟମ ଅନୁସାରେ ଯେଉଁମାନେ ପକ୍ଷୀ ଶିକାର କରିବେ ସେମାନେ ଦଣ୍ଡିତ ହେବେ। ବନ ବିଭାଗ ପକ୍ଷରୁ ପକ୍ଷୀ ଶିକାର ନକରିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ସେ କହିଛନ୍ତି। ତେବେ ଗଡ଼ପଳାଶୁଣି ଗ୍ରାମବାସୀଙ୍କ ଗେଣ୍ଡାଳିଆ ପ୍ରୀତି ଅନ୍ୟମାନଙ୍କ ପାଇଁ ପ୍ରେରଣା କହିଲେ କିଛି ଅତ୍ୟୁକ୍ତି ହେବନାହିଁ।