କଟକ: ବିଦ୍ୟାଭାରତୀ, ଶିକ୍ଷା ବିକାଶ ସମିତି ଓଡ଼ିଶାର ପ୍ରାଦେଶିକ ସାଧାରଣ ସଭା ସରସ୍ବତୀ ବିଦ୍ୟାମନ୍ଦିର, କେଶବଧାମ କଟକଠାରେ ଉଦଯାପିତ ହୋଇଯାଇଛି।ସଂଗଠନର ପ୍ରଦେଶ ସଭାପତି ଡଃ କିଶୋର ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋପ ସମାରୋହରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟ କାରିଣୀ ସଦସ୍ୟ ସୁନୀଲପଦ ଗୋସ୍ୱାମୀ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ପ୍ରାଚୀନ ଶିକ୍ଷା ବ୍ୟବସ୍ଥାରେ ଭାରତୀୟମାନଙ୍କ ଅବଦାନ ଓ ସନାତନୀ ଶିକ୍ଷା ପ୍ରଣାଳୀକୁ ଧ୍ବଂସ କରିବା ପାଇଁ ଆକ୍ରମଣକାରୀଙ୍କର ବିଭିନ୍ନ ଷଡ଼ଯନ୍ତ୍ରକୁ ଦମନକରି ଆମ ଶିକ୍ଷା ପଦ୍ଧତିର ପୁନରୁତ୍ଥାନ କ୍ଷେତ୍ରରେ ବିଦ୍ୟାଭାରତୀର ଅବଦାନ ସଂପର୍କରେ ଆଲୋଚନା କରିଥିଲେ। ଏହି ଆନ୍ଦୋଳନରେ ଓଡ଼ିଶା ଅଗ୍ରଣୀ ଭୂମିକା ଅବଲମ୍ବନ କରୁଥିବାରୁ ଖୁସି ବ୍ୟକ୍ତ କରିଥିଲେ।

Advertisment

publive-image

ଦୀର୍ଘ ଦୁଇ ଦିନର କାର୍ଯ୍ୟକ୍ରମରେ ୮ଟି କାଳାଂଶରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇ ଚଳିତ ଶିକ୍ଷା ବର୍ଷରେ ତାହାର କ୍ରିୟାନ୍ବୟନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଯେପରି ଚାରି ଆୟାମ୍-(ବିଦ୍ବତ୍ ପରିଷଦ, ଶୋଧ,ସଂସ୍କୃତିବୋଧ ପରିଯୋଜନା,ପୂର୍ବ ଛାତ୍ର),ନୂତନ ଶିକ୍ଷାନୀତି,ଗୁଣବତ୍ତାର ବିକାଶ, ପରିବାର ପ୍ରବୋଧନ,ଜିଲ୍ଲା କେନ୍ଦ୍ର ସଶକ୍ତୀକରଣ, ବାର୍ଷିକ ଯୋଜନା, ଏ.ଟିଏଲ୍.,ଆର୍ଥିକ ବ୍ଯବସ୍ଥା ସୁପରିଚାଳନା, ବାର୍ଷିକ ବଜେଟ୍ ଓ ପତ୍ର ପତ୍ରିକା ଆଦି ବିଷୟରେ ଆଲୋଚନା କରାଯାଇ ବିକାଶନ୍ମୁଖୀ ଯୋଜନା ଓ ତା'ର କ୍ରିୟାନ୍ବୟନ ଦିଗ ପ୍ରତି ଧ୍ୟାନ ଦିଆଯାଇଥିଲା।ବିଭିନ୍ନ ସମୟରେ ଡଃ କିଶୋର ଚନ୍ଦ୍ର ମହାନ୍ତି, ଡଃ ସରୋଜ କୁମାର ହାତୀ, ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବିଶ୍ବାଳ, ଶ୍ରୀଯୁକ୍ତ ସତ୍ୟନାରାୟଣ ପଟ୍ଟନାୟକ, ଡାକ୍ତର ଲକ୍ଷ୍ମୀକାନ୍ତ ମହାରଣା, ହେମନ୍ତ କୁମାର ପାଣିଗ୍ରାହୀ ଓ ଡଃ ତରୁଲତା ଦେବୀ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ମାର୍ଗଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ସ୍ତରରୁ ଆରମ୍ଭ କରି ପ୍ରାନ୍ତ, ସମ୍ଭାଗ, ଜିଲ୍ଲା ଓ ସଂକୁଳରୁ ୩୦୦ରୁ ଉର୍ଦ୍ଧ୍ବ ପ୍ରବାସୀ କାର୍ଯ୍ୟକର୍ତ୍ତା ଓ ପୂର୍ଣ୍ଣକାଳୀନ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସରସ୍ବତୀ ବିଦ୍ୟାମନ୍ଦିର, କେଶବଧାମ, କଟକର ପରିଚାଳନା ସମିତି, ପ୍ରଧାନ ଆଚାର୍ଯ୍ୟ ଓ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।