ବଜେଟ୍‌ ଉପରେ ସାଧାରଣ ଆଲୋଚନା : ନିଯୁକ୍ତି ନାହିଁ, ଦାଦନ ସମସ୍ୟା ଉତ୍କଟ, ଋଣ ଭାର ବଢ଼ୁଛି: ବିରୋଧୀ

ଲୋକଙ୍କ ଆବଶ୍ୟକତାକୁ ଦେଖି ବଜେଟ୍‌ ପ୍ରସ୍ତୁତ ହୋଇଛି: ଶାସକ ଦଳ

ଭୁବନେଶ୍ବର : ଲୁଣଠାରୁ ଲେମ୍ବୁ, ପ୍ଲାଷ୍ଟିକ ବାଲଟି ଠାରୁ ମଗ୍‌ଟିଏ ରାଜ୍ୟରେ ଉତ୍ପାଦନ ହେଉନାହିଁ। ଦୈନଦିନ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ରାଜ୍ୟରେ ଶିକ୍ଷିତ ବେକାରୀମାନଙ୍କୁ ନିଯୁକ୍ତି ମିଳୁନି। କରୋନା ପ୍ରଭାବରେ ରାଜ୍ୟକୁ ଫେରିଥିବା ପ୍ରବାସୀମାନଙ୍କୁ କାମ ନମିଳିବାରୁ ପୁଣି ଥରେ ସେମାନେ ବାହାର ରାଜ୍ୟକୁ ଫେରିଗଲେଣି। ଦାଦନ ସମସ୍ୟା ଉତ୍କଟ ହେଲାଣି। ରାଜ୍ୟର ଋଣଭାର ୧ ଲକ୍ଷ ୫ ହଜାର କୋଟିରେ ପହଞ୍ଚିଲାଣି। ତଥାପି ସରକାର ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍‌ ଆଣି ବାହାବା ନେବାକୁ ବସିଛନ୍ତି। ୨୦୨୧-୨୨ ବଜେଟ୍‌ ଉପରେ ସାଧାରଣ ଆଲୋଚନା ଆରମ୍ଭ କରି ସରକାରଙ୍କ ଉପରେ ଏପରି ବର୍ଷିଛନ୍ତି ବିରୋଧୀ। ବିରୋଧୀଙ୍କୁ ଜବାବ ଦେଇ ଶାସକ ଦଳ କହିଛି, ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଜେଟ୍‌ ପ୍ରସ୍ତୁତ କରାଯାଇଛି। କୋଭିଡ୍‌ ମହାମାରୀରେ ଅର୍ଥନୀତି ପ୍ରଭାବିତ ହୋଇଛି ସତ କିନ୍ତୁ ନିମ୍ନଗାମୀ ହୋଇନାହିଁ।

ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ, ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ହୋଇଛି। କିନ୍ତୁ ଶିକ୍ଷିତ ଓଡ଼ିଆ ଯୁବକଯୁବତୀମାନଙ୍କୁ ସେସବୁ ଶିଳ୍ପାନୁଷ୍ଠାନରେ ଚାକିରି ମିଳୁନାହିଁ। ବଜେଟ୍‌ରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ସେଭଳି ବ୍ୟବସ୍ଥା କରାଯାଇନାହିଁ। ଚଳିତ ବର୍ଷ ୪୪ ହଜାର ୪୦୦ କୋଟି ପୁଣି ଋଣ କରିବାକୁ ସରକାର ଆକଳନ କରିଛନ୍ତି। ଦ୍ବିତୀୟ ବୃହତ ଇସ୍ପାତ ଶିଳ୍ପ ଏବେ ବି ସ୍ବପ୍ନରେ ରହିଗଲା। ଏ ସରକାର କହୁଥିଲେ ବାହାର ରାଜ୍ୟରେ ୧ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ଦାଦନ ଖଟୁଛନ୍ତି। କିନ୍ତୁ କରୋନା ସରକାରଙ୍କ ଏହି ଅସତ୍ୟକୁ ଧରା ପକାଇଦେଲା। ଖୋଦ ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି, କରୋନା ବେଳେ ପ୍ରାୟ ୧୦ ଲକ୍ଷ ପ୍ରବାସୀ ରାଜ୍ୟକୁ ଫେରିଛନ୍ତି। ମେକ୍‌ ଇନ୍‌-ଓଡ଼ିଶା କରି ରାଜ୍ୟରେ କେତେ ପୁଞ୍ଜି ଆସିଛି ସେ କଥା କେହି ଜାଣିନାହାନ୍ତି। ଜଙ୍ଗଲ ଜମିରୁ ସୁରକ୍ଷା ଦେଇପାରୁନାହାନ୍ତି। କାମ୍ପା ପାଣ୍ଠି କେନ୍ଦ୍ର ଦେଉଥିଲେ ବି ବଜେଟ୍‌ରେ କେନ୍ଦ୍ର ସରକାରଙ୍କ କଥା ଉଲ୍ଲେଖ କରିନାହାନ୍ତି। ମହାନଦୀ କୂଳେ କୂଳେ ୫ ହଜାର କୋଟି ଟଙ୍କାର ଗଛ ଲଗାଗଲା। କିନ୍ତୁ ପାଠକଙ୍କ ପରି ଦୁର୍ନୀତିଗ୍ରସ୍ତ ଅଧିକାରୀ ତାର ଫାଇଦା ଉଠାଇଲେ। ବାଲିଠାରୁ ଗୋଡ଼ି ପର୍ଯ୍ୟନ୍ତ ଲଘୁ ଖଣିଜ ପଦାର୍ଥ ଦୈନିକ ବାହାର ରାଜ୍ୟକୁ ମାଫିଆମାନେ ଚୋରାଚାଲାଣ କରୁଛନ୍ତି। ଅଥଚ ସରକାର ଓ ଜିଲ୍ଲା ପ୍ରଶାସନ ତାକୁ ଜଗିପାରୁନାହିଁ। ଯଦି ଏହାର ସଠିକ୍‌ ପରିଚାଳନା ହୁଅନ୍ତା ତାହେଲେ ସରକାର ବର୍ଷକୁ ୧୮ହଜାର କୋଟି ଟଙ୍କାର ରାଜସ୍ବ ପାଇବେ। କୃଷି ବଜେଟ୍‌ କରି ସରକାର ଡିଣ୍ଡିମ ପିଟୁଛନ୍ତି ଅଥଚ, ଚାଷୀମାନଙ୍କର ହକ୍‌ ସର୍ବନିମ୍ନ ଆବଶ୍ୟକତା ପାଇଁ କିଛି ବ୍ୟବସ୍ଥା ନାହିଁ। ନିର୍ବାଚନ ପାଇଁ କାଳିଆ ଯୋଜନା କରିଦେଲେ। ଏବେ ଭାରତ ସରକାର ପିଏମ୍‌ କିଷାନ୍ ସହାୟତା ପାଇଁ ହିତାଧିକାରୀଙ୍କ ତାଲିକା ମାଗିଲେ ବି ଦେଇପାରୁନାହାନ୍ତି। ବଜେଟ୍‌ରେ ନିଜସ୍ବ ଆୟ ବୃଦ୍ଧି ପାଇଁ ସରକାର କିଛି ବି ବ୍ୟବସ୍ଥା କରିନଥିବା ଶ୍ରୀ ନାଏକ କହିଥିଲେ।

ଶାସକ ଦଳ ସଦସ୍ୟ ଅମର ପ୍ରସାଦ ଶତପଥୀ କହିଥିଲେ, ଋଣ କରିବା ଅପରାଧ ନୁହେଁ। ବିକାଶମୂଳକ କାର୍ଯ୍ୟ ପାଇଁ ଋଣ କରିବାକୁ ପଡ଼ିବ। ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ଯେତିକି ବି ଋଣ କରିଛନ୍ତି ସେସବୁ ପୋଷଣୀୟ ସ୍ଥିତିରେ ରହିଛି। ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ନୀତି ଆୟୋଗ ପ୍ରଶଂସା କରିବା ସହିତ କେନ୍ଦ୍ର ସରକାର ମଡେଲ୍‌ ଭାବରେ ଗ୍ରହଣ କରିଥିଲେ। ଗତବର୍ଷ କୋଭିଡ ମହାମାରୀ ସତ୍ତ୍ବେ ବି ସରକାର ଚାଷୀମାନଙ୍କୁ ଆବଶ୍ୟକ ବିହନ ଓ ସାର ଯୋଗାଇବାରେ ଉଣା କରିନାହାନ୍ତି। ଯାହା ଫଳରେ ଚଳିତ ବର୍ଷ ଧାନ ଉତ୍ପାଦନ ରେକର୍ଡ଼ ଛୁଇଁଛି। ଏସବୁ ମୁଖ୍ୟମନ୍ତ୍ରୀଙ୍କର ସୁଦୂର ପ୍ରସାରୀ ଚିନ୍ତାଧାରା ଯୋଗୁ ସମ୍ଭବ ହୋଇପାରିଛି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ, କାଳିଆ ଯୋଜନା କିସ୍ତି ବାବଦରେ ୫ ହଜାର ଟଙ୍କା ଲେଖାଏଁ ପ୍ରତି ଚାଷୀଙ୍କୁ ଦେବାକୁ ସରକାର କହିଥିଲେ। କିନ୍ତୁ ନିକଟରେ ୨ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏହା ଚାଷୀମାନଙ୍କ ପ୍ରତି ଉପହାସ ଛଡ଼ା କିଛି ନୁହଁ। ବଲାଙ୍ଗୀରରେ କପାଚାଷୀ ଅଭାବି ବିକ୍ରିର ଶିକାର ହେଉଛି। ଆଞ୍ଚିଳକ ବୈଷମ୍ୟ ଦୂର ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହୋଇଥିଲା। କିନ୍ତୁ ପରିଷଦ ପାଇଁ ଏଥରକ ବଜେଟ୍‌ରେ ମାତ୍ର ୧୮୦ କୋଟି ଟଙ୍କା ଦିଆଯାଇଛି। ଏହା ସମୁଦ୍ରକୁ ଶଙ୍ଖେ ଭଳି। କେବିକେ ଯୋଜନାରେ ବି ଅଧିକ ଅର୍ଥ ବ୍ୟୟ କରାଯାଇନାହିଁ। ବଲାଙ୍ଗୀରରେ ଥିବା ଚଉଷଠି ଯୋଗିନୀ ମନ୍ଦିର ପାଇଁ ଟଙ୍କାଟିଏ ବି ବ୍ୟୟ ବରାଦ ହୋଇନାହିଁ। ୨ ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ଜଳ ସେଚନ ପାଇଁ ବଜେଟ୍‌ରେ ଯେଉଁ ଲକ୍ଷ୍ୟ ରଖିଛନ୍ତି ସେହି ଲକ୍ଷ୍ୟ ପୂରଣ ହେବ ତାକୁ ବିଶ୍ବସ ହେଉନି। କାରଣ ଅତୀତରେ ସବୁ ବ୍ଲକକୁ ୩୫% ଜଳସେଚନ ନେଇ କିପରି ବାରମ୍ବାର ସରକାର ପ୍ରତିଶ୍ରୁତି ଦେଇଥିଲେ ସେ କଥା ସମସ୍ତେ ଜାଣନ୍ତି। ବଲାଙ୍ଗୀରରେ ଏ ପର୍ଯ୍ୟନ୍ତ ମାତ୍ର ୩% ଜମିକୁ ଜଳସେଚନ ସୁବିଧା ମିଳିପାରିଛି। ଲୋୟର ସୁକତେଲ ଓ ଲୋୟର ଇନ୍ଦ୍ର ପ୍ରକଳ୍ପ କାମ କେବେ ସରିବ କେହି ଜାଣନ୍ତିନାହିଁ। ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ଏବେ ବି ୧୩୮ କିଲୋମିଟର ଲାଇନ୍‌ କାମ ବାକି ପଡ଼ିଛି। ଶ୍ରୀ ସାଲୁଜା ସରକାରଙ୍କ ସରକାରଙ୍କ ଏପରି ଗୋଟିଏ ପରେ ଗୋଟିଏ ଅବହେଳା ନେଇ ତଥ୍ୟ ରଖିଥିଲେ। ସମୟ ହୋଇଯିବାରୁ ଉପବାଚସ୍ପତି ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଆଲୋଚନାରେ ବିଜେଡି ସଦସ୍ୟ ସତ୍ୟ ନାରାୟଣ ପ୍ରଧାନ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର