ବଜେଟ୍‌ ଉପରେ ସାଧାରଣ ଆଲୋଚନା ଶେଷ

ଭୁବନେଶ୍ବର : ରାଜ୍ୟରେ କାଳିଆ ହିତାଧିକାରୀଙ୍କ ସଂଖ୍ୟା ୫୩ ଲକ୍ଷ ବୋଲି ସରକାର ହିସାବ କରିଛନ୍ତି। ଏହି ତାଲିକା ଆଧାରରେ କାଳିଆ ଟଙ୍କା ବି ନିକଟରେ ପ୍ରଦାନ କରିଥିବା ନେଇ ସରକାର ଘୋଷଣା କରିଛନ୍ତି। କିନ୍ତୁ ପିଏମ୍‌ କିଷାନ ସହାୟତା ହିତାଧିକାରୀଙ୍କ ତାଲିକା ସରକାର ଏ ପର୍ଯ୍ୟନ୍ତ କେନ୍ଦ୍ରକୁ ପଠାଇପାରିଲେ ନାହିଁ। କେବେ ଏହି ତାଲିକା ପ୍ରସ୍ତୁତ ହେବ ସେ ନେଇ ଗୃହରେ ସରକାର ସ୍ପଷ୍ଟ କରନ୍ତୁ। ଆଜି ବଜେଟ୍‌ ଉପରେ ସାଧାରଣ ଆଲୋଚନା ବେଳେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ସଦସ୍ୟମାନେ ସରକାରଙ୍କୁ ଘେରିଥିଲେ। କହିଥିଲେ, ଚାଷୀମାନଙ୍କ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ। ବଜେଟ୍‌ ଉପରେ ଅସମାପ୍ତ ଥିବା ସାଧାରଣ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ୨୦୧୯ ନିର୍ବାଚନ ପରେ କାଳିଆ ଯୋଜନା ବନ୍ଦ ହୋଇଯାଇଥିଲା। ଏବେ ପୁଣି ଥରେ ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ସରକାର ସହାୟତା ବଣ୍ଟନ କରିଛନ୍ତି।

ଆଲୋଚନାରେ ଭାଗ ନେଇ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଥିଲେ, ସରକାର ଜେଣ୍ଡର ବଜେଟ୍‌, କ୍ଲାଇମେଟ ବଜେଟ୍‌ ଦେଇ ଯେଉଁ ବାହାବା ନେଉଛନ୍ତି ସେଥିରେ କିଛି ନୂତନତା ନାହିଁ। ଜାତିସଂଘ ସଂକଳ୍ପ ଅନୁଯାୟୀ ସରକାର ସବୁ ଲୋକମାନଙ୍କର ସମଷ୍ଟିଗତ ବିକାଶ କରିବା ପାଇଁ ଏପରି ବଜେଟ୍‌ ପ୍ରସ୍ତୁତ କରିବାକୁ ବାଧ୍ୟ। ଲୋୟର ସୁକତେଲ ବାବଦରେ କେତେ ବଜେଟ୍‌ରେ ବ୍ୟୟ ବରାଦ ହୋଇଛି ଜାଣିହେଉନାହିଁ। ଏବେ ପିଏଚ୍‌ସି ଓ ସିଏଚ୍‌ସିରେ ଡାକ୍ତର ଅଭାବ ଯୋଗୁ ରୋଗୀ ସେବା ବ୍ୟାହତ ହେଉଛି। ଅର୍ଥମନ୍ତ୍ରୀ ସ୍ବାସ୍ଥ୍ୟ କ୍ଷେତ୍ର ପ୍ରତି ୧୩ ହଜାର କୋଟି ବ୍ୟବସ୍ଥା କରାଯାଇଥିବା ନେଇ କହୁଛନ୍ତି କିନ୍ତୁ ପିଏଚ୍‌ସି ଓ ସିଏଚ୍‌ସିରେ ଖାଲିପଡ଼ିଥିବା ପଦବି ପୂରଣ ପାଇଁ କିଛି ବି ବ୍ୟବସ୍ଥା କରିନାହାନ୍ତି। ବେକାରୀ ସମସ୍ୟା ଉତ୍କଟ ହେଲାଣି। ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍‌ ପ୍ରକଳ୍ପ କେବେ ସୁଦ୍ଧା ସରିବ ସେ ନେଇ ବଜେଟ୍‌ରେ କିଛି ବି ଦର୍ଶାଯାଇନି ବୋଲି ଶ୍ରୀ ମହାଲିଙ୍ଗ ପ୍ରଶ୍ନ କରିଥିଲେ।

ବିଜେଡି ବିଧାୟକ ଅଶୋକ ବଳ କହିଥିଲେ, ସମସ୍ତଙ୍କ ବିକାଶକୁ ଦୃଷ୍ଟିରେ ରଖି ସମତୁଲ ବଜେଟ୍‌ ଅର୍ଥମନ୍ତ୍ରୀ ଆଗତ କରିଛନ୍ତି। କରୋନା ମହାମାରୀ ପ୍ରଭାବରେ ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ଆର୍ଥିକ ସ୍ଥିତି ସେପରି ପ୍ରଭାବିତ ହୋଇନାହିଁ। ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି,ଵ ବିଜେଡି ବିଧାୟକ ରାଜ କିଶୋର ଦାସ, କିଶୋର ଚନ୍ଦ୍ର ନାୟକ ଓ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର