ଭୁବନେଶ୍ବର: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆର୍ସି) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ସରକାର ତାଙ୍କ ଇସ୍ତଫା ସଂକ୍ରାନ୍ତ ଅନୁରୋଧ ଗ୍ରହଣ କରିବା ସହିତ ଏହି ପଦରୁ ଶ୍ରୀ ମହାପାତ୍ରଙ୍କୁ ଅବ୍ୟାହତି ଦେଇଛନ୍ତି। ହେଲେ ତାଙ୍କୁ ତୁରନ୍ତ ନୂଆ ନିଯୁକ୍ତି ମିଳିଛି। ଏଣିକି ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ। ମାର୍ଚ୍ଚ ୧ ତାରିଖରେ ସେ ଓଇଆର୍ସି ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଥିଲେ ଓ ଦୀର୍ଘ ୮ ମାସ ଧରି ଅଧ୍ୟକ୍ଷ ଦାୟିତ୍ବ ତୁଲାଉଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍ଓ)ରୁ ମିଳିଥିବା ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ହେଉଛି, ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ଆର୍. ବାଲକ୍ରିଷ୍ଣନ୍ ଏଣିକି କେବଳ ମୁଖ୍ୟ ଉପଦେଷ୍ଟା (ସ୍ପେଶାଲ ଇନିସିଏଟିଭ୍ସ) (ମୁଖ୍ୟ ସଚିବ ପାହ୍ୟା) ଭାବେ କାର୍ଯ୍ୟ କରିବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଦାୟିତ୍ବରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବ୍ୟାହତି ଦେଇଛନ୍ତି। କେବଳ ସେତିକି ନୁହେଁ, ପୂର୍ବତନ ମୁଖ୍ୟଶାସନ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅନୁରୋଧକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗ୍ରହଣ କରିନେଇଛନ୍ତି। ଶ୍ରୀ ତ୍ରିପାଠୀଙ୍କ ଅନୁରୋଧ କ୍ରମେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଦାୟିତ୍ବରୁ ତାଙ୍କୁ ମୁକ୍ତ କରିଛନ୍ତି। ସେ ଏବେ କେବଳ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ।
ସୁରେଶ ମହାପାତ୍ର ନୂଆ ମୁଖ୍ୟ ଉପଦେଷ୍ଟା
ଓଇଆର୍ସି ଅଧ୍ୟକ୍ଷ ପଦରୁ ଇସ୍ତଫା ପରେ ନିଯୁକ୍ତି
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପଦେଷ୍ଟା ଦାୟିତ୍ବରୁ ମୁକ୍ତ ହେଲେ ବାଲକ୍ରିଷ୍ଣନ୍, ଅସିତ୍
ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏତେ ବଡ଼ ପରିବର୍ତ୍ତନକୁ ରାଜନୈତିକ ମହଲ ଗମ୍ଭୀରତାର ସହିତ ବିଚାର କରୁଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ଦାୟିତ୍ବରେ ଥିବା ଭି କାର୍ତ୍ତିକେୟନ୍ ପାଣ୍ଡିଆନ ସରକାରୀ ଚାକିରିରୁ ଇସ୍ତଫା ଦେଇଥିଲେ। କେନ୍ଦ୍ର ସରକାର ତାଙ୍କ ଇସ୍ତଫା ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ (କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା) ଭାବେ ନିଯୁକ୍ତି ଦେଇଥିଲେ। ଉଲ୍ଲେଖଥାଉକି, ଆଗକୁ ବିଦ୍ୟୁତ୍ ଶୁଳ୍କ ସଂକ୍ରାନ୍ତ ଜନଶୁଣାଣି ଥିବା ବେଳେ ଶ୍ରୀ ମହାପାତ୍ର ଆୟୋଗରୁ ଦୂରେଇଯିବା ବିଦ୍ୟୁତ୍ ବିଶେଷଜ୍ଞଙ୍କୁ ବିସ୍ମିତ କରିଛି। ଏଥିସହିତ ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ, ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।