ଭୁବନେଶ୍ବର: ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପ୍ରସ୍ତୁତି ଏବଂ ଭୋଟର ତାଲିକାର ସଂକ୍ଷିପ୍ତ ସଂଶୋଧନ ‌ସମ୍ପର୍କରେ ଭାରତ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଉପନିର୍ବାଚନ କମିସନର ଧର୍ମେନ୍ଦ୍ର ଶର୍ମା ଓ ନୀତିଶ କୁମାର ବ୍ୟାସ ରାଜ୍ୟର ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି।

Advertisment

ଏଥିରେ କୁହାଯାଇଛି ଯେ ନିର୍ବାଚନ ସମୟରେ ଯେତେ କଟକଣା, ଚେକିଂ କରାଗଲେ ବି ଟଙ୍କା, ମଦ, ନିଶାଦ୍ରବ୍ୟ ଚୋରାଚାଲାଣ ହେଉଛି। ଏହି ଚୋରା କାରବାର ‌େକଉଁ ବାଟରେ ହେଉଛି ତାହାକୁ ଜିଲ୍ଲାପାଳମାନେ ଚିହ୍ନଟ କରିବା ସହ ସେସବୁ ସ୍ଥାନରେ ଜବତକାରୀ ଦଳଗୁଡ଼ିକୁ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ନିର୍ବାଚନକୁ ଶାନ୍ତିଶୃଙ୍ଖଳା, ଅବାଧ ଓ ମୁକ୍ତ ଭାବେ ପରିଚାଳନା କରିବାକୁ ଭାରତ ନିର୍ବାଚନ ଆୟୋଗଙ୍କ ଦୁଇ ବରିଷ୍ଠ ଉପନିର୍ବାଚନ କମିସନର ଆଜି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଦୁଇଦିନିଆ ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ବରିଷ୍ଠ ଉପନିର୍ବାଚନ କମିସନରମାନଙ୍କୁ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଓ ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନର ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ।

ଜିଲ୍ଲାପାଳମାନେ ମଧ୍ୟ ଜିଲ୍ଲାସ୍ତରରେ ନେଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଦୁଇ ବରିଷ୍ଠ ଉପନିର୍ବାଚନ କମିସନର ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ତାଲିକାରେ ଯୋଗଦେବା ନିମନ୍ତେ ଫର୍ମ, ତାଲିକାରୁ ବାଦ୍‌ ଓ ତାଲିକାରୁ ତ୍ରୁଟି ସଂଶୋଧନ ନିମନ୍ତେ ଥିବା ବକେୟା ଫର୍ମଗୁଡ଼ିକୁ ଯଥାଶୀଘ୍ର ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମୟ ସୀମା ମଧ୍ୟରେ ସମାଧାନ କରିବା ଉପରେ ଗୁରୁତ୍ବ ଦେଇଥିଲେ। ଏହାବାଦ୍ ମହିଳା, ଯୁବ, ବରିଷ୍ଠ, ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗ ଏବଂ ପ୍ରାଚୀନ ଜନଜାତି ଗୋଷ୍ଠୀ (ପିଭିଟିଜି) ନିର୍ବାଚକମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି। ଭୋଟର ତାଲିକାର ଶୁଦ୍ଧତା ଦୃଷ୍ଟିରୁ ସତର୍କତାର ସହ କଷ୍ଟସାଧ୍ୟ କ୍ଷେତ୍ର ପରିଦର୍ଶନ ସହ ଭୋଟର ତାଲିକା ପରୀକ୍ଷା କରି ଯୋଗ୍ୟ ଭୋଟରଙ୍କୁ ତାଲିକାଭୁକ୍ତ ଓ ଅଯୋଗ୍ୟ ଭୋଟରଙ୍କୁ ତାଲିକାରୁ ବାଦ୍‌ ଦେବା ଉପରେ ଗୁରୁତ୍ବାରୋପ କରିଛନ୍ତି। ଏହି ଦୁଇଦିନିଆ ସମୀକ୍ଷା ବୈଠକରେ ଅତିରିକ୍ତ ଡିଜି ପୁଲିସ (ଆଇନଶୃଙ୍ଖଳା) ସଂଜୟ କୁମାର ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମା‌େନ ଉପସ୍ଥିତ ଥିଲେ।