ଜିଲ୍ଲା ବିକାଶ ପରିଷଦର ସାଧାରଣ ବୈଠକ: କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ମିଳିତ ପ୍ରୟାସ ଲୋଡ଼ା

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲାରେ କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ, ଗମନାଗମନ ଓ ଶିଳ୍ପର ବିକାଶ ଆଶାନୁରୂପ ହୋଇ ନାହିଁ। ରାଜ୍ୟର ଅର୍ଥନୈତିକ ମାନଚିତ୍ରରେ ଏବେ ବି ଜିଲ୍ଲା ପଛୁଆ ହୋଇ ରହିଛି। ଜିଲ୍ଲାର ବିକାଶ ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି। ଗତ ୧୦ ତାରିଖରେ ଲୋହିଆ ଏକାଡେମିଠାରେ ଅନୁଷ୍ଠିତ କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦର ସାଧାରଣ ପରିଷଦ ବୈଠକରେ ଯୋଗ ଦେଇ ବିଶିଷ୍ଟ ବ୍ୟକ୍ତିମ‌ାନେ ଏହି ମତ ଦେଇଛନ୍ତି। ଡାକ୍ତର ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ବିକାଶ ସମ୍ଭାବନାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। କେନ୍ଦ୍ରାପଡ଼ାର ଝୋଟ ଶିଳ୍ପକୁ ଜାତୀୟ ମାନ୍ୟତା, କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା, ମେଡିକାଲ କଲେଜ ଖୋଲିବା, କେନ୍ଦ୍ରାପଡ଼ା କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା, ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଆଦି ପ୍ରସଙ୍ଗରେ ବକ୍ତାମାନେ ଆଲୋକପାତ କରିଥିଲେ। କେନ୍ଦ୍ରାପଡ଼ାରେ ପର୍ଯ୍ୟଟନ ପାଇଁ ବ୍ୟାପକ ସୁଯୋଗ ଥିବାରୁ ୨୦୨୨କୁ ପର୍ଯ୍ୟଟନର ବର୍ଷ ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା। ଆସନ୍ତା ଅଗଷ୍ଟ ୧୧ ତାରିଖ ପୂର୍ବାହ୍ନ ୧୦ଟାରେ ଜୟଦେବ ଭବନରେ ପ୍ରଭୁ ବଳଦେବଜୀଉଙ୍କ ଜନ୍ମ ଉତ୍ସବ ପାଳନ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନାଚକ୍ର ଆୟୋଜନ କରାଯିବାକୁ ସ୍ଥିର କରାଯାଇଥିଲା।

ଏହି ଅବସରରେ ପରିଷଦର କର୍ମକର୍ତ୍ତା ମନୋନୟନ କରାଯାଇଥିଲା। ନୂଆ କର୍ମକର୍ତ୍ତାମାନେ ହେଲେ ଅଧ୍ୟକ୍ଷ ଡାକ୍ତର ମଧୁସୂଦନ ମିଶ୍ର, ଉପାଧ୍ୟକ୍ଷ ଅମ୍ବିକା ପ୍ରସାଦ ଦାସ, ମୁଖ୍ୟପାତ୍ର ତଥା ସଂଯୋଜକ ଅମୀୟ କୁମାର ମହାନ୍ତି, ସମ୍ପାଦକ ଚୌଧୁରୀ ଅମିତାଭ ଦାସ, କୋଷାଧ୍ୟକ୍ଷ ଧୀରେନ୍ଦ୍ର ସୁନ୍ଦର ଦାସ, ଯୁଗ୍ମ ସମ୍ପାଦକ ବୀରବର ଜେନା, ପ୍ରଶାନ୍ତ ସାମନ୍ତରାୟ ଓ ସ୍ମୃତିରଞ୍ଜନ ଜେନା, କାର୍ଯ୍ୟକାରୀ କମିଟି ସଭ୍ୟ ବୈଷ୍ଣବ ପ୍ରସାଦ ମହାନ୍ତି, ଦେବେନ୍ଦ୍ର ନାଥ ଜେନା, ରାମଚନ୍ଦ୍ର ଦାଶ, କୈଳାସ ଚନ୍ଦ୍ର ସାମନ୍ତରାୟ, ରମାକାନ୍ତ ଦାସ, କିଶୋର ଚନ୍ଦ୍ର ସ୍ବାଇଁ, ଶ୍ୟାମ ଭଗତ ଓ ସରୋଜ କାନୁନ୍‌ଗୋ। ଉପଦେଷ୍ଟା ମଣ୍ଡଳୀର ସଭ୍ୟମାନେ ହେଲେ ଶ୍ରୀରାମଚନ୍ଦ୍ର ଦାଶ, ସୁରେଶ ଚନ୍ଦ୍ର ମନ୍ତ୍ରୀ, ଅଲେଖ ଚନ୍ଦ୍ର ପଢ଼ିଆରୀ, ସରୋଜ କୁମାର ମହାନ୍ତି, ନିତ୍ୟାନନ୍ଦ ସାହୁ ଓ କୁଞ୍ଜବିହାରୀ ପଣ୍ଡା। ଅମୀୟ କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ କର୍ମକର୍ତ୍ତାଙ୍କ ସମେତ ସିପ୍ରା ମଲ୍ଲିକ, ଉମାକାନ୍ତ ପାତ୍ର, ଦୁର୍ଯ୍ୟୋଧନ ପରିଡ଼ା, ଅଞ୍ଜନ ଦେବତା, ମନୋରଞ୍ଜନ ମହାନ୍ତି ଓ ନୃସିଂହ ପ୍ରସାଦ ଦାସ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର