ଇନ୍ଧନ ଦରରେ ନିଆଁ, ଜଳୁଛନ୍ତି ସାଧାରଣ ଲୋକ: ନିରଞ୍ଜନ

ଭୁବନେଶ୍ୱର: ଦେଶରେ ପେଟ୍ରୋଲ, ଡିଜେଲ ଦରରେ ଏବେ ନିଆଁ ଲାଗିଛି ଏବଂ ସେହି ନିଆଁରେ ସାଧାରଣ ଲୋକ ଜଳୁଛନ୍ତି। ଅଥଚ ୬୪ ଖ୍ରୀଷ୍ଟାବ୍ଦର ରୋମ ଶାସକ ନିରୋଙ୍କ ଭଳି ବିଜେପି ସରକାରର ମୁଖ୍ୟ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଂଶୀବାଦନ କରୁଛନ୍ତି। ରାଜ୍ୟର ବିଜେଡ଼ି ସରକାର ମଧ୍ୟ ସ୍ଥାଣୁ ପାଲଟିଛନ୍ତି। ସେହି ନିଆଁ ଦୁଇ ଦଳର ଏକଚାଟିଆ ନୀତିକୁ ଜାଳିପୋଡ଼ି ଛାରଖାର କରିଦେବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଏକ ବିବୃତିରେ ସେ କହିଛନ୍ତି, ଦେଶରେ ପେଟ୍ରୋଲ, ଡିଜେଲ ଦର ଲଗାତର ଭାବେ ବୃଦ୍ଧିପାଇବାରେ ଲାଗିଛି। ଅଥଚ କେନ୍ଦ୍ର ସରକାର ତାହାକୁ ଜିଏସ୍‌ଟି ପରିସରଭୁକ୍ତ କରୁନାହାନ୍ତି। ଏଥିରୁ ଯେଉଁ ବର୍ଦ୍ଧିତ ଲାଭ ମିଳୁଛି ତାହାକୁ କେନ୍ଦ୍ରର ବିଜେପି ସରକାର ଆଗାମୀ ନିର୍ବାଚନରେ ବ୍ୟବହାର କରି ଭୋଟ କିଣିବାକୁ ଯୋଜନା କରିଛନ୍ତି। କିନ୍ତୁ ସାଧାରଣ ଜନତା କଦାପି ତାହା ହେବାକୁ ଦେବେନାହିଁ। ପେଟ୍ରୋଲ, ଡ଼ିଜେଲ ସହିତ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିଜନିତ ବୋଝ ସେମାନଙ୍କୁ ଢେର ବାଧିଲାଣି। ସେମାନେ ଏହାର ଜବାବ ଦେବେ। କର୍ଣ୍ଣାଟକରେ ସମ୍ପ୍ରତି ଅନୁଷ୍ଠିତ ପୋର ନିର୍ବାଚନ ଫଳାଫଳରୁ ତାହା ସ୍ପଷ୍ଟ ହୋଇଯାଇଛି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆନ୍ତର୍ଜାତିକ ବଜାରରେ ଅସ୍ଥିର ପରିସ୍ଥିତି ସତ୍ୱେ ତତ୍କାଳୀନ ୟୁପିଏ ସରକାର ତୈଳଦରକୁ ନିୟନ୍ତ୍ରଣ ମଧ୍ୟରେ ରଖିପାରିଥିଲେ। କିନ୍ତୁ ବର୍ତମାନର ସରକାର ତୈଳଦରକୁ ଲଗାମଛଡା ବଢିବାକୁ ଦେଇ ସେଥିରୁ ବିପୁଳ ମୁନାଫା କମାଉଛନ୍ତି। ପେଟ୍ରୋଲ ଓ ଡ଼ିଜେଲ ଉପରେ ସରକାର ନାନା ଟିକସ ଲଗାଇ ଦେଶବାସୀଙ୍କ ନିକଟରୁ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା ଠକି ନେଇସାରିଲେଣି। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ମାତ୍ରାଧିକ ହ୍ରାସ ପାଇଥିଲେ ମଧ୍ୟ ତାହା ସୁଧାରିବା ଦିଗରେ କେନ୍ଦ୍ର ସରକାର କୋଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। କେନ୍ଦ୍ରରେ କଂଗ୍ରେସ ସରକାର ସମୟରେ ସାମାନ୍ୟ କାରଣ ପାଇଁ ବିକ୍ଷୋଭ କରୁଥିବା ରାଜ୍ୟର ବିଜେଡ଼ି ସରକାର ଏବେ ଚୁପ୍‌ ହୋଇ ବିଜେପିକୁ ସମର୍ଥନ କରିଚାଲିଛନ୍ତି। ଦୁଇଦଳର ଏଭଳି ଜନମାରଣ ନୀତି ଆଉ କେତେଦିନ ଚାଲିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର