ରାଉରକେଲା: ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡିଏ) ସାଧାରଣଲୋକଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ପୁଞ୍ଜିପତିଙ୍କୁ ଗୁରୁତ୍ବ ଦେଉଛି। ପ୍ଲଟ୍‌ ହେଉ ଅବା ଦୋକାନ, ନିର୍ଦ୍ଧାରିତ ଧାର୍ଯ୍ୟ ମୂଲ୍ୟ ଉପରେ ଲଟେରି ନକରି ନିଲାମ କରି ଦିଆଯାଉଛି। ଫଳରେ ସାଧାରଣ ଲୋକଟିଏ ଦୋକାନ ଓ ପ୍ଲଟ୍‌ ପାଇବାରୁ ବଞ୍ଚିତ ହେଉଛନ୍ତି। ଗତ ୧୭ ତାରିଖରେ ଆର୍‌ଡିଏ ସମ୍ମିଳନୀ କକ୍ଷରେ ଏମିତି କିଛି ଦୋକାନ ଓ ପ୍ଲଟ୍‌ ନିଲାମ କରାଯାଇଛି। ତା’ପୁଣି ନିର୍ଦ୍ଧାରିତ ଧାର୍ଯ୍ୟ ମୂଲ୍ୟଠାରୁ ୧୦ରୁ ୧୫ ଗୁଣା ଅଧିକ ଦାମ୍‌ରେ।

Advertisment

ସିଭିଲଟାଉନସିପ୍‌ସ୍ଥ ସଞ୍ଜୟ ମାର୍କେଟ ୨୨୦ ବର୍ଗଫୁଟ୍‌ ଦୋକାନର ଧାର୍ଯ୍ୟ ମୂଲ୍ୟ ୨ ଲକ୍ଷ ୨୦ ହଜାର ରହିଥିଲା। ଏହି ଦୋକାନକୁ ପାଖାପାଖି ୩୦ ଲକ୍ଷରୁ ଅଧିକ ଟଙ୍କାରେ ନିଲାମ କରି ଦିଆଯାଇଛି। ସେମିତି ୧୩୩.୮୮ ବର୍ଗଫୁଟ ଦୋକାନ ଗୃ୍ହ ଦାମ ୧ ଲକ୍ଷ ୩୫ ହଜାର, ୨୦୬୦ ବର୍ଗଫୁଟ ଦୋକାନର ୨୦ ଲକ୍ଷ ୬୦ ହଜାର, ଛେଣ୍ଡକଲୋନି ଭିଏସ୍‌ଏସ୍‌ ମାର୍କେଟରେ ୨୧୦୩ ବର୍ଗଫୁଟ ଜାଗାକୁ ୧୧ ଲକ୍ଷ ଓ ୧୩୩୭ ବର୍ଗଫୁଟ ଜାଗାକୁ ୬ ଲକ୍ଷ ୭୦ ହଜାର ଧାର୍ଯ୍ୟ କରାଯାଇଥିଲା। ହେଲେ ଲଟେରି ପରିବର୍ତ୍ତେ ନିଲାମ କରି ପୁଞ୍ଜିପତିଙ୍କୁ ଏସବୁ ବ୍ୟବସାୟିକ ଗୃହ ଟେକି ଦିଆଯାଇଛି। ଅନୁରୂପ ଭାବେ ଭିଏସ୍‌ଏସ୍‌ ମାର୍କେଟର ୯୦ ବର୍ଗଫୁଟ ଜାଗାକୁ ୨ ଲକ୍ଷ, ୧୦୦ ବର୍ଗଫୁଟ ଜାଗାକୁ ୧ ଲକ୍ଷ, ନୂଆ ବସଷ୍ଟାଣ୍ଡରେ ୩,୮୫୪ ବର୍ଗଫୁଟ ଦୋକାନ ଗୃହକୁ ୧୯ ଲକ୍ଷ ୨୭ ହଜାର ଧାର୍ଯ୍ୟ କରାଯାଇଥିଲା। ଏଠି ମଧ୍ୟ ସେହି ସମାନ ପନ୍ଥା ଆପଣାଯାଇଛି। ଆର୍‌ଡିଏର ଏଭଳି ନିୟମକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାୟୀ ଦୋକାନ ଓ ଗୃହ ନିର୍ମାଣ ପାଇଁ ପ୍ଲଟ୍‌ ଖଣ୍ଡିଏ ପାଇବାକୁ ବର୍ଷବର୍ଷ ଧରି ଆର୍‌ଡିଏ କାର୍ଯ୍ୟାଳୟକୁ ଦୌଡୁଥିବା ବ୍ୟବସାୟୀ ଓ ସାଧାରଣ ଲୋକ ନିରାଶ ହୋଇଛନ୍ତି।

ଆର୍‌ଡିଏ ଦୋକାନ ମାଲିକ ସଂଘର ସଭାପତି ବିଜୟ କୁମାର ପ୍ରଧାନ କହିଛନ୍ତି, ଆର୍‌ଡିଏର ଲାଭଖୋର ମନୋବୃତ୍ତି କେବଳ ପୁଞ୍ଜିପତିଙ୍କୁ ସୁହାଉଛି। ଆର୍‌ଡିଏ କର୍ତ୍ତୃପକ୍ଷ ବିତ୍ତଶାଳି ଲୋକଙ୍କ ସ୍ବାର୍ଥକୁ ସଦାସର୍ବଦା ଧ୍ୟାନ ଦେଉଛନ୍ତି। ନିର୍ଦ୍ଧାରିତ ମୂଲ୍ୟ ଉପରେ ଲଟେରି ମାଧ୍ୟମରେ ବଣ୍ଟନ କରା ନଯାଇ ନିଲାମ କରିବା ଆଦୌ ଗ୍ରହଣୀୟ ନୁହେଁ। ଆର୍‌ଡିଏ ସାଧାରଣ ଲୋକଙ୍କର ନା ପୁଞ୍ଜିପତିଙ୍କ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଫୁଟ୍‌ପାଥ୍‌ରେ ଦୋକାନ କରିଥିବା ରବୀନ୍ଦ୍ର ଦାସ, ଅମୂଲ୍ୟ ମହାକୁଡ଼ ପରି ଅନେକ ଦୋକାନୀ ସେହି ସମାନ ଅଭିଯୋଗ କରିଛନ୍ତି। ଆର୍‌ଡିଏ ଏଭଳି ନିଷ୍ପତ୍ତିରୁ ଓହରି ସାଧାରଣ ଲୋକଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେବାର ଆବଶ୍ୟକ ବୋଲି ମତ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଅତୀତରେ ଏଭଳି ପ୍ଲଟ୍‌ ନିଲାମ ଉଦ୍ୟମ କରିଥିବା ଆର୍‌ଡିଏକୁ ହାଇକୋର୍ଟଙ୍କ ଝଟ୍‌କା ଲାଗିସାରିଛି। ଅଦାଲତଙ୍କ ହସ୍ତକ୍ଷେପ ପରେ ଆର୍‌ଡିଏ କର୍ତ୍ତୃପକ୍ଷ ପୂର୍ବରୁ ନିଲାମ ପ୍ରକ୍ରିୟା ବାତିଲ କରିଥିଲେ। ସେତେବେଳେ ଆର୍‌ଡିଏ ସିଭିଲଟାଉନସିପ୍‌ରେ ୪୬ଟି ପ୍ଲଟ୍‌ ନିଲାମ କରି ବଡ଼ବଡ଼ିଆ ଓ ବିଲ୍‌ଡରଙ୍କ ହାତକୁ ଟେକିଦେବାକୁ ଯୋଜନା କରିଥିଲା। ସେଥିପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ସିଭିଲଟାଉନସିପ୍‌ରେ ୩୭୫୦ ବର୍ଗଫୁଟ୍‌କୁ ୧ କୋଟି ୨୯ ଲକ୍ଷ ଟଙ୍କା ମୂଲ୍ୟ ରଖା ଯାଇଥିଲା। ଯେଉଁମାନେ ନିଲାମ ଜରିଆରେ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଦେଇପାରିବେ, ପ୍ଲଟ୍‌ ସେମାନଙ୍କୁ ଦେବାକୁ ନିଷ୍ପତ୍ତି ହୋଇଥିଲା। ​କିନ୍ତୁ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଆର୍‌ଡିଏ ଏହି ନିଷ୍ପତ୍ତି ବାତିଲ କରିଥିଲା। ସହରରେ ଆଜିକୁ ପ୍ରାୟ ୩୦ ବର୍ଷ ହେବ ଆର୍‌ଡିଏ ଆବାସ ତିଆରି ପାଇଁ ଖଣ୍ଡିଏ ବି ପ୍ଲଟ ଆବଣ୍ଟନ କରିନାହିଁ। ସାଧାରଣ ଲୋକଙ୍କୁ ୨୦ ହଜାର ପ୍ଲଟ୍ ଯୋଗାଇ ଦେବାଲାଗି ଆର୍‌ଡିଏର ପୁରୁଣା ପ୍ରତିଶ୍ରୁତି ପାଣିରଗାର ହୋଇ ରହିଯାଇଛି।