ଦବିଲା ଗେଙ୍ଗୁଟି ନଦୀବନ୍ଧ

ଧାମନଗର : ବନ୍ୟା ପ୍ରବଣ ଧାମନଗର ବ୍ଲକରେ ଗୋଟିଏ ପରେ ଗୋଟିଏ ନଦୀବନ୍ଧ ଧସିବାରେ ଲାଗିଛି । କୋଚିଳା ନଦୀବନ୍ଧ ଧସିବାର ଦିନ କେଇଟା ପରେ ଆଜି ଗେଙ୍ଗୁଟି ଡାହାଣପାର୍ଶ୍ୱ ବନ୍ଧ ଧସି ବଡ ଧରଣର ଫାଟ ଦେଖାଦେଇଛି । ଭଦ୍ରକ-ଆଖଣ୍ଡଳମଣୀ ରାଜ୍ୟ ରାଜପଥର ଧୂଷୁରୀ ନିକଟସ୍ଥ ପତ୍ରିସାହି ଠାରେ ଆଜି ଗେଙ୍ଗୁଟି ନଦୀବନ୍ଧରେ ଫାଟ ସୃଷ୍ଟି ହୋଇଛି। ଦୁର୍ବଳ ନଦୀବନ୍ଧ କାର୍ଯ୍ୟ ହେତୁ ଏଭଳି ସ୍ଥିତି ଉପୁଜିିଛି । କୋଟି କୋଟି ଟଙ୍କା ବ୍ୟୟରେ ଧାମନଗର ବ୍ଲକରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ନଦୀ ବନ୍ଧ ସୁଦୃଢୀକରଣ ଯୋଜନାର ବାସ୍ତବତା ପ୍ରତି ଆଜିର ଘଟଣା ପ୍ରଶ୍ନବାଚୀ ଛିଡା କରିଛି ।

ଗେଙ୍ଗୁଟି ନଦୀର ପତ୍ରିସାହି ଠାରେ ଦକ୍ଷିଣପାର୍ଶ୍ୱ କୂଳବନ୍ଧ ଆଜି ହଠାତ ଧସି ଯାଇଥିଲା । ଧସିଥିବା ସ୍ଥାନ ପଥର ପ୍ୟାକିଂ କରାଯାଇଥିଲେ ମଧ୍ୟ ପାଖାପାଖି ୮୦ରୁ ୯୦ ମିଟର ଆଡିବନ୍ଧରେ ବଡ ଧରଣର ଫାଟ ସୃଷ୍ଟି ହେବା ସହ ଦୁଇ ଫୁଟରୁ ଅଧିକ ନଦୀ ଆଡକୁ ଦବି ଯାଇଛି । ନଦୀ ସଂସ୍କାର ସମୟରେ ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ନଦୀଶଯ୍ୟାକୁ ଖୋଳି ଦେଇଥିଲେ । ପରବର୍ତ୍ତୀ ସମୟରେ ନଦୀ ଗର୍ଭରୁ ବାହାରିଥିବା ମାଟିକୁ ଉପର ଠାଉରିଆ ଭାବେ ବନ୍ଧ ଉପରେ ପକାଇ ଦେବା ସହ ପଥର ପ୍ୟାକିଂ କରିଥିଲେ । ଏହି କାମ ବେଳେ ସ୍ଥାନୀୟ ଲୋକେ ବିପଦ ଆଶଙ୍କା କରି ନଦୀରେ ଓ୍ଵାଲ କରିବା ସହ ବନ୍ଧକୁ ଦୃଢ କରିବାକୁ ଦାବି କରିଥିଲେ। କିନ୍ତୁ ସେ ସମୟରେ ଲୋକଙ୍କ ଦାବି ପ୍ରତି ଗୁରୁତ୍ୱ ଦିଆଯାଇ ନ ଥିଲା

ନଦୀବନ୍ଧରେ ପକାଯାଇଥିବା ମାଟି ମଜବୁତ ହୋଇ ନ ଥିବାରୁ ଗତବର୍ଷ ଏହି ସ୍ଥାନରେ ଫାଟ ଦେଖା ଦେଇଥିଲା । ବର୍ତ୍ତମାନ ନଦୀରେ ପାଣି କମ୍‌ଥିବାରୁ ଗଭୀର ଶଯ୍ୟା ହେତୁ ବନ୍ଧ ଧସିଥିବା ସ୍ଥାନୀୟ ଲୋକେ ଅଭିଯୋଗ ଉଠାଇଛନ୍ତି । ଗେଙ୍ଗୁଟିର ଡାହାଣପାର୍ଶ୍ୱ କୂଳବନ୍ଧ ପାଖାପାଖି ୯୦ ମିଟର ଧସିଯାଇଥିବା ବେଳେ ସେହି ସ୍ଥାନ ଠାରୁ ଦେଢ ଶହ ମିଟରରୁ ଅଧିକ ଲମ୍ବର ବନ୍ଧରେ ଫାଟ ମଧ୍ୟ ଦେଖାଦେଇଛି । ଏଭଳି ଅବସ୍ଥା ହେତୁ କୂଳବନ୍ଧକୁ ଲାଗିିଥିବା ରଜନୀକାନ୍ତ ପଣ୍ଡାଙ୍କ ପକ୍କା ଘର ପ୍ରତି ବିପଦ ସୃଷ୍ଟି ହୋଇଛି ।

ବିଭାଗୀୟ ବେପରୁଆ କାର୍ଯ୍ୟ ପାଇଁ ଜନଜୀବନ ପ୍ରତି ଆଶଙ୍କା ସୃଷ୍ଟି ହୋଇଥିବା ସ୍ଥଳେ ପ୍ରାୟ ୫ କୋଟିରୁ ଅଧିକ ଅର୍ଥ ଅଟକଳରେ କାମ ହୋଇଥିବା ଗେଙ୍ଗୁଟି କୂଳବନ୍ଧ କାର୍ଯ୍ୟରେ ଅନିୟମିତତା ହୋଇଥିବା ଆଜିର ଘଟଣାରୁ ଜଣାପଡୁଛି। ଏହି ଘଟଣା ପରେ ଜିଲ୍ଲାପାଳ ଜ୍ଞାନରଂଜନ ଦାସ ତଦନ୍ତ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର