ଅନୁଗୁଳ: ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାରର ପ୍ରସ୍ତାବିତ ୧୯.୨ ଏମ୍ଟିପିଏ ଇସ୍ପାତ କାରଖାନା ଏବଂ ଏହି ପ୍ରକଳ୍ପ ଅଧୀନରେ ଅନ୍ୟାନ୍ୟ ଆନୁଷଙ୍ଗିକ କାରଖାନା ନିମନ୍ତେ ପରିବେଶ ମଞ୍ଜୁରି ପାଇଁ ଆଜି ଜନଶୁଣାଣି ହୋଇଯାଇଛି। ଏହି ଜନଶୁଣାଣିରେ ପ୍ରଭାବିତ ଓ ସ୍ଥାନୀୟ ଲୋକ ଉପସ୍ଥିତ ରହି ଆପତ୍ତି, ଅଭିଯୋଗ ଜଣାଇଛନ୍ତି। ଜିନ୍ଦଲ କର୍ତ୍ତୃପକ୍ଷ ମଧ୍ୟ ସେମାନଙ୍କ ପକ୍ଷ ରଖିଛନ୍ତି। କାରଖାନା ସଂପ୍ରସାରଣକୁ ଲୋକମାନେ ବିରୋଧ କରି ନ ଥିଲେ ମଧ୍ୟ ଅଧିକ ନିଯୁକ୍ତି ଏବଂ ପାରିପାର୍ଶ୍ବିକ ଓ ସାମାଜିକ କାର୍ଯ୍ୟକ୍ରମ ବଢ଼ାଇବା ପାଇଁ ଦାବି କରିଛନ୍ତି। ସେହିପରି ପ୍ରଦୂଷଣ କମାଇବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଆପଣେଇବା ସହିତ ବ୍ୟାପକ ବୃକ୍ଷରୋପଣ କରିବା ଉପରେ ସ୍ଥାନୀୟ ଲୋକେ ଗୁରୁତ୍ବ ଦେଇଛନ୍ତି।
ସ୍ଥାନୀୟ ସଭାଘରଠାରେ ଆୟୋଜିତ ଏହି ଜନଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ଵାଇଁଙ୍କ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ଜେଏସ୍ପିର ପରିବେଶ ବିଭାଗ ମୁଖ୍ୟ ଆଲୋକ ସାହୁ ଏହି ପ୍ରକଳ୍ପରେ ପରିବେଶ ସୁରକ୍ଷା ପାଇଁ ପ୍ରସ୍ତାବିତ ବିଭିନ୍ନ ପଦକ୍ଷେପ ଉପରେ ସୂଚନା ଦେଇଥିଲେ। ଏହି ପ୍ରକଳ୍ପରେ କମ୍ପାନି ପକ୍ଷରୁ ଅନୁଗୁଳରେ ୧,୧୯,୯୫୨ କୋଟିର ପୁଞ୍ଜିନିବେଶ କରାଯିବ ଏବଂ ଏହାଦ୍ବାରା ୯,୪୦୦ରୁ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ଏଥିରେ ସ୍ଥାନୀୟ ଅଞ୍ଚଳର ଅର୍ଦ୍ଧ-କୁଶଳୀ ଏବଂ ସ୍ଥାନୀୟ ତଥା ବାହ୍ୟ ଅଞ୍ଚଳର କୁଶଳୀ କର୍ମଚାରୀ ଅନ୍ତର୍ଭୁକ୍ତ ହେବେ। ଏହାସହିତ ହଜାରହଜାର ପରୋକ୍ଷ ନିଯୁକ୍ତି ସହିତ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ବ୍ୟବସାୟ ସୁଯୋଗ ମଧ୍ୟ ସୁଯୋଗ ସୃଷ୍ଟିହେବ ବୋଲି ସେ କହିଥିଲେ। ପ୍ରକଳ୍ପର ପ୍ରାୟ ଏକ ତୃତୀୟାଂଶ ଅଞ୍ଚଳରେ ୭.୭ ଲକ୍ଷ ବୃକ୍ଷରୋପଣ କରାଯାଇ ଏକ ସବୁଜ ବଳୟ ତିଆରି କରାଯିବ। କାରଖାନାରୁ ନିର୍ଗତ ସମସ୍ତ ଜଳ ପୁନଃପ୍ରକ୍ରିୟାକରଣ କରାଯାଇ ବ୍ୟବହାର କରାଯିବ। ଅନୁମୋଦିତ ସୀମା ମଧ୍ୟରେ ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାପାଇଁ ବିଭିନ୍ନ ପଦକ୍ଷେପ ଏବଂ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ଏହାକୁ ନିୟମିତ ସମୀକ୍ଷା କରାଯିବ ବୋଲି ଜେଏସ୍ପି ପକ୍ଷରୁ କୁହାଯାଇଥିଲା।
ଅନୁଗୁଳ ନଗରପାଳ ଅକ୍ଷୟ କୁମାର ସାମନ୍ତ, ଅନୁଗୁଳ ବାର୍ ଆସୋସିଏସନର ପୂର୍ବତନ ସଭାପତି ଜିତେନ୍ଦ୍ର ସାହୁ, ଦିଲୀପ ଦାଶ, ଆଇନୀଜୀବୀ ପ୍ରସନ୍ନ ବେହେରା, ସ୍ଥାନୀୟ ଜନପ୍ରତିନିଧି, କାରଖାନାରେ କାର୍ଯ୍ୟରତ କର୍ମଚାରୀ ପ୍ରମୁଖ ଅଞ୍ଚଳବାସୀଙ୍କ ନିଯୁକ୍ତି ଉପରେ ଗୁରୁତ୍ବ ଦେଇଥିଲେ। ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଅଗସ୍ତି ବେହେରା, ଅନୁଗୁଳ ଉପଜିଲ୍ଲାପାଳ ବଇତୁରା ଦୀପ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଡ. ଅନୂପ ମଲ୍ଲିକ, ଜେଏସ୍ପିର ନିର୍ବାହୀ ନିର୍ଦେଶକ ହୃଦୟେଶ୍ବର ଝା, ଭାଇସ-ପ୍ରେସିଡେଣ୍ଟ ସୁରେଶ କୁମାର ଶର୍ମା, ଭାଇସ-ପ୍ରେସିଡେଣ୍ଟ ଆଶିଷ ପାଣ୍ଡେ ପ୍ରମୁଖ ଜନଶୁଣାଣିରେ ଉପସ୍ଥିତ ଥିଲେ।