ଭୁବନେଶ୍ବର: ୨୦୨୪-୨୫ ଆର୍ଥିକ ବର୍ଷରେ ବାର୍ଷିକ ରାଜସ୍ବ ଆବଶ୍ୟକତା(ଏଆରଆର) ଓ ବିଦ୍ୟୁତ୍ ଉତ୍ପାଦନ ମୂଲ୍ୟ ଧାର୍ଯ୍ୟ ପାଇଁ ଆଜି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆରସି)ଙ୍କ ନିକଟରେ ଶୁଣାଣି ଆରମ୍ଭ ହୋଇଛି। ପ୍ରଥମ ଦିନରେ ଓପିଜିସି ଓ ଓଏଚ୍ପିସିର ଶୁଣାଣି କରାଯାଇଛି। ଓଇଆରସି ଅଧ୍ୟକ୍ଷ ନ ଥିବାରୁ ଉପଭୋକ୍ତା ମହାସଂଘ ସଭାପତି ତଥା ଏନ୍ଆଇଆଇଏଲ୍ ସମ୍ପାଦକ ରମେଶ ଚନ୍ଦ୍ର ଶତପଥୀ ଅସନ୍ତୋଷ ପ୍ରକାଶ କରିବା ସହ ଶୁଣାଣି ସମୟରେ ତିନି ଜଣିଆ କମିଟି ରହିବା ନେଇ ଉଲ୍ଲେଖ କରିଥିଲେ। ପୂର୍ଣ୍ଣାଙ୍ଗ କମିସନ ଗଠନ କରିବା ବଦଳରେ ମାତ୍ର ଦୁଇଜଣରେ ଶୁଣାଣି ହେଉଛି। ରାଜ୍ୟ ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ କରି ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ଶତପଥୀ ଦାବି କରିବା ସହ ବିଦ୍ୟୁତ୍ କ୍ଷେତ୍ରରେ କେଳେଙ୍କାରୀ ଚାଲିଥିବା ନେଇ ମତପ୍ରକାଶ କରିଥିଲେ।
ପୂର୍ବାହ୍ନରେ ଓଏଚ୍ପିସି ଶୁଣାଣି ସମୟରେ ସବୁଜ ବିଦ୍ୟୁତ ଚୋରି ନେଇ ତୁମ୍ବିତୋଫାନ ହୋଇଥିଲା। ପକ୍ଷଭୁକ୍ତ ହୋଇଥିବା ଶକ୍ତି ବିଶେଷଜ୍ଞମାନେ କହିଲେ, ସବୁଜ ବିଦ୍ୟୁତ୍ ଚୋରି ହେବାରୁ ଓଡ଼ିଶା ପ୍ରତିବର୍ଷ ୩ ହଜାର କୋଟିରୁ ଅଧିକ ଟଙ୍କାର ରାଜସ୍ବ କ୍ଷତି ସହୁଛି। ୧୨୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ମାଛକୁଣ୍ଡ ଜଳବିଦ୍ୟୁତ୍ ପ୍ରକଳ୍ପକୁ ୬୮ ବର୍ଷ ତଳେ କାର୍ଯ୍ୟକ୍ଷମ କରାଯାଇଥିଲା। ଏହି ଯୌଥ ପ୍ରକଳ୍ପରୁ ଓଡ଼ିଶା-ଆନ୍ଧ୍ର ସମାନ ଭାଗ ପାଉଛନ୍ତି। ୬୮ ବର୍ଷ ତଳର ଏହି ପ୍ରକଳ୍ପର ସମ୍ପ୍ରସାରଣ ଦିଗରେ ରାଜ୍ୟ ସରକାର କୌଣସି ଗୁରୁତ୍ବ ଦେଉ ନାହାନ୍ତି। ତା’ପରେ ମଧ୍ୟ ଏହି ପ୍ରକଳ୍ପ କ୍ଷମତାର ୫୬% ବିଦ୍ୟୁତ୍ ଉତ୍ପାଦନ କରୁଛି। ସେପଟେ ଓଏଚ୍ପିସି ଦ୍ବାରା ପରିଚାଳିତ ହୀରାକୁଦ, ଚିପିଲିମା, ରେଙ୍ଗାଲି, ଇନ୍ଦ୍ରାବତୀ, କୋଲାବ ଓ ବାଲିମେଳାରେ ୨୦୪୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ୬ଟି ଜଳବିଦ୍ୟୁତ୍ ପ୍ରକଳ୍ପର ନିୟମିତ ମରାମତି, ରକ୍ଷଣାବେକ୍ଷଣ, ଆଧୁନିକୀକରଣ, ସମ୍ପ୍ରସାରଣ ବାବଦରେ ବିପୁଳ ଅର୍ଥ ବ୍ୟୟ କରାଯାଉଛି। ହେଲେ ସେଥିରୁ ମାତ୍ର ୩୦% ବିଦ୍ୟୁତ୍ ଉତ୍ପାଦନ ହେଉଛି। ଜାତୀୟ ଜଳ ବିଦ୍ୟୁତ୍ ନିଗମ (ଏନଏଚପିସି) ପରିଚାଳନାରେ ଥିବା ୫୫୫୧ ମେଗାୱାଟ୍ କ୍ଷମତା ବିଶିଷ୍ଟ ଜଳ ବିଦ୍ୟୁତ୍ ପ୍ରକଳ୍ପ ଗୁଡିକ ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ଯଥାକ୍ରମେ ୨୪,୨୩୬ ଓ ୨୪,୪୯୪ ନିୟୁତ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ ହୋଇଥିବା ଦର୍ଶାଇ ୫୦% କ୍ଷମତା ଉପଯୋଗ କରିପାରିଛି। ତେବେ ଓଏଚ୍ପିସି କିପରି ମାତ୍ର ୩୦% କ୍ଷମତା ଉପଯୋଗିତାରେ ସୀମିତ ରହିଲା ବୋଲି ଶକ୍ତି ସମୀକ୍ଷକ ପ୍ରଶ୍ନ ଉଠାଇଥିଲେ। ୨୬% ବିଦ୍ୟୁତ୍ ଉତ୍ପାଦନ କୁଆଡ଼େ ଯାଉଛି ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ଉଠିଥିଲା।
ସବୁଜ ବିଦ୍ୟୁତ୍ ଚୋରିକୁ ନେଇ ଓଏଚ୍ପିସିକୁ ଘେରିଲେ
ଆସ୍ପଣ୍ଡ ଦୁର୍ଘଟଣା ଉପରେ ପ୍ରଶ୍ନ ଉଠାଇଲେ ସମୀକ୍ଷକ
ଉତ୍ପାଦନ ମୂଲ୍ୟ ବଢ଼ାଇବାକୁ ଓଏଚ୍ପିସି, ଓପିଜିସିର ମସୁଧା
୨୦୦୯ରୁ ଏପର୍ଯ୍ୟନ୍ତ ଗୋଟିଏ ହେଲେ ଜଳବିଦ୍ୟୁତ୍ ପ୍ରକଳ୍ପ ପ୍ରତିଷ୍ଠା କରାଯାଇ ନାହିଁ। ପମ୍ପ ଷ୍ଟୋରେଜ୍ ପ୍ରୋଜେକ୍ଟ(ପିଏସ୍ପି) ନିର୍ମାଣ କରିବାକୁ ୧୦ ବର୍ଷ ଧରି ଯୋଜନା ହେଉଥିଲେ ମଧ୍ୟ ତାହା ଆଗେଇପାରି ନାହିଁ। ଏହା ପ୍ରତିଷ୍ଠା କରାଗଲେ ଜଳ ସ୍ତର କମିବା ଯୋଗୁଁ ବିଦ୍ୟୁତ୍ ସେବା ପ୍ରଭାବିତ ହେଉଥିବା ନେଇ ଯେଉଁ ଅଭିଯୋଗ ଆସୁଛି ତାହା ହୁଅନ୍ତା ନାହିଁ। ପିଏସ୍ପି ପ୍ରତିଷ୍ଠା କରା ନ ଯିବା ଦ୍ବାରା ଜଳସ୍ତର କମିବା ବାହାନା ଦେଖାଇ ସଂସ୍ଥାଗୁଡ଼ିକ ଖସିଯିବାକୁ ପ୍ରୟାସ କରୁଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଦେଶର ଅନେକ ରାଜ୍ୟ ପିଏସ୍ପିକୁ ଆପଣାଇଲେଣି। ମାତ୍ର ଓଡ଼ିଶା ଯେଉଁଠି ଥିଲା ସେଇଠି ରହିଛି। ସେହିପରି ମାଛକୁଣ୍ଡରୁ ଉତ୍ପାଦିତ ହେଉଥିବା ବିଦ୍ୟୁତ୍ ଓଡ଼ିଶା ନିଜ ଭାଗର ୫୯ ନିୟୁତ ୟୁନିଟ୍ ଆଣିପାରି ନାହିଁ। ଏଥିପାଇଁ ପାଖାପାଖି ୩୨ କୋଟି ଟଙ୍କାର କ୍ଷତି ହୋଇଥିବା ନେଇ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ଭାଗନେଇ ତଥ୍ୟ ଉପସ୍ଥାପିତ କରିଥିଲେ। ଓଏଚ୍ପିସି ପରିଚାଳନାରେ ଥିବା ହୀରାକୁଦ, ଚିପିଲିମା, ରେଙ୍ଗାଲି, ଇନ୍ଦ୍ରାବତୀ, କୋଲାବ ଓ ବାଲିମେଳା ବିଦ୍ୟୁତ ପ୍ରକଳ୍ପର ହାରାହାରି ବିଦ୍ୟୁତ୍ ଉତ୍ପାଦନ ମୂଲ୍ୟ ଚଳିତବର୍ଷ ପାଇଁ ୟୁନିଟ ପିଛା ୯୩ ପଇସା ହିସାବରେ ଗ୍ରିଡ୍କୋଠାରୁ ଅସୁଲ କରିବାକୁ ଆୟୋଗ ଅନୁମୋଦନ କରିଛନ୍ତି। ଆସନ୍ତାବର୍ଷ ପାଇଁ ଏହାକୁ ୭ ପଇସା ବୃଦ୍ଧି କରି ୟୁନିଟ୍ ପିଛା ୧ ଟଙ୍କା ନିର୍ଣ୍ଣୟ କରିବା ପାଇଁ ଓଏଚ୍ପିସି ପ୍ରସ୍ତାବ ରଖିଛି। ମାଛକୁଣ୍ଡ ପ୍ରକଳ୍ପର ବିଦ୍ୟୁତ ଉତ୍ପାଦନ ମୂଲ୍ୟ ଚଳିତବର୍ଷ ପାଇଁ ୟୁନିଟ୍ ପିଛା ୧ ଟଙ୍କା ୧୭ ପଇସା ଆୟୋଗ ଅନୁମୋଦନ କରିଛନ୍ତି। ତାହାକୁ ଆସନ୍ତାବର୍ଷ ପାଇଁ ୧ ଟଙ୍କା ୨୪ ପଇସାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି। ୧୯୬୦ ମସିହାରୁ ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପରୁ ଛତିଶଗଡକୁ ୫ ମେଗାୱାଟ୍ ହିସାବରେ ବାର୍ଷିକ ୧୬ ନିୟୁତ ବିଦ୍ୟୁତ୍ ବିକ୍ରି ହେଉଛି, ଯାହାର ମୂଲ୍ୟ ଚଳିତ ବର୍ଷ ପାଇଁ ୟୁନିଟ୍ ପିଛା ୨ ଟଙ୍କା ୨୦ ପଇସା ଅନୁମୋଦିତ ହୋଇଛି। ଆସନ୍ତାବର୍ଷ ପାଇଁ ଏହାକୁ ହ୍ରାସ କରି ୨ ଟଙ୍କା କରିବାକୁ ଓଏଚ୍ପିସି ପ୍ରସ୍ତାବ ରଖିଛି। ଅନ୍ୟାନ୍ୟ ଖର୍ଚ୍ଚ ଭରଣା ବାବଦରେ ଆସନ୍ତା ବର୍ଷ ପାଇଁ ୩୪ କୋଟି ଟଙ୍କା ଗ୍ରିଡ୍କୋଠାରୁ ଅସୁଲ କରିବାକୁ ଓଏଚ୍ପିସି ପ୍ରସ୍ତାବ ରଖିଥିବା ବେଳେ ଚଳିତବର୍ଷ ପାଇଁ ୧୭ କୋଟି ଟଙ୍କା ଅନୁମୋଦିତ ହୋଇଥିବା ଓଏଚ୍ପିସି ପ୍ରେସ ବିଜ୍ଞପ୍ତିରୁ ସୂଚନା ମିଳିଛି। ତେବେ ଛତିଶଗଡ ବିଦ୍ୟୁତ୍ ମୂଲ୍ୟ ହ୍ରାସ ଉପରେ ରମେଶ ଶତପଥୀ ବିରୋଧ କରିଛନ୍ତି।
ଅପରାହ୍ଣରେ ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନ ନିଗମ(ଓପିଜିସି)ର ପ୍ରସ୍ତାବ ଉପରେ ଶୁଣାଣି ହୋଇଥିଲା। ଶକ୍ତି ବିଶେଷଜ୍ଞ ଶ୍ରୀ ମହାପାତ୍ର ଭାଗନେଇ ଓଡ଼ିଶା କୋଲ୍ ଆଣ୍ଡ୍ ପାୱାର ଲିମିଟେଡ୍(ଓସିପିଏଲ୍) କେଳେଙ୍କାରୀ ସମ୍ପର୍କରେ ମତପ୍ରକାଶ କରିଥିଲେ। ସେ କହିଲେ ମନୋହରପୁର କୋଇଲା ଖଣିରୁ ଉତ୍ପାଦିତ କୋଇଲାର ଉତ୍ପାଦନ ମୂଲ୍ୟ ନିର୍ଣ୍ଣୟ କରିବା ପାଇଁ ରାଜ୍ୟ ସରକାର ଓ ଆୟୋଗ ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ପ୍ରଶଂସନୀୟ। ମନୋହରପୁର କୋଇଲା ଖଣିକୁ ଓପିଜିସି ଅଧିନକୁ ଆଣିବା ପାଇଁ ଆବଣ୍ଟନ ଚୁକ୍ତିର ପାରା ନ ୧୩ ଓ ୧୯ରେ ଥିବା ବ୍ୟବସ୍ତାକୁ ଉପଯୋଗ କରାଯାଉ। ଫଳରେ କୋଇଲାମୂଲ୍ୟ ଟନ ପିଛା ୫୦୦ ଟଙ୍କା ହ୍ରାସ ପାଇବ। ଏସବୁ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଖୁଚୁରା ବିଦ୍ୟୁତମୂଲ୍ୟ ୟୁନିଟ ପିଛା ୫୦ ପଇସା ହ୍ରାସ ପାଇବ। ଓପିଜିସି ବନହରପାଲିସ୍ଥିତ ତାପଜ ବିଦ୍ୟୁତ୍ କେନ୍ଦ୍ରର ପାଉଁଶ ପୋଖରୀ(ଆସ୍ପଣ୍ଡ) ବନ୍ଧ ଭୁଶୁଡ଼ିବାରୁ ବ୍ୟାପକ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। କ୍ଷୟକ୍ଷତି ବାବଦରେ ଚାଷୀଙ୍କୁ କ୍ଷତି ପୂରଣ ଦିଆଯାଇଥିଲେ ମଧ୍ୟ ସେମାନଙ୍କ ଜୀବନଶୈଳୀରେ ବିଶେଷ କିଛି ଉନ୍ନତି ଆସି ନାହିଁ। ଫ୍ଲାଏଅସ୍ର ଉପଯୁକ୍ତ ବ୍ୟବହାର କରିବାକୁ ୨୦୧୭ରେ ନିଷ୍ପତ୍ତି ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ।
୨୦୨୩-୨୪ ପାଇଁ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଓପିଜିସି(ୟୁନିଟ-୧ ଓ ୨) ବାର୍ଷିକ ସ୍ଥିର ମୂଲ୍ୟ ବାବଦକୁ ଗ୍ରିଡକୋଠାରୁ ୨୯୧ କୋଟି ୯୫ ଲକ୍ଷ ଟଙ୍କା ଅସୁଲ କରିବାକୁ ଅନୁମୋଦନ କରିଛନ୍ତି। ଏଥିସହ ଆସନ୍ତାବର୍ଷ ପାଇଁ ୩୧୦ କୋଟି ୨୫ ଲକ୍ଷ ଟଙ୍କା ଅସୁଲ କରିବା ପାଇଁ ଆଜି ପସ୍ତାବ ରଖିଛି। ସେହିପରି ପରିବର୍ତ୍ତନଶୀଳ ମୂଲ୍ୟ ୟୁନିଟ୍ ପିଛା ୧ ଟଙ୍କା ୬୭ ପଇସା ଚଳିତବର୍ଷ ପାଇଁ ଅନୁମୋଦନ ହୋଇଥିବାବେଳେ ଆସନ୍ତାବର୍ଷ ପାଇଁ ଏହାକୁ ୧ ଟଙ୍କା ୭୧ ପଇସାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ରଖିଛନ୍ତି। ଏହାବ୍ୟତୀତ ଚଳିତବର୍ଷ ପାଇଁ ଓପିଜିସିର ଅନ୍ୟାନ ଖର୍ଚ୍ଚ ଭରଣା କରିବାକୁ ବିଲ୍ ଦେଖାଇ ୨୫ କୋଟି ଟଙ୍କା ଗ୍ରିଡକୋଠାରୁ କରିବାକୁ ଅନୁମୋଦନ ହୋଇଛି। ଆସନ୍ତା ବର୍ଷ ପାଇଁ ତାହାକୁ ୫୬ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ରଖିଛି। ଓପିଜିସି ପ୍ରେସ୍ ବିଜ୍ଞପ୍ତିରୁ ଏହା ସୂଚନା ମିଳିଛି।